ଭୁବନେଶ୍ବର: ବାତ୍ୟା ‘ପେଥାଇ’ ପ୍ରଭାବ ସାରା ଓଡ଼ିଶାରେ ପଡ଼ିଛି। ସବୁ ଜିଲ୍ଲାରେ ବର୍ଷା ହୋଇଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ଚାଷୀଙ୍କ ବିଚଳିତ ହୋଇପଡିଲେଣି। ଅର୍ଧାଧିକ ଜିଲ୍ଲାରେ ଧାନ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି। ପ୍ରଶାସନ ଆଗୁଆ ସତର୍କ କରାଇଥିଲେ ହେଁ ଜମିରୁ ଧାନ ଅମଳ କରିପାରି ନାହାନ୍ତି ଚାଷୀ। ଖଳାରେ ଆଣ୍ଠୁଏ ଉଚ୍ଚର ପାଣିରେ ଧାନ ପଡ଼ି ରହିଛି। ଅମଳ ହୋଇଥିବା ଧାନ ମଣ୍ଡିକୁ ଯାଇ ନପାରି ଖଳାରେ ପଡ଼ି ରହିଛି।  କୋରାପୁଟରୁ ବଲାଙ୍ଗୀର, ବରଗଡ଼ରୁ ଝାରସୁଗୁଡ଼ା; ସବୁଠି ସମାନ ଅବସ୍ଥା। ସ୍ଥିତିକୁ ନେଇ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି। ବିଲରେ ଆଣ୍ଠୁଏ ଆଣ୍ଠୁଏ ପାଣିରେ ବୁଡି ରହିଛି ଧାନ। ଧାନକୁ ଉଠାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ସମ୍ଭବପର ହେଉନାହିଁ। ସେପଟେ ଖଳାକୁ ଆସିଥିବା ଧାନ ଅମଳ େହାଇପାରିନାହିଁ।

Advertisment

ଶୀତଦିନିଆ ପନିପରିବା ମଧ୍ୟ ‘ପେଥାଇ’ ମାଡ଼ରେ ଉଜୁଡି ଯାଇଛି। କପା ଅମଳ ସମୟ ହୋଇଯାଇଥିଲା। ଚାଷ ଗଭୀର ପ୍ରଭାବିତ ହୋଇଛି। ଏ କ୍ଷେତ୍ରରେ ଫସଲ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନିଆଯାଇଥିବା ରାଜ୍ୟ ସରକାର କହିଥିଲେ ମଧ୍ୟ ତାହା ସମ୍ଭବପର ହୋଇନାହିଁ। ଅନ୍ୟପକ୍ଷରେ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀ ଜିଲ୍ଲାପାଳମାନଙ୍କୁ ରି‌ପୋର୍ଟ ମାଗିଛନ୍ତି। ଶ୍ରୀ ସେଠୀ କହିଛନ୍ତି ଯେ ଅଦିନିଆ ବର୍ଷାରୁ ରକ୍ଷା ପାଇବା ପାଇଁ ଚାଷୀମାନେ ପଦକ୍ଷେପ ନେଇଥିଲେ। ତଥାପି କିଛି ସ୍ଥାନରେ ଖରିଫ ଫସଲ ନଷ୍ଟ ହୋଇଛି। ତେଣୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଓ କୃଷି ବିଭାଗ ମିଳିତର ମିଳିତ ଟିମ୍‌ କ୍ଷୟକ୍ଷତିର ଆକଳନ କରନ୍ତୁ। ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଥିବା ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କ୍ଷତିପୂରଣ ମିଳିବ। ତେଣୁ ଚାଷୀଙ୍କ ନାମ, ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଦାଖଲ କରିବାକୁ କୁହାଯାଇଛି।

