ପାଠକ ବାପା-ପୁଅଙ୍କୁ ଜାମିନ ମଞ୍ଜୁର

ଦାଖଲ ହୋଇପାରିଲାନି ଚାର୍ଜସିଟ୍
ଭିଜିଲାନ୍ସ କହିଲା ତଦନ୍ତ ସରିବାକୁ ସମୟ ଲାଗିବ
ଅନ୍ୟ ମାମଲା ରହିଛି, ଏବେ ମୁକୁଳିବାର ନାହିଁ

ଭୁବନେଶ୍ବର : ବହୁଚର୍ଚ୍ଚିତ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ପାଇଁ ବଡ଼ ଆଶ୍ବସ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଧାର୍ଯ୍ୟ ସମୟ ସୀମା(୬୦ ଦିନ) ଭିତରେ ଭିଜିଲାନ୍ସ ଚାର୍ଜସିଟ୍ ଦାଖଲ କରି ନପାରିବାରୁ ସେମାନଙ୍କୁ ଜାମିନ ମିଳିଛି। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପାଠକ ବାପା ପୁଅଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି। ଉଭୟଙ୍କୁ ୨ ଲକ୍ଷ ଟଙ୍କାର ବଣ୍ଡ୍ ଏବଂ ୨୦ ହଜାର ଟଙ୍କା ଜାମିନଦାର ବଦଳରେ ଜାମିନ ପ୍ରଦାନ କରାଯାଇଥିବା ସେମାନଙ୍କ ଓକିଲ ଅରୂପ ଚାନ୍ଦ ସୂଚନା ଦେଇଛନ୍ତି।

ଏତେ ବଡ଼ ସଙ୍ଗିନ୍ ମାମଲାରେ ଧାର୍ଯ୍ୟ ସମୟ ମଧ୍ୟରେ ଭିଜିଲାନ୍ସ ଚାର୍ଜସିଟ୍ ଦାଖଲ କରିନପାରିବା ଘଟଣା ଆଜି ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ବାସ୍ତବରେ ପାଠକ ବାପା-ପୁଅଙ୍କ ବିରୋଧରେ ଆବଶ୍ୟକ ପ୍ରମାଣ ମିଳିଲା ନାହିଁ ନା ଏହା ପଛରେ ଆଉ କିଛି କାରଣ ରହିଛି, ସେନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ରାଜନୈତିକ ମହଲରେ ମଧ୍ୟ ଏହା ଆଲୋଚନା ଲାଗି ଖୋରାକ ଯୋଗାଇଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତବର୍ଷ ନଭେମ୍ବର ୨୫ ତାରିଖରେ ଅଭୟକାନ୍ତ ପାଠକଙ୍କ ୟୁନିଟ୍ ୯ସ୍ଥିତ ସରକାରୀ ବାସଭବନ, ଘାଟିକିଆସ୍ଥିତ ଭିପୁଲ୍‌ ଗାର୍ଡେନରେ ସମ୍ପର୍କୀୟଙ୍କ ଫ୍ଲାଟ୍, ପିପିଲିସ୍ଥିତ ଡ୍ରାଇଭରଙ୍କ ଘର, ପୁନେରେ ପୁଅର ଫ୍ଲାଟ୍, ନକଲି ଟାଟା କମ୍ପାନି କାର୍ଯ୍ୟାଳୟ, ବିହାର ପାଟନା, ରାଜସ୍ଥାନ ଉଦୟପୁରରେ ଏକା ସାଙ୍ଗରେ ଚଢ଼ଉ ହୋଇଥିଲା। ଏହି ଚଢ଼ଉରେ ୧୫୦ ଅଫିସର ସାମିଲ ହୋଇଥିଲେ। ମାମଲାର ତଦନ୍ତ ପାଇଁ ଏସ୍‌ଆଇ୍‌ଟି ଗଠନ କରିଥିଲା ଭିଜିଲାନ୍ସ। ଭିଜିଲାନ୍ସର ବରିଷ୍ଠ ଅଧିକାରୀମାନେ ମାମଲାର ଅନୁଧ୍ୟାନ କରୁଥିଲେ। ନଭେମ୍ବର ୨୭ ତାରିଖରେ ଭିଜିଲାନ୍ସ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରେ ବିଭିନ୍ନ ସମୟରେ ୧୦ କୋଟିରୁ ଅଧିକ ଟଙ୍କାର ବ୍ୟାଙ୍କ ଜମା ଠାବ କରିଥିଲା ଭିଜିଲାନ୍ସ। ସମ୍ପର୍କୀୟ ଦାନ୍ତ ଡାକ୍ତରଙ୍କ ଫ୍ଲାଟରୁ ନଗଦ ୫୦ ଲକ୍ଷ, ମର୍ସିଡିଜ୍, ଟାଟା ହ୍ୟାରିୟର ଭଳି ୪ ଦାମୀ କାର ଠାବ ହୋଇଥିଲା।

