ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ରେ ପଶୁପକ୍ଷୀଙ୍କ ପାଇଁ ‘ପାଥୋ ୟୁନିଟ’ ଖୋଲିବ। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ଶଶି ପାଲ ଗୁରବାର ଏହି ସୂଚନା ଦେଇଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଲ କହିଛନ୍ତି, ଏହି ୟୁନିଟରେ ଜଣେ ଡାକ୍ତର ଓ ୨ ଟେକ୍ନିସିଆନ କାମ କରିବେ। ପାଥୋ ୟୁନିଟରେ ପଶୁପକ୍ଷୀଙ୍କୁ ହେଉଥିବା ରୋଗର ପ୍ରାଥମିକ ପରୀକ୍ଷା ପରେ ଓୟୁଏଟି (ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ)ରେ ପରୀକ୍ଷା ହେବ। ସୂଚନାଯୋଗ୍ୟ ନନ୍ଦନକାନନ ଚିଡିଆଖାନାରେ ଏକ ମାସ ମଧ୍ୟରେ ୪ଟି ହାତୀଙ୍କର ମୃତ୍ୟୁ ଘଟିବା ପରେ କର୍ତ୍ତୃପକ୍ଷ ଅଧିକ ସଚେତନ ହୋଇଛି। ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି।