ଓଡ଼ିଶା ପାଇଁ ଘୋର ବିପତ୍ତିର ବର୍ଷ ଥିଲା ୧୫୬୮ ମସିହା। ଓଡ଼ିଶାର ଶେଷ ସ୍ବାଧୀନ ହିନ୍ଦୁ ରାଜା ମୁକୁନ୍ଦଦେବଙ୍କ ପରାଜୟ ଓ ନିଧନ, ରାଜ୍ୟରେ ମୁସଲମାନ୍ ଶାସନର ମୂଳଦୁଆ ଏବଂ କୁଖ୍ୟାତ କଳାପାହାଡ଼ର ହିନ୍ଦୁ ମନ୍ଦିର ଆକ୍ରମଣ ଓ ଲୁଣ୍ଠନ; ସବୁ ଅଘଟଣ ଏଇ ବର୍ଷକରେ ଘଟିଗଲା। ବଙ୍ଗ ନବାବ ଆଫଗାନି ପଠାଣ ସୁଲେମାନ୍ ଖାନ୍ କର୍ରାନୀ ଓଡ଼ିଶା ଜୟ କରିଥିଲେ ହେଁ ମୋଗଲଙ୍କ ଭୟରେ ପୂରା ଦଖଲ କରିପାରିଲେନି। କିଛି ବର୍ଷ ପରେ, ମୋଗଲ ସାମ୍ରାଜ୍ୟ ହାତକୁ ଓଡ଼ିଶାର ଶାସନଭାର ଗଲା।
ସେତେବେଳେ ବାଦ୍ଶାହ ଆକବର୍ ରାଜ୍ୟକୁ ୩ ଭାଗ କରି ଖୋର୍ଦ୍ଧା, ଆଳି, ପଟିଆକୁ ରାଜ୍ୟର ମାନ୍ୟତା ଦେଲେ। ଆଳି ଓ ପଟିଆ ବ୍ୟତୀତ ଉତ୍କଳର ଅବଶିଷ୍ଟ ଅଞ୍ଚଳ ଖୋର୍ଦ୍ଧା ଅଧୀନରେ ରହିଲା। ଏଇଠାରୁ ପଟିଆରେ ଚିରାଚରିତ ଭାବେ ରାଜା ଶାସନ ଆରମ୍ଭ ହେଲା ଓ ପ୍ରଥମ ରାଜା ଭାବେ ଗଜପତି ମୁକୁନ୍ଦଦେବଙ୍କ ସାନପୁଅ ଚକ୍ରଧର ଛକଡ଼ି ଭ୍ରମରବର ରାୟ (ଚକ୍ରଧରଦେବ) ସିଂହାସନ ଆରୋହଣ କଲେ। ପଟିଆର ଏପରି ନାମକରଣ ପାଇଁ ଐତିହାସିକ ଯୁକ୍ତି ବାଢ଼ନ୍ତି ଯେ ରାଜ୍ୟକୁ ଶତ୍ରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ‘ପଟ୍ଟଦୁର୍ଗ’ ନାମରେ ଏକ ଦୁର୍ଗ ନିର୍ମାଣ ହୋଇଥିଲା। ପଟ୍ଟର ଅର୍ଥ ଉତ୍କୃଷ୍ଟ। ଏ ଦୁର୍ଗରେ କଳିଙ୍ଗର ବଛାବଛା ଶ୍ରେଷ୍ଠ ବା ଉତ୍କୃଷ୍ଟ ସୈନ୍ୟ ରହୁଥିବାରୁ ଏହାର ଏପରି ନାମକରଣ ହୋଇଥିଲା। ପରବର୍ତ୍ତୀ ସମୟରେ ତାହା ‘ପଟିଆ’ ନାମରେ ଜଣାଶୁଣା ହେଲା। କିନ୍ତୁ କିଛି ଐତିହାସିକଙ୍କ ମଧ୍ୟରେ ଏହାକୁ ନେଇ ଭିନ୍ନମତ ରହିଛି।
୮ ସାହି, ୩ ହଜାର ଲୋକ
