ପଟିଆ ରେଳ ଷ୍ଟେସନ ରାସ୍ତା ସମ୍ପ୍ରସାରଣ: ଜବରଦଖଲ ଉଚ୍ଛେଦ, ଆଗେଇବ କାମ

ଚନ୍ଦ୍ରଶେଖରପୁର: ଶୋଚନୀୟ ‌ହୋଇପଡ଼ିଥିବା ପଟିଆ ଷ୍ଟେସନ ରାସ୍ତାର ନବକଳେବର କରାଯିବ। ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପରେ ଗତ ଡିସେମ୍ବର ୨୫ରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ଏହି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପାଖାପାଖି ୮ କୋଟି ଟଙ୍କା ବ୍ୟୟରେ ପଟିଆ ବିଗ୍‌ ବଜାର ସମ୍ମୁଖ ପେଟ୍ରୋଲ ପମ୍ପ ନିକଟରୁ ପଟିଆ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ହୋଇଛି। ଜବରଦଖଲ ଲାଗି ଦେଢ଼ କିମି ବିଶିଷ୍ଟ ଏହି ରାସ୍ତା କାର୍ଯ୍ୟ ଆଗେଇ ପାରୁ ନ ଥିଲା ଏବଂ ସମସ୍ୟା ଦିନକୁ ଦିନ ବଢ଼ୁଥିଲା। ‌ପ୍ରତିଦିନ ଏହି ରାସ୍ତାରେ ଲୋକେ ଦୁର୍ଘଟଣାର ଶିକାର ହେଉଥିବା ନଜରକୁ ଆସିବା ପରେ ଆଜି ବିଏମ୍‌ସି, ବିଡିଏ ଓ କମିସନରେଟ୍‌ ପୁଲିସର ମିଳିତ ଟିମ୍‌ ଜବରଦଖଲ ଉଚ୍ଛେଦ କରିଛି।

ଉଭୟଙ୍କ ମିଳିତ ସହଯୋଗରେ ପଟିଆ ଷ୍ଟେସନ୍ ରୋଡ ଏବଂ କ୍ରୁଟ୍ ବସ୍ ଟର୍ମିନାଲ ସମ୍ମୁଖ ୨୦୦ ପୁଟିଆ ପ୍ରସ୍ତାବିତ ରାସ୍ତାରେ ହୋଇଥିବା ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଛି। ସେହିପରି ପଟିଆ ବିଗ୍‌ବଜାର ଛକରୁ ରେଳଷ୍ଟେସନ୍ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ନିମନ୍ତେ ଆଉ ଏକ ଉଚ୍ଛେଦ କରାଯାଇଥିଲା। ଏଥିରେ ୧୬ଟି ଦୋକାନ ଓ ହୋଟେଲ, ପାଖାପାଖି ୫୦୦ ମିଟର ଲମ୍ବାର ପାଚେରି, ଦୁଇଟି ଘରର ଗ୍ରିଲ୍ ଓ ସିଢ଼ି, ୬ଟି କେବିନ୍, ୨୯ଟି ଅସ୍ଥାୟୀ ପରିବା ଓ ଆମିସ ଦୋକାନକୁ ହଟାଇ ଦିଆଯାଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ଏକ ପ୍ଲାଟୁନ୍ ରିଜର୍ଭ ଫୋର୍ସ, ଗୋଟିଏ ସେକ୍ସନ୍ ମହିଳା ପୁଲିସ ମୁତୟନ କରାଯାଇଥିଲା। ଉଚ୍ଛେଦ କାର୍ଯ୍ୟରେ ବିଡିଏ ଓ ବିଏମ୍‌ସି ପକ୍ଷରୁ ଗୋଟିଏ ଲେଖାଏଁ ଏକ୍ସାଭେଟର୍‌ ନିୟୋଜିତ ହୋଇଥିଲା। ଉଚ୍ଛେଦ ସମୟରେ ବିଡିଏ ଏନ୍‌ଫୋର୍ସମେଣ୍ଟ ଅଫିସର ପ୍ରମୋଦ ପାତ୍ର, ଲିଆସନିଂ ଅଫିସର୍‌ ଶୁଭ୍ରାଂଶୁ ଶେଖର ମହାନ୍ତି, ଏସିପି ରମେଶ ଚନ୍ଦ୍ର ବିଶୋଇ, ବିଡିଏ ଏସ୍‌ଡିଓ ରେବତୀ କାନୁନଗୋ ଓ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।
ଏହି ରାସ୍ତା ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ୫ଟି ପଞ୍ଚାୟତକୁ ମୁଖ୍ୟ ରାସ୍ତା ଭାବେ ସଂଯୁକ୍ତ ହୋଇଛି। ଗ୍ରାମବାସୀଙ୍କ ପାଇଁ ଉପଲବ୍ଧ ସମସ୍ତ ମୌଳିକ ଆବଶ୍ୟକତା ଯେମିତିକି ବିଦ୍ୟାଳୟ, କଲେଜ, ହସ୍ପିଟାଲ୍, ବ୍ୟାଙ୍କ୍, ଅଫିସ୍ ଆଦିରେ ପହଞ୍ଚିବା ପାଇଁ ସେମାନେ ଏହି ରାସ୍ତା ଉପରେ ନିର୍ଭରଶୀଳ। ଏହି ରାସ୍ତାଟି ପଟିଆ ଅଞ୍ଚଳକୁ ଭୁବନେଶ୍ବର-କଟକକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୧୬ ସହ ମଧ୍ୟ ସଂଯୋଗ କରୁଛି। ଏଠାରେ ଥିବା ରେଳଲାଇନ୍‌ ଦେଇ ପ୍ରତିଦିନ ବହୁ ଟ୍ରେନ୍ ଯାତାୟାତ କରୁଥିବାରୁ ଯାତ୍ରୀମାନେ ମଧ୍ୟ ପଟିଆ ଷ୍ଟେସନକୁ ଉକ୍ତ ରାସ୍ତା ଦେଇ ଯାଇଥା’ନ୍ତି। ରାସ୍ତା ଅବସ୍ଥା ଏବେ ମରଣଯନ୍ତା ପାଲଟିଥିବାରୁ ଅଞ୍ଚଳର ପ୍ରାୟ ୪୦ ହଜାର ଲୋକଙ୍କ ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହେଉଛି। ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ସମୟ ନଷ୍ଟ ହେବା ସହ ଆମ୍ବୁଲାନ୍ସ ସେବା ମଧ୍ୟ ବିଳମ୍ବିତ ହେଉଛି।

ସମ୍ବନ୍ଧିତ ଖବର