ସମ୍ବଲପୁର: ୩୦ ବର୍ଷ ତଳେ ସମ୍ବଲପୁରରୁ ଚାକିରି ଜୀବନ ଆରମ୍ଭ କରିଥିଲେ ଆଇଏଫ୍ଏସ୍ ଅଧିକାରୀ ଅଭୟକାନ୍ତ ପାଠକ। ଆଇଏଫ୍ଏସ୍ ତାଲିମ ପରେ ୧୯୯୦ ମସିହାରେ ପ୍ରବେସନାରି ଅଫିସର୍ ଭାବେ ସମ୍ବଲପୁରରେ ଯୋଗ ଦେଇଥିଲେ। ଏଠାରେ ତାଙ୍କୁ ସୋସିଆଲ୍ ଫରେଷ୍ଟ୍ରିରେ ଏସିଏଫ୍ ଭାବେ ନିଯୁକ୍ତି ମିଳିଥିଲା। ଏଠାରୁ ତାଙ୍କ ଦୁର୍ନୀତିଗ୍ରସ୍ତ କ୍ୟାରିୟର ମୂଳଦୁଆ ପଡ଼ିଥିଲା। ଏବେ ପାଠକ ଗିରଫ ହେବା ପରେ ରାଜ୍ୟବ୍ୟାପୀ ତାଙ୍କର କେଉଁ କେଉଁଠି ସଂପର୍କ ରହିଛି ତାର ଖୋଳତାଡ଼ ଆରମ୍ଭ ହୋଇଛି। ମଙ୍ଗଳବାର ସମ୍ବଲପୁର ଜିଲ୍ଲାରେ ଭିଜିଲାନ୍ସ ବିଭାଗର ୪ ଜଣିଆ ଟିମ୍ ବିଭିନ୍ନ ବ୍ୟାଙ୍କ୍ରେ ଚଢ଼ଉ କରି ସେଠାରେ ପାଠକଙ୍କ ବ୍ୟାଙ୍କ୍ ଆକାଉଣ୍ଟ ରହିଛି ନା ନାହିଁ ତାହାର ଯାଞ୍ଚ କରିଛି। ସେହିପରି ସଂଧ୍ୟାରେ ସମ୍ବଲପୁର ବନଖଣ୍ଡ କାର୍ଯ୍ୟାଳୟରେ ପହଞ୍ଚି ପୁରୁଣା ରେକର୍ଡ ଖୋଜିଛି।
ଏହା ମଧ୍ୟରେ ଷ୍ଟେଟ୍ ବ୍ୟାଙ୍କ୍ର ମୁଖ୍ୟ ଶାଖା, ୟୁନିଅନ୍ ବ୍ୟାଙ୍କ୍ ଓ ଆନ୍ଧ୍ରା ବ୍ୟାଙ୍କ୍ ରହିଛି। ସେପଟେ, ପାଠକ ସମ୍ବଲପୁରରେ କାର୍ଯ୍ୟ କରୁଥିବା ସମୟରେ କୌଣସି ବି ବ୍ୟାଙ୍କ୍ରେ କିଛି କାରବାର କରିଥିଲେ ସେନେଇ ସୂଚନା ପ୍ରଦାନ କରିବାକୁ ବ୍ୟାଙ୍କ୍ଗୁଡ଼ିକୁ ନୋଟିସ୍ ପ୍ରଦାନ କରିଛି ଭିଜିଲାନ୍ସ। ଏହାବାଦ୍ ୧୯୯୦ରୁ ୧୯୯୧ ମସିହା ଯାଏ ପାଠକ ସମ୍ବଲପୁରରେ ସୋସିଆଲ ଫରେଷ୍ଟ୍ରି ବିଭାଗର ଏସିଏଫ୍ ଭାବେ କାର୍ଯ୍ୟ କରୁଥିବା ବେଳେ କେତେ ଟଙ୍କା ଦରମାରେ ଚାକିରି ଆରମ୍ଭ କରିଥିଲେ ଓ ତାଙ୍କ ବିଭାଗୀୟ ରୋଜଗାର କ’ଣ କ’ଣ ଥିଲା ସେନେଇ ମଧ୍ୟ ଖୋଳତାଡ଼ ଚାଲିଛି। ପୁଣିଥରେ ୧୯୯୬-୯୭ ମସିହାରେ ପାଠକଙ୍କୁ ସମ୍ବଲପୁର ବନବିଭାଗ ରେଞ୍ଜରେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରା ଯାଇଥିଲା। କିନ୍ତୁ ସେ କାର୍ଯ୍ୟରେ ଯୋଗ ଦେଇ ନଥିଲେ। ତଥାପି ମଧ୍ୟ ଭିଜିଲାନ୍ସ ବିଭାଗ ସମ୍ବଲପୁର ବନ ବିଭାଗକୁ ଏ ସମ୍ପର୍କିତ ତଥ୍ୟ ପ୍ରଦାନ କରିବାକୁ ନୋଟିସ୍ ଜାରି କରିଛି। ତେଣୁ ସମ୍ବଲପୁର ରେଞ୍ଜରେ ଏନେଇ କ’ଣ ତଥ୍ୟ ରହିଛି ତାହା ଖୋଜା ଚାଲିଥିବା ବନବିଭାଗ ପକ୍ଷରୁ କୁହାଯାଇଛି।
୧୯୯୧ ମସିହାରେ ପାଠକ କାମ କରୁଥିବା ସୋସିଆଲ ଫରେଷ୍ଟ୍ରି ବିଭାଗ ବର୍ତ୍ତମାନ ସମ୍ବଲପୁରରୁ ଉଠି ଯାଇଥିବାରୁ ଭିଜିଲାନ୍ସ ବିଭାଗକୁ ଏ ସମ୍ପର୍କିତ ଯଥେଷ୍ଟ ପ୍ରମାଣ ମିଳିପାରି ନାହିଁ। ତେବେ ଉକ୍ତ ବିଭାଗ ଏବେ ଝାରସୁଗୁଡ଼ା, ରାଉରକେଲାର ସର୍କଲ ଅଫିସ୍ ସହ ମିଶି ଯାଇ ଥିବାରୁ ଉକ୍ତ ଅଫିସ୍ରେ ପାଠକଙ୍କ ସମ୍ପର୍କୀତ ବେଶ୍ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଥିବା ନେଇ ଭିଜିଲାନ୍ସ ବିଭାଗକୁ ସୂଚନା ମିଳି ଥିବାରୁ ବୁଧବାର ଏକ ଟିମ୍ ରାଉରକେଲା ଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରିବ ବୋଲି ଜଣାପଡ଼ିଛି।