ଗାଁରେ ୮ଟି ସାହି ରହିଛି। ୫୦ ବର୍ଷ ତଳେ ଗାଁରେ ୩ ଶହ ପରିବାରରେ ପାଖାପାଖି ୧୨ ଶହ ଲୋକ ରହୁଥିଲେ। ବର୍ତ୍ତମାନ ତାହା ୫ଶହ ପରିବାରକୁ ବୃଦ୍ଧି ପାଇଲାଣି। ଲୋକସଂଖ୍ୟା ବି ୩ ହଜାର ଟପିଗଲାଣି। ରାଜ୍ୟ ରାଜଧାନୀ ହୋଇଥିବାରୁ ରାଜାଙ୍କ ସେବା ପାଇଁ ପଟିଆରେ ସବୁ ସମ୍ପ୍ରଦାୟର ଲୋକମାନେ ରହୁଥିଲେ। ମୂଳବାସିନ୍ଦାଙ୍କୁ ଛାଡ଼ିଦେଲେ, ଗାଁରେ ଭଡ଼ା ରହୁଥିବା ଲୋକଙ୍କ ସଂଖ୍ୟା ମୂଳ ଅଧିବାସୀଙ୍କଠାରୁ ଚାରିଗୁଣ ଅଧିକ ହେବ। ଏହି ଗାଁର ମୋରମ୍ ଖଣି ଓ ବୁଦା ଜଙ୍ଗଲରେ ୧୯୯୦ ମସିହାରେ ପ୍ରଥମେ ହାଉସିଂବୋର୍ଡ ପକ୍ଷରୁ କାନନ ବିହାର ଫେଜ୍-୧, ଫେଜ୍-୨ ନିର୍ମାଣ କରାଯାଇଥିଲା। ସେତେବେଳେ ସେଠି ଏଲ୍ଆଇଜି ଘର ୨୦ରୁ ୨୫ ହଜାର ଟଙ୍କାରେ ମିଳୁଥିଲା। ଯାହାର ଦାମ ବର୍ତ୍ତମାନ ଅଢ଼େଇ କୋଟି ହେଲାଣି ବୋଲି ଗ୍ରାମବାସୀମାନେ କହିଛନ୍ତି। ପରବର୍ତ୍ତୀ ସମୟରେ ଗାଁରେ ଗାୟତ୍ରୀବିହାର, ଶ୍ରୀବିହାର, ପଠାଣିବିହାର ଓ ରୟାଲ ଗାର୍ଡେନ୍ ଆଦି ଗଢ଼ି ଉଠିଛି।
ଚନ୍ଦନ ପୋଖରୀରେ ଚାପ ଖେଳୁଛନ୍ତି ନୀଳକଣ୍ଠେଶ୍ବର
ଗଜପତି ମୁକୁନ୍ଦଦେବଙ୍କ ଉତ୍ତରାଧିକାରୀ ଭାବେ ପଟିଆ ରାଜାମାନେ ପୁରୀ ଅନୁକରଣରେ ଏଠାରେ ବାରମାସରେ ତେରପରବ ପାଳନ୍ତି। ଦଶହରା ପର୍ବ ମା’ କନକଦୁର୍ଗାଙ୍କର ଏକ ଶ୍ରେଷ୍ଠପର୍ବ। ଆଶ୍ବିନ ଶୁକ୍ଳପକ୍ଷ ସପ୍ତମୀଠାରୁ ଦଶମୀ ପର୍ଯ୍ୟନ୍ତ ଚାରିଦିନ ଏହି ପର୍ବ ବହୁ ଆଡ଼ମ୍ବରରେ ପାଳନ କରାଯାଏ। ସେହିଭଳି ରଥଯାତ୍ରା, ଦୋଳ ଉତ୍ସବ, ବସନ୍ତରାସ, ଚନ୍ଦନଯାତ୍ରା ଆଦି ବେଶ ଧୁମ୍ଧାମ୍ରେ ପାଳନ ହେଉଛି। ଏବେ ବି ରଥଯାତ୍ରାରେ ପଟିଆ ରାଜା ରଥ ଉପରେ ଛେରାପହଁରା କରୁଛନ୍ତି। ପ୍ରଭୁ ନୀଳକଣ୍ଠେଶ୍ବର ମାସାଧିକ କାଳ ବଡ଼ ପୋଖରୀ ବା ଚନ୍ଦନ ପୋଖରୀରେ ଚାପ ଖେଳୁଛନ୍ତି।
