ଭୁବନେଶ୍ବର : ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ବରିଷ୍ଠ ଆଇଏଫଏସ୍ ଅଧିକାରୀ ତଥା ରାଜ୍ୟର ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ ଏବଂ ତାଙ୍କର ପୁତ୍ର ଆକାଶ ପାଠକଙ୍କ ଜାମିନ ଖାରଜ ହୋଇଛି। ଆଜି ଭିଜିଲାନ୍ସ ପକ୍ଷରୁ ବାପ-ପୁଅଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଭିଜିଲାନ୍ସ ପକ୍ଷରୁ ରିମାଣ୍ଡରେ ନେବା ଲାଗି ହୋଇଥିବା ଆବେଦନ କୋର୍ଟ ମଞ୍ଜୁର କରି ନଥିବା ଜଣାପଡ଼ିଛି।
ଗତ ତିନିଦିନ ହେଲା ଅଭୟକାନ୍ତଙ୍କର ରାଜ୍ୟ ଓ ରାଜ୍ୟ ବାହାରେ ଥିବା ବିଭିନ୍ନ ଘର, ଫାର୍ମ ହାଉସ୍ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରି ସଂପତ୍ତି ଯାଞ୍ଚ କରିଥିଲା। ଆଜି ଭିଜିଲାନ୍ସ ଅଭୟକାନ୍ତ, ଆକାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏବଂ ତାଙ୍କ ପୁତୁରା ଓ ଡ୍ରାଇଭରକୁ ଅଧିକ ପଚରାଉଚରା ଲାଗି ଅଟକ ରଖିଛି।
ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଅଭ୍ୟକାନ୍ତଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସର ଚଢାଉ ସମୟରେ ବାବୁ ଅଭୟକାନ୍ତ ପାଠକଙ୍କଠାରୁ ଯେଉଁ ସମ୍ପତ୍ତି ଜବତ ହୋଇଥିଲା, ତାରା ତାଲିକା ବେଶ ଲମ୍ବା ଥିଲା । ଭୁବନେଶ୍ୱର, ମୁମ୍ବାଇ, ପୁନେ, ଉଦୟପୁରରେ ଏହି ଚଢାଉ ସମୟରେ ଘରୁ ମିଳିଛି ପ୍ରାୟ ୬୦ଲକ୍ଷ ଟଙ୍କା ନଗଦ । ୮୦୦ଗ୍ରାମର ସୁନା ଅଳଙ୍କାର ମିଳିବା ସହିତ ୨୩ ଲକ୍ଷ ଟଙ୍କାର ସୁନାଗହଣା କିଣାଯାଇଥିବାର କାଗଜପତ୍ର ଜବତ ହୋଇଥିଲା ।
ବଡ କଥା ହେଲା ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଆକାଉଂଟରେ ୯.୪ କୋଟି ଟଙ୍କା ଜମା ହୋଇଛି । ଏହି ଟଙ୍କା ମଧ୍ୟରୁ କେବଳ ଭୁବନେଶ୍ୱରରେ ଜମା ହୋଇଛି ୮.୪ କୋଟି ଟଙ୍କା । ଅଧିକାଂଶ ଟଙ୍କା ଭୁବନେଶ୍ୱରର ସହିଦ ନଗର ଏବଂ ନୟାପଲ୍ଲୀରେ ଥିବା ଏଟିଏମ ମାଧ୍ୟମରେ ଜମାହୋଇଛି । ପୁଅ ଆକାଶ ନାଁରେ ମର୍ସିଡେଜ, ବିଏମଡବ୍ଲୁ, ଟାଟା ହାରିୟର ଭଳି ୩ଟି ଦାମୀ ଗାଡି ରହିଛି। ସେହିପରି ୩ଟି ୟାମାହା ଏଫଜେଡଏସ ମୋଟରସାଇକେଲ ମଧ୍ୟ ଆକାଶ ନାଁରେ ରହିଛି ।
ଏହାପରେ ଭିଜିଲାନ୍ସ ପଞ୍ଝାରେ ପଡିଥିଲେ ଆକାଶ । ଆକାଶଙ୍କୁ ପୁନେରୁ ଫ୍ଲାଇଟ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା । ପରେ ଧନ ସମ୍ପତ୍ତି ନେଇ ଖୋଳତାଡ କରିଥିଲା ଭିଜିଲାନ୍ସ । ପରେ ଅଭୟକାନ୍ତ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ କିଛି ବି ଠକେଇ ହୋଇନି । ସବୁ ଠିକ ଅଛି, ତାଙ୍କ ପୁଅର ମାସିକ ଦରମା କୋଟିଏ ଟଙ୍କା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Akash-Abhayakanta-27_thumb-1.jpg)