ବନ୍ତଳା: ଅନୁଗୁଳର ପଥରଗଡ଼ ମଦ ମୃତ୍ୟୁ ମାମଲାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଗତକାଲି ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ, ପ୍ରମୋଦ ସାହୁ। ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ଆଜି ରାଜସ୍ବ, ପୁଲିସ ଓ ଅବକାରୀ ବିଭାଗର ଅଧିକାରୀ ପଥରଗଡ଼କୁ ଯାଇ ତଦନ୍ତ କରିଛନ୍ତି। ଅବକାରୀ ବିଭାଗ ଠିକାଦାରର ବାଲିଜେରେଂଗ ଗାଁସ୍ଥିତ ଘରେ ଚଢ଼ଉ କରି ୪ ଲିଟର ସ୍ପିରିଟ୍(ଇଣ୍ଡଷ୍ଟ୍ରିଆଲ ସଲ୍‌ଭେଣ୍ଟ) ଜବତ କରିଥିବାବେଳେ ସନ୍ଧ୍ୟାରେ ପୁଲିସ୍‌ ଫେରାର ଅଭିଯୁକ୍ତ କାଳିଆ ଦେହୁରୀକୁ ଧରିଛି। ଅନ୍ୟ ଜଣେ ଅଭିଯୁକ୍ତ ବସନ୍ତ ଦେହୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଗାଁ ଲୋକଙ୍କଠାରୁ ପ୍ରାପ୍ତ ସୂଚନା ଅନୁସାରେ, ରବିବାର ଦିନ ଅନୁଗୁଳ ବ୍ଲକ୍‌ ଶରଧାପୁର ପଞ୍ଚାୟତ ପଥରଗଡ଼ ଗ୍ରାମରେ ସୁବାସ ସାହୁଙ୍କ ଏକ ନୂତନ ଘରର ଛାତ କାର୍ଯ୍ୟ ଚାଲିଥିଲା। ଘର ମାଲିକ ସୁବାସ ଏହି କାର୍ଯ୍ୟକୁ ବାଲିଜେରଙ୍ଗ ଗ୍ରାମର କାଲିଆ ଦେହୁରୀଙ୍କୁ ଠିକା ଦେଇଥିଲେ। କାଲିଆ ପଥରଗଡ଼ ଗାଁର ଅନିଲ ପଧାନ ଓରଫ କଇରା(୨୦), ଟୁକୁନା ପଧାନ(୩୦), ସେଟ୍ରିଂ ମିସ୍ତ୍ରି ଶଶିକାନ୍ତ ଦେହୁରୀ(୩୦)ଙ୍କ ସମେତ ଏହି କାମରେ ୧୫/୨୦ ଜଶ ଶ୍ରମିକଙ୍କୁ ନିୟୋଜିତ କରିଥିଲା।

Advertisment

ଛାତ କାମ ଚାଲିଥିବାରୁ ଠିକାଦାର ସମସ୍ତଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା କରିଥିଲା। ସେଠାରେ ରୋଷେଇ କରାଯିବା ସହିତ କାଳିଆ ପିଇବା ପାଇଁ ମହୁଲି ମଦ ବ୍ୟବସ୍ଥା ମଧ୍ୟ କରିଥିଲା। କାମ ସରିବା ପରେ ସମସ୍ତେ ମଦ ପିଇବା ସହ ଖିଆପିଆ କରି ଘରକୁ ଫେରିଥିଲେ। କିନ୍ତୁ, ମହୁଲି ମଦପିଇ ଗ୍ରାମର ଅନିଲ ପଧାନ(କଇରା)ଙ୍କର ପ୍ରଥମେ ବାନ୍ତି ହୋଇଥିଲା। ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ରବିବାର ରାତି ପ୍ରାୟ ୯ଟା ବେଳକୁ ତାଙ୍କୁ ସ୍ଥାନୀୟ ଏକ କ୍ଲିନିକ୍‌କୁ ନେବାବେଳେ ବାଟରେ ସେ ଆଖି ବୁଜିଥିଲେ। ସେହିପରି ସମାନ ଢଙ୍ଗରେ ଟୁକୁନା ପଧାନଙ୍କ ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିଲା। ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଗ୍ରାମର କେତେକ ଲୋକ ଘଟଣାକୁ ଚପାଇବାକୁ ଉଦ୍ୟମ କରିବା ସହିତ ରାତାରାତି ଦୁଇ ମୃତକଙ୍କ ଶବକୁ ପୋଡ଼ି ଦେଇଥିଲେ। ପରବର୍ତ୍ତୀ ସମୟରେ ଗ୍ରାମର ଶଶିକାନ୍ତ ଦେହୁରୀ ଓ ବାସୁଦେବ ପଧାନ(୩୨)ଙ୍କ ବାନ୍ତି ହେବା ସାଙ୍ଗକୁ ଦେହ ଅସୁସ୍ଥ ହୋଇପଡ଼ିବାରୁ ସୋମବାର ଦିନ ତାଙ୍କୁ ପରିବାର ଲୋକେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ, ସୋମବାର ଦିନ ୩ଟାରେ ଶଶିକାନ୍ତଙ୍କ ମୃତ୍ୟୁ ଘଟିଥିଲା। ଭୋଜିର ରୋଷେୟା ପ୍ରମୋଦ ସାହୁ(୪୪) ମଧ୍ୟ ସେମାନଙ୍କ ସହିତ ମହୁଲି ମଦ ପିଇଥିବାରୁ ତାଙ୍କୁ ଅସୁସ୍ଥ ଭାବରେ ସୋମବାର ବିଳମ୍ବିତ ରାତିରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ଦିନ ଅପରାହ୍‌ଣ ଦେଢ଼ଟାରେ ପ୍ରମୋଦଙ୍କ ମୃତ୍ୟୁ ଘଟିଥିଲା। ଏଥିସହିତ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି।