ଗୋଟିଏ ପଥରରେ ନିର୍ମିତ ରାଣୀ ଗାଧୁଆକୁଣ୍ଡ
ରାଜା ରଘୁନାଥଦେବ ବର୍ତ୍ତମାନର କନକଦୁର୍ଗା ମନ୍ଦିର ନିକଟରେ ରାଜପ୍ରସାଦ ନିର୍ମାଣ କରାଇଥିଲେ। ଚତୁଃପାର୍ଶ୍ବକୁ ମାଙ୍କଡ଼ା ପଥରରେ ପ୍ରାଚୀର କରାଇଥିଲେ। ରାଜନଅର କାଳଗର୍ଭରେ ଲୀନ ହୋଇଯାଇଥିଲେ ହେଁ ସ୍ମୃତିସନ୍ତକ ଭାବେ ଏବେ ବି ପଥର ପାଚେରି ଓ ରାଣୀ ଗାଧୁଆକୁଣ୍ଡ ନିଜର ଅସ୍ତିତ୍ବ ଜାରି ରଖିଛି। ୧୦ ଫୁଟ୍ ବ୍ୟାସାର୍ଦ୍ଧ ଓ ୪ ଫଟ୍ ଓସାରର ଏହି ରାଣୀ ଗାଧୁଆକୁଣ୍ଡ ଗୋଟିଏ ପଥରରେ ନିର୍ମିତ। ରାଜପ୍ରସାଦ ସ୍ଥାନରେ ବର୍ତ୍ତମାନ ବହୁତଳ କୋଠା ଛିଡ଼ା ହୋଇଛି। ସେଠି ଏବେ ରାଜା ଦିବ୍ୟସିଂହଦେବ ଓ ତାଙ୍କ ପରିବାର ବସବାସ କରୁଛନ୍ତି।
ପଟିଆ ବନ୍ଧ ପାଇଁ ‘ପଟିଆ କିଲ୍ଲା’ ହୋଇଥିଲା ‘ଲାଲ କିଲ୍ଲା’
ପଟିଆ କିଲ୍ଲାର ଉତ୍ତରପୂର୍ବ ପାଖରେ ଦୀର୍ଘ ୭ ମାଇଲ୍ ପର୍ଯ୍ୟନ୍ତ ଲମ୍ବିଛି କୁଆଖାଇ ନଦୀ (ବାରଙ୍ଗଠାରୁ ମଞ୍ଚେଶ୍ବର ପର୍ଯ୍ୟନ୍ତ)। ନଦୀପାଣି ଯେପରି କିଲ୍ଲାରେ ପ୍ରବେଶ ନ କରିବ, ସେଥିପାଇଁ ରାଜା ସେଠାରେ ଏକ ବନ୍ଧ ତିଆରି କରି ପ୍ରତିବର୍ଷ ତାକୁ ମରାମତି କରୁଥିଲେ। ୧୯୩୧ ମସିହାରେ ରାଜା ଋଣଗ୍ରସ୍ତ ହେବାରୁ ପଟିଆ କିଲ୍ଲା ନିଲାମ ହେଲା। କନିକା ରାଜା ନିଲାମ ଧରି ନିଜ ଅକ୍ତିଆରକୁ ନେଇଗଲେ। ସବୁ ମଉଜାରୁ କର ଆଦାୟ କଲେ। ହେଲେ ବନ୍ଧ ମରାମତି କଲେ ନାହିଁ। ଫଳରେ ନଦୀବନ୍ଧ ଭାଙ୍ଗି ସ୍ଥାନେସ୍ଥାନେ ଘାଇ ହେଲା। ପଟିଆ କିଲ୍ଲାର ଗାଁ, ଚାଷ ଜମି ଓ ଗୋରୁଗାଈମାନଙ୍କ ଅବସ୍ଥା ଦୁର୍ବିଷହ ହୋଇପଡ଼ିଲା। ବହୁ ଚାଷୀ ଚାଷ କାର୍ଯ୍ୟ ଛାଡ଼ି ରେଙ୍ଗୁନ୍, ଟାଟାନଗର, କାଳୀମାଟି ପ୍ରଭୃତି ସ୍ଥାନକୁ କାମ କରିବାକୁ ଗଲେ। ପରବର୍ତ୍ତୀ ସମୟରେ ଗାଁ ଲୋକମାନେ କମ୍ୟୁନିଷ୍ଟ ପାର୍ଟିର ନେତା ବୈଦ୍ୟନାଥ ପ୍ରଧାନ ଓ ରାମକୃଷ୍ଣ ପତିଙ୍କୁ ବନ୍ଧ ମରାମତି ବିଷୟରେ ଜଣାଇଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ନେତୃତ୍ବରେ ପଟିଆ କିଲ୍ଲା ଲୋକମାନେ ଏକାଠି ହେଲେ। ସବୁ ଗାଁର ଲୋକମାନେ ଏକାଠି ହୋଇ ଚାନ୍ଦାଭେଦା କରି ବନ୍ଧ ନିର୍ମାଣ କରିଥିଲେ। କମ୍ୟୁନିଷ୍ଟ ନେତାଙ୍କ ଉଦ୍ୟମରେ ବନ୍ଧ ନିର୍ମାଣ ହେବାରୁ ‘ପଟିଆ କିଲ୍ଲା’କୁ ‘ଲାଲ କିଲ୍ଲା’ ବୋଲି ବି କୁହାଗଲା।
୧୯ଟି ମୌଜା ୨୧ଟି ପଡ଼ାକୁ ନେଇ ‘ପଟିଆ କିଲ୍ଲା’
ଇଞ୍ଜଣା, ସିଙ୍ଗଡ଼ା, ରୋକଟ, ଜରିପାଟଣା, ବରିମୁଣ୍ଡ, କଲ୍ୟାଣପୁର, ଟାଙ୍ଗୀବନ୍ତ, ଗଣ୍ଡରପୁର, ପଦାସାହି, କେନ୍ଦୁପାଟଣା, ବାଲିପଡ଼ା, କଳାଝରୀ, ଡମଣା, କଳାରାହାଙ୍ଗ ଆଦି ୧୯ଟି ଗାଁ ଓ ୨୧ଟି ପଡ଼ା ପଟିଆ କିଲ୍ଲା ଅଧୀନରେ ରହିଥିଲା। ରାଜାଙ୍କ ଶାସନ ସମୟରେ ଏହି ସବୁ ଗାଁର ରାଜଧାନୀ ଥିଲା ପଟିଆ। ଏହି ଗାଁମାନଙ୍କୁ ଖଜଣା ଆଦାୟ କରି ରାଜା ଚଳୁଥିଲେ।
୧୯୭୮ରେ ହେଲା ପଟିଆ ପାସେଞ୍ଜର ହଲ୍ଟ
ରେଳପଥ ହେବା ଦିନଠୁ ଭୁବନେଶ୍ବର ଷ୍ଟେସନ(ସେତେବେଳର ବୁଦ୍ଧେଶ୍ବରୀ) ଓ ବାରଙ୍ଗ ଷ୍ଟେସନ ଥିଲା। ପଟିଆ ଓ ଆଖପାଖ ଅଞ୍ଚଳର ଲୋକମାନେ ଏହି ଷ୍ଟେସନରେ କଟକ ଓ କୋଲକାତା ଯାଉଥିଲେ। ପରବର୍ତ୍ତୀ ସମୟରେ ମଞ୍ଚେଶ୍ବର ରେଳ ଷ୍ଟେସନ ହେଲା। ସ୍ଥାନୀୟ ଲୋକଙ୍କ ଯାତାୟାତରେ ବେଶ୍ ସହାୟ ହେଲା। ସେତେବେଳେ ଗାଁ ଲୋକମାନେ ଆଠଅଣା (୫୦ ପଇସା) ଦେଇ କଟକ ଯାଉଥିଲେ। ସକାଳୁ ପୁରୀ-ତାଳଚେର ଟ୍ରେନ୍ରେ ଯାଉଥିଲେ। ଦିନବ୍ୟାପୀ ନିଜର କାମ ସାରି ସେହି ଟ୍ରେନ୍ରେ ଫେରୁଥିଲେ। ଗାଁର ବିଶିଷ୍ଟ ଆଇନଜୀବୀ ସ୍ବର୍ଗତ ବ୍ରଜବନ୍ଧୁ ଦାସ ଓ ବିଶ୍ବନାଥ ପଶାୟତଙ୍କ ଉଦ୍ୟମରେ ୧୯୪୬ ମସିହାରେ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଏକ ଦରଖାସ୍ତ ରେଲୱେ ଜେନେରାଲ୍ ମ୍ୟାନେଜର୍ଙ୍କ ନିକଟକୁ ପଠାଇଥିଲେ। ବହୁ ବର୍ଷ ପରେ ୧୯୭୭ ମସିହାରେ ପଟିଆ ପାସେଞ୍ଜର ହଲ୍ଟର ପ୍ଲାଟ୍ଫର୍ମ କାମ ଶେଷ ହୋଇଥିଲା। ୧୯୭୮ ଜାନୁଆରି ୧ ତାରିଖରେ ସଟଲ୍ ଟ୍ରେନ୍ ପଟିଆ ପାସେଞ୍ଜର୍ ହଲ୍ଟରେ ଛିଡ଼ା ହେଲା।
ପ୍ରଥମ ରାଜା ଚକ୍ରଧର ଦେବ
ଚକ୍ରଧର ଭ୍ରମରବର ରାୟ ସାରଙ୍ଗଗଡ଼ ତଥା ପଟିଆର ପ୍ରଥମ ରାଜା ଭାବେ ସିଂହାସନ ଆରୋହଣ କଲା ବେଳକୁ ପଟିଆରେ ୪୨ଟି କିଲ୍ଲା ଓ ୬ଟି ପ୍ରଗଣା ଥିଲା। ପୂର୍ବରେ ସାଇଲୋ, ସାଇବିରି, ପଶ୍ଚିମରେ ନରାଜ୍ ଓ ମୁଣ୍ଡଳି ମହାନଦୀର ପୂର୍ବ ପାର୍ଶ୍ବବନ୍ଧ ପର୍ଯ୍ୟନ୍ତ ଲମ୍ବିଥିଲା। ସେହିଭଳି ଉତ୍ତରରେ କଟକ ଓ ଅନ୍ୟ ତିନି ପ୍ରଗଣା ଥିଲା। ଦକ୍ଷିଣରେ ‘ଗାଡ଼କଣ’ ଓ ଖଣ୍ଡଗିରି ଶେଷ ସୀମା ଥିଲା। ପରବର୍ତ୍ତୀ ସମୟରେ ୧୯୩୧ ମସିହା ପର୍ଯ୍ୟନ୍ତ ବଂଶାନୁକ୍ରମିକ ଭାବେ ୧୭ଜଣ ରାଜା ସିଂହାସନ ଆରୋହଣ କରିଥିଲେ।
ଚନ୍ଦ୍ରଶେଖରଙ୍କ ନାମରେ ମୌଜା
୧୯୩୧ ମସିହା ବନ୍ଦୋବସ୍ତରେ, ଗାଁରେ ଥିବା ପ୍ରଭୁ ଚନ୍ଦ୍ରଶେଖରଙ୍କ ମନ୍ଦିର ନାମ ଅନୁସାରେ ପଟିଆ ଗାଁର ଦକ୍ଷିଣରୁ ପଶ୍ଚିମ ପାର୍ଶ୍ବ ପର୍ଯ୍ୟନ୍ତ ଅଞ୍ଚଳକୁ ଚନ୍ଦ୍ରଶେଖରପୁର ମୌଜା ନାମକରଣ କରାଯାଇଥିଲା। ଏଥିରେ ପଟିଆ ମହାଦେବଙ୍କ ମନ୍ଦିର ଓ ପୁଷ୍କରିଣୀ, କିଛି ଆଦିବାସୀ ମଧ୍ୟ ଏହି ମୌଜାରେ ଅନ୍ତର୍ଭୁକ୍ତ ଥିଲେ। ସେ ସମୟରେ ଚନ୍ଦ୍ରଶେଖରପୁର ମୌଜାରେ ଅନ୍ୟ କୌଣସି ଲୋକ ବାସ କରୁନଥିଲେ। ଗ୍ରାମର ପୂର୍ବ ଦିଗରେ କେବଳ ଚାଷ ଜମି ଓ ପଶ୍ଚିମରେ ଘଞ୍ଚ ଜଙ୍ଗଲ ଥିଲା। କିନ୍ତୁ ଏବେ ସେଠି ରାଜଧାନୀର ସିଂହଭାଗ ଲୋକ ରହୁଛନ୍ତି।
ସାପୁଆ କେଳାଙ୍କ ଗାଁ ପଦ୍ମକେଶରୀପୁର
୧୮୬୬ ମସିହାରେ ପଟିଆ ରାଜା ଦ୍ବିତୀୟ ଦିବ୍ୟସିଂହଦେବଙ୍କ ରାଜୁତି ସମୟରେ କିଛି ସାପୁଆ କେଳା ଆସି ପଟିଆରେ ସାପ ଖେଳ ଦେଖାଇଲେ। ରାଜା ସାପ ଖେଳ ଦେଖି ଖୁସି ହୋଇ ସେମାନଙ୍କୁ ବିନା ଖଜଣାରେ ପଟିଆରେ ରହିବା ପାଇଁ ସ୍ଥାନ ଦେଲେ। ସେମାନେ ଶବର ସାହି ନିକଟରେ ତଣ୍ଡିଘେରା କରି ରହିଲେ। ସେହିଦିନଠାରୁ ସେମାନେ ‘ପଟିଆ ସାପୁଆ କେଳା’ ନାମରେ ନାମିତ ହେଲେ। ପରେ କନିକା ରାଜା ସେମାନଙ୍କୁ ପଟିଆ ପୂର୍ବ ଇଞ୍ଜଣା ଗାଁର ଟାଙ୍ଗି ଜାଗାରେ ଥିବା ରାଜାଙ୍କ ଜମିକୁ ରହିବା ପାଇଁ ଦେଲେ। ସେହି ଦିନଠାରୁ ସେମାନେ ସେଠି ରହି ଆସୁଛନ୍ତି। ୧୫ଟି ପରିବାରରୁ ବଢ଼ି ଏବେ ତାହା ଗୋଟେ ବଡ଼ ଗାଁରେ ପରିଣତ ହୋଇଗଲାଣି। ୧୯୭୩ ବନ୍ଦୋବସ୍ତ ବେଳେ ସେହି ଗାଁର ନାମ ‘ପଦ୍ମକେଶରୀପୁର’ ହୋଇଛି।
ଶ୍ରୀ ପର୍ବତରେ ମା’ ଶିଖରଚଣ୍ଡୀ
ପଟିଆ ଗାଁର ଇଷ୍ଟଦେବ ପ୍ରଭୁ ଜଗନ୍ନାଥ ହୋଇଥିବା ବେଳେ ଇଷ୍ଟଦେବୀ ହେଉଛନ୍ତି ମା’ କନକଦୁର୍ଗା। କନକଦୁର୍ଗା ମନ୍ଦିରରେ ରାଜାଭିଷେକ ହୁଏ। ଏହାସହ ଶିଖରଚଣ୍ଡୀ, ନୀଳକଣ୍ଠେଶ୍ବର, ଚନ୍ଦ୍ରଶେଖର, ମାଉସୀ ମା’, ବରଡେଇ ଆଦି ଗାଁର ପୁରାତନ ବିଗ୍ରହ। ରାଜାଙ୍କ ସମୟରୁ ଏହି ସବୁ ମନ୍ଦିର ରହି ଆସିଛି। ଶ୍ରୀପର୍ବତ ବା ଶିଖରଚଣ୍ଡୀ ପର୍ବତରେ ମା’ ଶିଖରଚଣ୍ଡି ବା ଦୁର୍ଗା ବାସ କରୁଛନ୍ତି। ତ୍ରେତୟା ଯୁଗର ପ୍ରସ୍ତର ପୃଷ୍ଠ ଦେଶରେ ଅଙ୍କିତ ମା’ ଦୁର୍ଗାଙ୍କ ମୂର୍ତ୍ତି ଏଠାରେ ସ୍ଥାପିତ ହୋଇଥିବା ଜଣାଯାଏ।