ରକ୍ତଦାନରେ ବି ପତିଆରା ରାଜନୀତି! ଏସ୍‌ସିବି କର୍ତ୍ତୃପକ୍ଷ ସାଜିଛନ୍ତି ହାତବାରିସୀ

ଦିନକ ପୂର୍ବରୁ ଆସିଲା ମନ୍ତ୍ରୀଙ୍କ ‘ମୋଷ୍ଟ୍ ଅର୍ଜେଣ୍ଟ୍ ଚିଠି; ୨୩ ଦିନ ପୂର୍ବରୁ ହୋଇଥିବା ଆବେଦନ ବାତିଲ

କଟକ : ରକ୍ତଦାନ ଶିବିର ଆୟୋଜନ ପାଇଁ ପତିଆରା ରାଜନୀତି ଏବେ ରାଜନୀତିର ଧାର ଧାରୁ ନଥିବା ସ୍ବେଚ୍ଛାକୃତ ରକ୍ତଦାତା ମାନଙ୍କୁ ହତାଶ କରୁଛି। ଦୀର୍ଘଦିନରୁ ସ୍ବେଚ୍ଛାକୃତ ରକ୍ତଦାନ ଆୟୋଜନ କରୁଥିବା ସଂଗଠନ ବି ଏଭଳି ନେତାଙ୍କ ପତିଆରା ରାଜନୀତିର ଶିକାର ହେଉଛନ୍ତି। ନିଜର ଲମ୍ବା ରାଜନୈତିକ କ୍ୟାରିଅରରେ ୩/୪ଟି ଶିବିର ବି ଆୟୋଜନ କରି ନଥିବା ଏଭଳି ନେତାମାନଙ୍କ ହାତବାରିସୀ ସାଜିଛନ୍ତି କଟକ ଏସ୍‌ସିବି କର୍ତ୍ତୃପକ୍ଷ ଓ ବ୍ଲଡ୍ ବ୍ୟାଙ୍କ ଅଧିକାରୀ। ମନ୍ତ୍ରୀ-ବିଧାୟକଙ୍କ ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ଶିବିର ଆୟୋଜନକୁ ଶେଷ ମୁହୂର୍ତ୍ତରେ ବାତିଲ କରି ଦେବା ଘଟଣା ପୂର୍ବରୁ ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ପୁଣି ଏକ ଘଟଣା ଶିବିର ଆୟୋଜକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।