ଆଇନ ଅନୁସାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୬୦ ଦିନ ଭିତରେ ଚାର୍ଜସିଟ୍ ଦାଖଲ ହେବା କଥା। ଗତକାଲି (ଜାନୁଆରୀ ୨୬) ୬୦ ଦିନ ପୂରି ଯାଇଥିଲା। କିନ୍ତୁ ଭିଜିଲାନ୍ସ ତଦନ୍ତକାରୀ ଅଧିକାରୀ ଚାର୍ଜସିଟ୍ ଦାଖଲ କରିପାରି ନ ଥିଲେ। ତେଣୁ ସିଆରପିସି ଧାରା -୧୬୭(୨) ଅନୁସାରେ ଜାମିନ ପାଇବା ଅଭିଯୁକ୍ତଙ୍କ ଅଧିକାର ବୋଲି କହିଛନ୍ତି ଆଇନଜୀବୀ ଅରୂପ ଚାନ୍ଦ। ଶ୍ରୀ ଚାନ୍ଦ କହିଛନ୍ତି ଯେ ଏହା ଭିଜିଲାନ୍ସର ଅପାରଗତା। ଭିଜିଲାନ୍ସକୁ ଏହି ମାମଲାରେ ତଥ୍ୟ ପ୍ରମାଣ ମିଳିପାରିଲା ନାହିଁ। କେବଳ ଉଦ୍ଦେଶ୍ୟମୂଳକ ଭାବେ ବାପା ପୁଅଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପାଠକଙ୍କ ମାମଲାଟି ଅତ୍ୟନ୍ତ ସଙ୍ଗିନ୍। ଏହି ମାମଲାରେ ଏବେ ତଦନ୍ତ ସରିବାର ନାହିଁ। ଏଇଥିପାଇଁ ଯେ ପାଠକ ବାପା-ପୁଅଙ୍କ ବିମାନ ଟିକେଟ୍ ସଂପର୍କରେ ଯେଉଁ ତଥ୍ୟ ବିମାନ କଂପାନିମାନଙ୍କୁ ମଗାଯାଇଛି, ତାହା ଏଯାଏ ହସ୍ତଗତ ହୋଇନାହିଁ। ସେହିଭଳି ସେମାନଙ୍କର କେଉଁ କେଉଁ ରାଜ୍ୟରେ ଜମି ରହିଛି, ସେ ସଂପର୍କରେ ବି ଖୋଳତାଡ଼ ଚାଲିଛି। ସବୁ ରାଜ୍ୟର ଆଇଜିଆର୍‌ଙ୍କୁ ମଗାଯାଇଥିବା ତଥ୍ୟ ମିଳିନାହିଁ। ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ କ୍ଷେତ୍ରରେ ଗୋଟିଏ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି ଯେ ତଦନ୍ତ ଶେଷ ପରେ ଏ ସଂକ୍ରାନ୍ତ ତଥ୍ୟ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟକୁ ଯିବ ଓ ସେଠାରୁ ଅନୁମତି ପାଇବା ପରେ ଯାଇ ଚାର୍ଜସିଟ୍ ହେବ। ଅନ୍ୟଥା କୋର୍ଟ ଏହାକୁ ଗ୍ରହଣ ନ କରିପାରନ୍ତି।

ଭିଜିଲାନ୍ସର କହିବା କଥା ହେଉଛି, ଯେଉଁ ସବୁ ମାମଲାରେ ଅନ୍ତରୀଣ ରିପୋର୍ଟ ଦିଆଯାଏ, ସେ କ୍ଷେତ୍ରରେ ଦୋଷୀଙ୍କୁ ଖସିବା ପାଇଁ ଅନେକ ସୁଯୋଗ ରହିଥାଏ। ବିଶେଷକରି ଯଦି ମୂଳ ରିପୋର୍ଟ ଓ ଚୂଡାନ୍ତ ରିପୋର୍ଟ ସାମାନ୍ୟ ଏପଟସେପଟ ଆସିଲା, ତାହା ବିଚାର ପ୍ରକ୍ରିୟାରେ ଅଭିଯୁକ୍ତ ସପକ୍ଷରେ ଯିବାର ଅନେକ ନଜିର ରହିଛି। ଏଣୁ ଏହି ସମ୍ବେଦନଶୀଳ ମାମଲାରେ ଭିଜିଲାନ୍ସ ଏଭଳି ରିକ୍ସ ନେବାକୁ ଚାହିଁନାହିଁ। ଉଲ୍ଲେଖଯୋଗ୍ୟ ଯେ ପାଠକ ବାପା ପୁଅଙ୍କ ବିରୋଧରେ ଚାର୍ଟରଡ ବିମାନ ଭଡା ଠକେଇ ନେଇ ଖାରବେଳନଗର ଥାନାରେ ମାମଲା ରହିଛି। ସେହିପରି ଆକାଶ ପାଠକଙ୍କ ବିରୋଧରେ ଟାଟା ମୋଟର୍ସ ଠକେଇ ନେଇ କ୍ରାଇମବ୍ରାଞ୍ଚରେ ମାମଲା ରହିଛି। ତେଣୁ ଉଭୟ ଏବେ ଜେଲରୁ ମୁକୁଳି ପାରିବେ ନାହିଁ।

ସମ୍ବନ୍ଧିତ ଖବର