୧୦୦ ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା

ପଶ୍ଚିମ ଓଡ଼ିଶାରେ ଅଧିକ, ଉପକୂଳରେ କମ୍

ସ୍ବତନ୍ତ୍ର ରିଲିଫ୍‌ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ କରିବାକୁ ରାଜ୍ୟରେ ହାରାହାରି ୩୭.୫ ମିମି ବର୍ଷା ହୋଇଛି। ପୁରୀ‌, ଯାଜପୁର, ବାଲେଶ୍ବର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତ୍‌ସିଂହପୁର ବ୍ୟତୀତ ଅନ୍ୟ ଜିଲ୍ଲାଗୁଡ଼ିକ ପ୍ରଭାବିତ ହୋଇଛି। ୧୦୦ଟି ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି। ୬୯ଟି ବ୍ଲକରେ ୬୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାର ଗୁରୁଢ଼ିଆରେ ସର୍ବାଧିକ ୯୭ ମିମି ବର୍ଷା ହୋଇଥିବା ବେଳେ ବରଗଡ଼ ଜିଲ୍ଲାର ପଦ୍ମପୁରରେ ୯୬.୨, ଝାରସୁଗୁଡ଼ା ଜିଲ୍ଲା କିରିମିରାରେ ୯୬, ଗଜପତି ଜିଲ୍ଲାର କାଶିନଗରରେ ୯୫, ବଲାଙ୍ଗୀରରେ ୯୨.୪, ସୁନ୍ଦରଗଡ଼ ଜିଲ୍ଲାର କୋରିଆରେ ୯୧, ଲହୁଣିପଡ଼ାରେ ୯୦ ମିମି ବର୍ଷା ହୋଇଛି।  ଜିଲ୍ଲା‌ ଅନୁଯାୟୀ ଦେଖିଲେ ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ୭୫.୩, ସମ୍ବଲପୁରରେ ୭୩.୫, ସୁନ୍ଦରଗଡ଼ରେ ୭୧.୮, ବରଗଡ଼ରେ ୭୧.୫,  ଦେବଗଡ଼ରେ ୬୮.୩, ସୋନପୁରରେ ୬୭.୭, ଗଜପତିରେ ୬୬.୬, ବୌଦ୍ଧରେ ୫୫.୪ ମିମି ବର୍ଷା ରେକର୍ଡ କରାଯାଇଛି। ଅନ୍ୟ ସମସ୍ତ ଜିଲ୍ଲାରେ ୫୦ ମିମିରୁ କମ୍‌ ବର୍ଷା ହୋଇଛି। କିଛି ମାସ ପୂର୍ବରୁ ବାତ୍ୟା ‘ତିତ୍‌ଲି’ ମାଡ଼ରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିଲା। ଆଉ ଏବେ ଅଦିନିଆ ବର୍ଷା ଚାଷୀଙ୍କ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହୋଇଛି। ଅଦିନିଆ ବର୍ଷା ପରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟସ୍ଥିତ କୃଷି ପାଣିପାଗ ଉପବିଭାଗ ଏବଂ କୃଷି ନିର୍ଦେଶାଳୟ ପକ୍ଷରୁ ଚାଷୀଙ୍କ ପାଇଁ ଉପଦେଶ ଜାରି ହୋଇଛି। ଖରାଟିଆ ଧାନ ଓ ପନିପରିବା ନର୍ସରୀ, ଚାଷ ଜମି, ଆଳୁ ଓ ପିଆଜ କ୍ଷେତରୁ ଅତ୍ୟଧିକ ଜଳ ନିଷ୍କାସନ କରିବାକୁ ପରାମର୍ଶ ଦିଆଯାଇଛି। ବର୍ଷା ଯୋଗୁଁ ବନ୍ଧା କୋବି ଓ ଫୁଲ କୋବିକୁ ସଢ଼ିବାରୁ ରକ୍ଷା କରିବା ପାଇଁ ୧.୫ ଗ୍ରାମ ଷ୍ଟ୍ରେପଟୋସାଇକ୍ଲିନ୍‌ ପ୍ରତି ୧୦ ଲିଟର ପାଣିରେ ମିଶାଇ ସିଞ୍ଚନ କରିବାକୁ କୁହାଯାଇଛି।