ସୂଚନା ଅନୁଯାୟୀ ଆସନ୍ତା ୧୧ ତାରିଖ, ରବିବାର ଦିନ ଜଗତପୁରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ପାଇଁ ଏସ୍‌ସିବି ବ୍ଲଡ ବ୍ୟାଙ୍କକୁ ଆବେଦନ କରାଯାଇଥିଲା। ମାର୍ଚ୍ଚ ୧୫ ତାରିଖରେ ସଂପୃକ୍ତ ସଂସ୍ଥା ପକ୍ଷରୁ ଏଥିପାଇଁ ଆବେଦନ କରାଯାଇଥିଲା। ବ୍ଲଡ୍ ବ୍ୟାଙ୍କର ସ୍ବୀକୃତି ପରେ ସେହି ଅନୁଯାୟୀ ଆୟୋଜକମାନେ ପ୍ରସ୍ତୁତି ବୈଠକ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। କିନ୍ତୁ ଆଜି ସଂପୃକ୍ତ ଆୟୋଜକମାନଙ୍କୁ ଏସସିବି ପକ୍ଷରୁ ଶିବିର ବାତିଲ ସଂକ୍ରାନ୍ତରେ ଚିଠି ଯାଇଛି। ବାରଙ୍ଗରେ ଓ ଆଠଗଡ଼ରେ ଦୁଇଟି ଶିବିର ସେହି ଦିନ ଅନୁଷ୍ଠିତ ହେଉଛି ଏବଂ କର୍ମଚାରୀ ଅଭାବ ଥିବାରୁ ଜଗତପୁର ଶିବିରକୁ ବାତିଲ କରାଗଲା ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। କେଉଁ ଆଧାରରେ ବାରଙ୍ଗ ଓ ଆଠଗଡ଼ରେ ଶିବିର ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଜଗତପୁର ଶିବିରକୁ ବାତିଲ କରାଗଲା ବୋଲି ଜାଣିବାକୁ ଚାହିଁବାରୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତଥ୍ୟ ସାମନାକୁ ଆସିଛି। ବାରଙ୍ଗ ଶିବିରର ଆୟୋଜକ ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ ହୋଇଥିବା ବେଳେ ଆଠଗଡ଼ ଶିବିର ଆୟୋଜନ ପାଇଁ ଚିଠି ଲେଖିଛନ୍ତି ମନ୍ତ୍ରୀ ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଯଦିଓ ଡାକ୍ତର ପ୍ରମୋଦ ମଲ୍ଲିକଙ୍କ ପକ୍ଷରୁ ମାର୍ଚ୍ଚ ୨୦ ତାରିଖରେ ରକ୍ତଦାନ ଶିବିର ପାଇଁ ଆବେଦନ କରାଯାଇଛି, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଚିଠି କିନ୍ତୁ ଆସିଛି ଗତକାଲି ଅର୍ଥାତ ଏପ୍ରିଲ ୭ ତାରିଖରେ। ‌ଚିଠିରେ ନାଲି ରଂଗର ଅକ୍ଷରରେ ‘ମୋଷ୍ଟ ଅର୍ଜେଣ୍ଟ୍’ ଲେଖାଯାଇଛି। ଏବଂ ଆୟୋଜନ ତାରିଖର ମାତ୍ର ୩ ଦିନ ପୂର୍ବରୁ ଆସିଥିବା ମନ୍ତ୍ରୀଙ୍କର ଏହି ‘ମୋଷ୍ଟ ଅର୍ଜେଣ୍ଟ୍’ ଚିଠି ଆଧାରରେ ୨୩ ଦିନ ତଳର ଆବେଦନକୁ ବାତିଲ କରି ଦିଆଯାଇଛି। ରକ୍ତଦାନ ଆୟୋଜନ ପାଇଁ ମନ୍ତ୍ରୀଙ୍କର ଏଭଳି କିଛି ସ୍ବତନ୍ତ୍ର ଅଧିକାର ସରକାରୀ ବ୍ୟବସ୍ଥାରେ ରହିଛି କି? ସରକାର ଏ କ୍ଷେତ୍ରରେ କିଛି ନିର୍ଦ୍ଦେଶନାମା ଜାରି କରିଛନ୍ତି କି? ଏ ପ୍ରଶ୍ନର ଉତ୍ତର ଦେବା ବଦଳରେ ବ୍ଲଡ ବ୍ୟାଙ୍କ ଅଧିକାରୀଙ୍କ ବୟାନ ଆହୁରି ଦୁର୍ଭାଗ୍ୟଜନକ ସ୍ଥିତିକୁ ଦର୍ଶାଉଛି। ‘୫ ବର୍ଷ ପୂର୍ବରୁ ଆବେଦନ କରିଥିଲେ ବି ମନ୍ତ୍ରୀଙ୍କ ଚିଠି ଆସିଲେ, ତାହାକୁ ଅଗ୍ରାଧିକାର ଦିଆଯିବ’, ବୋଲି ବ୍ଲଡ୍ ବ୍ୟାଙ୍କ ଦାୟିତ୍ବରେ ଥିବା ଅଧିକାରୀ ପୂର୍ବରୁ କହିଥିବାବେଳେ ଆଜି ତାହାକୁ ସେ ପୁଣିଥରେ କରି ଦେଖାଇଛନ୍ତି। ଏଭଳି ଭାବେ ବ୍ଲଡ୍ ବ୍ୟାଙ୍କ କର୍ତ୍ତୃପକ୍ଷ ପୂର୍ବରୁ ବି ଏକାଧିକ ଶିବିର ବାତିଲ କରି ସାରିଛନ୍ତି।

ଏ ସଂପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି ସେ ଏଥିରେ ନିରବ ରହିବା ଘଟଣା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଜଗତପୁର ଅଶୋକା ମାର୍କେଟରେ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶିବିରର ଆୟୋଜକ ରାଧାମାଧବ ଦାସଙ୍କ କହିବା ଅନୁଯାୟୀ ଶିବିର ପାଇଁ ସ୍ଥାନୀୟ ଅଞ୍ଚଳର ଯୁବକ, ବ୍ୟବସାୟୀ ଓ ସ୍ବେଚ୍ଛାସେବୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଶିବିର ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆଜି ଶିବିର ବାତିଲ ସଂପର୍କରେ ସୂଚନା ମିଳୁଛି। ହାତରେ ଆଉ ମାତ୍ର ଦୁଇ ଦିନ ରହିଛି। ରାଜ୍ୟରେ ରକ୍ତ ଅଭାବ କଥା କୁହାଯାଉଥିବା ବେଳେ ବ୍ଲଡ୍ ବ୍ୟାଙ୍କ କର୍ତ୍ତୃପକ୍ଷ ଶିବିର ଶେଷ ମୁହୂର୍ତ୍ତରେ ବାତିଲ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଭଳି ଘଟଣାରେ ସମସ୍ତ ଆୟୋଜକ ହତାଶ ହୋଇ ପଡିଛନ୍ତି କିନ୍ତୁ ରକ୍ତଦାନକୁ ନେଇ ଯେତେ ରାଜନୀତି କଲେ ବି ଆମେ ବିକଳ୍ପ ବ୍ୟବସ୍ଥା ପାଇଁ ଉଦ୍ୟମ ଜାରି ରଖିବୁ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର