ପ୍ରତି ମାସ ଦ୍ବିତୀୟ ଶନିବାର ଅଭିଭାବକ-ଶିକ୍ଷକ ବୈଠକ
୧୦ ହଜାର ଛାତ୍ରଛାତ୍ରୀଙ୍କ ପାଇଁ କନିଷ୍ଠ ମେଧାବୃତ୍ତି

Advertisment

ଭୁବନେଶ୍ୱର : ଚଳିତବର୍ଷ ପାଇଁ ରାଜ୍ୟର ଏକ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ପଠାଣୀ ସାମନ୍ତ ମେଧାବୃତ୍ତି ପ୍ରଦାନ କରାଯିବ। ଏହି ବୃତ୍ତି ପାଇଁ ଆବେଦନ କରିଥିବା ୧୦୬୫ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷମାନେ ସେଗୁଡ଼ିକର ତର୍ଜମା କରିବା ପରେ ନଭେମ୍ବର ଶେଷ ସୁଦ୍ଧା ପ୍ରତି ପିଲାଙ୍କୁ ୧୦ ହଜାର ଟଙ୍କା ଲେଖାଏ ଦିଆଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟସ୍ତରରେ ୧୦ ହଜାର ଛାତ୍ରଛାତ୍ରୀଙ୍କୁ ଦୁଇ ବର୍ଷ ପାଇଁ କନିଷ୍ଠ ମେଧାବୃତ୍ତି ପ୍ରଦାନ ପାଇଁ ଅନ୍‌ଲାଇନ୍‌ ଆବେଦନ ପାଇଁ ଇତି ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାବ୍ୟତୀତ ଏନ୍‌ଆର୍‌ଟିଏସ୍‌ ପରୀକ୍ଷା ଲାଗି ବିଏସ୍‌ଇ(ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ) ଦ୍ୱାରା ପଦକ୍ଷେପ ନିଆଯାଇଛି। ଏଫ୍‌ଏଲ୍‌ଏନ୍‌କୁ ଗୁରୁତ୍ୱ ପ୍ରଦାନ ସହ ଏସ୍‌ସିଇଆର୍‌ଟି ଓ ଓସେପା ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ହାତକୁ ନେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଶିକ୍ଷକମାନଙ୍କର ରେସନାଇଲେଜସନ୍‌ ସହ ବଦଳି ପ୍ରକ୍ରିୟାକୁ ନଭେମ୍ବର ୩୦ ସୁଦ୍ଧା ସାରିବାକୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ପ୍ରତି ମାସ ଦ୍ୱିତୀୟ ଶନିବାର ସ୍କୁଲରେ ଅଭିଭାବକ ଓ ଶିକ୍ଷକ ବୈଠକ(ପିଟିଏ) କରାଯିବ।

ଅନ୍ୟପକ୍ଷରେ ହିନ୍ଦୀ, ପିଇଟି ଓ ସଂସ୍କୃତ ଶିକ୍ଷକ ପରୀକ୍ଷାର ଫଳ ପ୍ରକାଶ ପାଇଛି। ତେଣୁ ଆବଶ୍ୟକତା ଭିତ୍ତିରେ ଜିଲ୍ଲାଗୁଡ଼ିକରେ ସେମାନଙ୍କର ପୋଷ୍ଟିଂ କରିବା ପାଇଁ କୁହାଯାଇଛି। ରୂପାନ୍ତରିତ ସ୍କୁଲ ଓ ‘ମୋ ସ୍କୁଲ’ ବିଦ୍ୟାଳୟଗୁଡ଼ିକରେ ବ୍ୟାପକ ଭାବେ ଅର୍ଥ ବିନିଯୋଗ କରି ବିଭିନ୍ନ ସାମଗ୍ରୀ କରାଯାଇଛି। ସେଗୁଡ଼ିକର ସୁପରିଚାଳନା ପାଇଁ ସଂପତ୍ତି ରେଜିଷ୍ଟର, ସୂଚନା ଫଳକ ଓ ସାମାଜିକ ସମୀକ୍ଷା, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ଓସେପା ପକ୍ଷରୁ ଦିଆଯାଇଥିବା ଅର୍ଥର ବିନିଯୋଗ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ରୂପାନ୍ତରିତ ବିଦ୍ୟାଳୟର ଡିଜିଟାଲ୍‌ ପାଠାଗାର ଓ ନ୍ୟାସନାଲ ଡିଜିଟାଲ୍‌ ଲାଇବ୍ରେରି ୱେବସାଇଟ୍‌ ମାଧ୍ୟମରେ ଛାତ୍ରଛାତ୍ରୀ ବିଭିନ୍ନ ପରୀକ୍ଷା ପାଇଁ ପ୍ରଶ୍ନପତ୍ର, ଟେଷ୍ଟ ବୁକ୍‌, ଷ୍ଟୋରୀ ବୁକ୍‌ ତଥା ଅନ୍ୟାନ୍ୟ ଆବଶ୍ୟକ ବହି ପଢ଼ିପାରିବେ। ଛାତ୍ରଛାତ୍ରୀଙ୍କ ଲିଖନ ଅଭ୍ୟାସ ପାଇଁ ହସ୍ତାକ୍ଷର, ଶ୍ରୁତଲିଖନ, ରଚନା ଓ ପତ୍ରଲିଖନ ଉପରେ ଗୁରୁତ୍ୱ ଦିଆଯିବ। ଏହାବ୍ୟତୀତ ବିଭିନ୍ନ ପ୍ରକାର ପ୍ରତିଭାର ଚିହ୍ନଟ ଓ ବିକାଶ ପାଇଁ ସହପାଠ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଦ୍ୟାଳୟସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ କରାଯିବ। ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ସହପାଠ୍ୟ କାର୍ଯ୍ୟକ୍ରମ ସହ ସେମାନଙ୍କର ଶିକ୍ଷଣ ସ୍ଥିତି ଆକଳନ ପାଇଁ ବେସ୍‌ଲାଇନ୍‌ ଟେଷ୍ଟ କରି ପ୍ରତିଯୋଗିତାମୂଳକ ଶିକ୍ଷା ଦିଆଯିବ। ଏହି ବୈଠକରେ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦଙ୍କ ସମେତ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ।