ପୁରୀ: ଐତିହ୍ୟ ପୁଷ୍କରିଣୀ ପଥର ପୋଖରୀର ପୁନରୁଦ୍ଧାର କରାଯିବ। ମେଡିକାଲ ଛକରୁ ବାଟ ଗାଁ’ ରାସ୍ତା ପ୍ରଶସ୍ତୀକରଣ ସହ ନୂଆ ରୂପ ପାଇବ ମହାପ୍ରଭୁଙ୍କ ନୀତକାନ୍ତି ସହ ଜଡ଼ିତ ପୁଷ୍କରିଣୀ। ମା’ ଅଲାମ ଚଣ୍ଡୀ ମନ୍ଦିର ସମ୍ମୁଖ ଏହି ପୋଖରୀର ପୁନରୁଦ୍ଧାର ପାଇଁ ୧୪ଲକ୍ଷ ୯୫ ହଜାର ଟଙ୍କା ବ୍ୟୟ ହେବ। ମୁକ୍ତା ଯୋଜନାରେ ଏହି ପୁଷ୍କରିଣୀର ପୁନରୁଦ୍ଧାର ଓ ନବୀକରଣ ଦାୟିତ୍ବ ନେବେ ସ୍ବୟଂ ସହାୟକ ଗୋଷ୍ଠୀ। ଫଳରେ ବହୁଦିନ ହେଲା ଅବହେଳିତ ହୋଇ ପଡ଼ି ରହିଥିବା ପଥର ପୋଖରୀର ଭାଗ୍ୟ ଫେରିବାକୁ ଯାଉଛି।
ପୂର୍ବରୁ ମଧ୍ୟ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ପୋଖରୀର ଭିତ୍ତିଭୂମି ସଜଡ଼ା ଯାଇଛି। ନିମ୍ନମାନର କାମ ଓ ଦୂରଦୃଷ୍ଟିର ଅଭାବ ଯୋଗୁ ପାଚେରି ଭୁଶୁଡ଼ି ଯାଇଥିଲା। ମୋଟା ଅଙ୍କର ଅର୍ଥ ବ୍ୟୟ ହେବା ପରେ ମଧ୍ୟ ସେସବୁ ଭାଙ୍ଗିରୁଜି ଯାଇଥିଲା। ଏବେ ରାସ୍ତା ସଂପ୍ରସାରଣ ପୂର୍ବରୁ ପୋଖରୀ ନିକଟରେ ଡ୍ରେନ୍ ନିର୍ମାଣ କରାଯାଉଛି। କିଛିଦିନ ତଳେ ପୁଷ୍କରିଣୀର ଉନ୍ନତୀକରଣ ପାଇଁ ୨୨ ନମ୍ବର ୱାର୍ଡର କୁମ୍ଭାରପଡ଼ା ଆଞ୍ଚଳିକ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଥିଲା। ତେଣୁ ମୁକ୍ତା ଯୋଜନାରେ ପୁଷ୍କରିଣୀର ପୁନରୁଦ୍ଧାର ସହ ଅଲାମ ଚଣ୍ଡୀ ମନ୍ଦିର ନିକଟ ଖୋଲା ଜମିକୁ ପାର୍କର ରୂପ ଦିଆଯିବ। ପାର୍କ ପାଇଁ ୮ଲକ୍ଷ ଟଙ୍କା ଖର୍ଚ୍ଚ ହେବ।
ମହାପ୍ରଭୁଙ୍କ ନବକଳେବର ସମୟରେ ବନଯୋଗ ଯାତ୍ରା ସହ ଅଲାମଚଣ୍ଡୀ ମନ୍ଦିର ଓ ପୁଷ୍କରିଣୀ ସମ୍ବନ୍ଧିତ। ତେଣୁ ୨୦୧୫ ମସିହାରେ ନବକଳେବର ସମୟରେ ୨୭ ଲକ୍ଷ ଟଙ୍କା ବ୍ୟୟରେ ଏହାର ମରାମତି ଓ ପୁନରୁଦ୍ଧାର କରାଯାଇଥିଲା। କିନ୍ତୁ ବର୍ଷେ ନପୂରୁଣୁ ପୋଖରୀର ପାଚେରି ଭାଙ୍ଗିଯାଇଥିଲା। ପାହାଚଗୁଡ଼ିକ ନଷ୍ଟ ହୋଇଯାଇଥିଲା। ଏନେଇ ଅଭିଯୋଗ ପରେ ପୁଣି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏହାର ମରାମତି କରାଗଲା। ଏହା ସତ୍ତ୍ବେ ଏବେ ପୁଣି ପବିତ୍ର ପଥର ପୁଷ୍କରିଣୀ ଗୋଟିଏ ପାର୍ଶ୍ବର ପାଚେରି ଧସିଯାଇଛି। ପୁଷ୍କରିଣୀ ମଧ୍ୟରେ ଓ ବାହାରେ ବର୍ଜ୍ୟବସ୍ତୁ ଜମା ହୋଇ ରହିଛି। ପୁଷ୍କରିଣୀ ଚତୁଃପାର୍ଶ୍ବରେ ବଡ଼ ଗଛ ସବାର ହୋଇ ପୁରୁଣା କାନ୍ଥ ଫଟେଇଲାଣି। ଏହା ମଧ୍ୟରେ ନଳାପାଣି ପଶୁଛି। ଅବରୋଧରେ ଲଗାମ ନାହିଁ। ଲୁହା ବାଡ଼ ଦିଆାଇଥିଲେ ହେଁ ଏହା ତଳେ କାନ୍ଥର ସପୋର୍ଟ ନାହିଁ। ପୁନରୁଦ୍ଧାର ବେଳେ ଏ ସମସ୍ତ ଦିଗକୁ ଗୁରୁତ୍ବ ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।