ଅପରପକ୍ଷେ, ଗୁରୁତରଙ୍କ ମଧ୍ୟରୁ ବାସୁଦେବଙ୍କୁ ସନ୍ଧ୍ୟାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ବସନ୍ତ ଦେହୁରୀ(୪୨), ରୋହନ ପଧାନ(୨୨) ଓ ସୁଶାନ୍ତ ଦେହୁରୀ(୩୪) ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି। ଅବକାରୀ ଅଧୀକ୍ଷକ ରମେନ୍ଦ୍ର ନାୟକଙ୍କ ତତ୍ତ୍ବାବଧାନରେ ବିଭାଗୀୟ କର୍ମଚାରୀମାନେ ବାଲିଜେରଂଗରେ ଚଢ଼ଉ କରି କାଳିଆ ଦେହୁରୀ ଘରୁ ଏକ ଜାର୍‌ରେ ଥିବା ୪ ଲିଟର ସ୍ପିରିଟ୍ ଜବତ କରିଛନ୍ତି। ଅପରପକ୍ଷରେ ଏହି ଘଟଣାରେ ଆଇପିସିର ଦଫା ୨୭୨/୨୭୩/୩୦୪/୩୨୩/୩୨୫ ଏବଂ ଓଡ଼ିଶା ଅବକାରୀ ଆଇନ-୨୦୦୮ର ଧାରା ୫୨(ଏ)/୫୯(ଏ)/୫୯(ସି)ରେ କାଳିଆ ଦେହୁରୀ ଓ ବସନ୍ତ ଦେହୁରୀ ନାମରେ ମାମଲା ରୁଜୁ କରାଯାଇଛି। ଠିକାଦାର କାଳିଆ ବେଆଇନ ଭାବ‌େ ଜଂଗଲରେ ମଦ ତିଆରି କରିଥାଏ। ନିର୍ମାଣ ଶ୍ରମିକ ଭାବ‌େ କାମ କରିବା ସହିତ ବସନ୍ତ ଦେହୁରୀ ଓ ଶଶିକାନ୍ତ ଦେହୁରୀ ଠିକାଦାର କାଳିଆକୁ ମଦ ତିଆରିରେ ବି ସହଯୋଗ କରିଥା’ନ୍ତି। ଶ୍ରମିକମାନଙ୍କୁ ପାରିଶ୍ରମିକ ସହିତ ନିଜେ ତିଆରି କରୁଥିବା ମଦ ମଧ୍ୟ ସେ ଦେଇଥାଏ। ଡାକ୍ତରଖାନାରେ ପ୍ରାଣ ହରାଇଥିବା ଦୁଇ ମୃତକଙ୍କ ଭିସେରା ଓ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଏସବୁ ରିପୋର୍ଟ ଆସିବା ପରେ କେଉଁ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହେବ ବୋଲି ଏସ୍‌ପି ଶ୍ରୀ ମୀନା ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି।