ଭୁବନେଶ୍ବର: କୋଲାକାତାସ୍ଥିତ ଆର୍ଜି କର ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଡାକ୍ତରଙ୍କ ପ୍ରତିବାଦରେ ଓଡ଼ିଶା ସାମିଲ ହୋଇଛି। ରାଜ୍ୟର ସରକାରୀ ଓ ଘରୋଇ ଡାକ୍ତରଖାନାରେ ଆନ୍ଦୋଳନର ଜୋରଦାର ପ୍ରଭାବ ଦେଖିବାକୁ ମିଳିଛି। ଜରୁରି ସେବାକୁ ବାଦ୍ ଦେଲେ ଓପିଡି ଓ ଅନ୍ୟାନ୍ୟ ସେବା ବନ୍ଦ ରହିଛି। ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ରୋଗୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କୋଲକାତା ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଓ ଘଟଣାର ନିରପେକ୍ଷ ତଦନ୍ତ ସହ ଡାକ୍ତରଙ୍କ ସୁରକ୍ଷା ପ୍ରଦାନ କରିବା ଲାଗି ଡାକ୍ତରମାନେ ଦାବି କରିଛନ୍ତି।
ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଆଇଏମ୍ଏ ପକ୍ଷରୁ ୨୪ଘଣ୍ଟାର ଧର୍ମଘଟ ଡାକରା ଦିଆଯାଇଛି। ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ବାରିପଦା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଡାକ୍ତର ଓ ଏମ୍ବିବିଏସ୍ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ରୋଗୀ ସେବା ଯେପରି ବାଧାପ୍ରାପ୍ତ ନ ହେବ ସେଥିପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ଉଦ୍ୟମ କରିଥିଲେ ହେଁ ତାହା ଯଥେଷ୍ଟ ହୋଇନାହିଁ। ମେଡିକାଲ କଲେଜଗୁଡ଼ିକରେ ଡାକ୍ତରୀ ଶିକ୍ଷକମାନଙ୍କ ଛୁଟିକୁ ବାତିଲ କରିଦିଆଯାଇଛି।
କଟକସ୍ଥିତ ଏସ୍ସିବି ମେଡିକାଲ କଲେଜରେ ମଧ୍ୟ ରୋଗୀ ସେବା ପ୍ରଭାବିତ ହୋଇଛି। ରେଡିଓଲୋଜି ବିଭାଗ ସମ୍ମୁଖରେ ବହୁ ସଂଖ୍ୟାରେ ରୋଗୀମାନେ ଚିକିତ୍ସା ପାଇଁ ଅପେକ୍ଷା କରିଥିଲେ ହେଁ ଡାକ୍ତରଙ୍କ ଆନ୍ଦୋଳନ ପାଇଁ ସେମାନଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଛି। ପ୍ରତିଦିନ ଏସ୍ସିବିରେ ଅଲ୍ଟ୍ରାସାଉଣ୍ଡ ପାଇଁ ୧୦୦-୧୫୦ ଟିକେଟ୍ ରଖାଯାଉଥିବା ବେଳେ ଡାକ୍ତରଙ୍କ ଆନ୍ଦୋଳନ ପାଇଁ ଏହି ସଂଖ୍ୟା ଯଥେଷ୍ଟ କମିଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଅଲ୍ଟ୍ରାସାଉଣ୍ଡ ପାଇଁ ଆସିଥିବା ରୋଗୀମାନେ ଘଣ୍ଟା ଘଣ୍ଟା ଧରି ଟିକେଟ୍ ନ ପାଇ ଫେରିଛନ୍ତି। ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ସକାଳ ୯ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ସିନିୟର୍ ଡାକ୍ତରମାନେ ଓପିଡିରେ ରୋଗୀଙ୍କୁ ଦେଖିଥିଲେ। କିନ୍ତୁ ଅପରାହ୍ଣ ୨ଟାରେ କୌଣସି ଡାକ୍ତର ଆସି ନଥିଲେ। ଏପରିକି ଏମ୍କେସିଜି ଓପିଡିର ଫାଟକରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ରୋଗୀମାନେ ନାନା ହଇରାଣ ହୋଇଥିଲେ।
ସେହିପରି ଏମ୍ସ ଭୁବନେଶ୍ବର ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏଥିପାଇଁ ରୋଗୀ ସେବା ପ୍ରଭାବିତ ହୋଇଛି। ଆନ୍ଦୋଳନରତ ଡାକ୍ତରଙ୍କ କହିବାନୁଯାୟୀ, କୋଲକାତା ମହିଳା ଡାକ୍ତରଙ୍କ ଦୁଷ୍କର୍ମଙ୍କ ଘଟଣାରେ ନ୍ୟାୟ ପ୍ରଦାନ ପାଇଁ ଆମେ ଦାବି କରିଆସୁଛୁ। ଘଟଣାର ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ବିରୋଧରେ ଓ ଡାକ୍ତରଙ୍କ ସୁରକ୍ଷା ପ୍ରଦାନ କରିବା ଲାଗି ଏହି ଆନ୍ଦୋଳନ କରାଯାଉଛି। ଓପିଡି ସେବା ବନ୍ଦ ଥିବା ବେଳେ ଜରୁରିକାଳୀନ ସେବା ଜାରି ରହିଛି। ସିବିଆଇ ଏହି ଘଟଣାର ଉପଯୁକ୍ତ ଯାଞ୍ଚ କରିବା ସହ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ପ୍ରଦାନ କରାଯାଉ।
ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ଆନ୍ଦୋଳନର ବିଶେଷ ପ୍ରଭାବ ଦେଖିବାକୁ ମିଳିନାହିଁ। ସକାଳ ୧୦ଟାରୁ ୧୦.୧୫ ପର୍ଯ୍ୟନ୍ତ ଡାକ୍ତରମାନେ କାର୍ଯ୍ୟବନ୍ଦ କରିଥିଲେ। ପରେ ଓପିଡି ସେବା ସ୍ବାଭାବିକ ହୋଇଥିଲା। ଅପରାହ୍ଣରେ ସେମାନେ ୟୁନିଟ୍-୬ରେ ଆଇଏମ୍ଏ, ଓଡ଼ିଶା ଭବନରେ ଏକତ୍ରିତ ହୋଇ ଘଟଣାର ପ୍ରତିବାଦ ଜଣାଇଥିଲେ। ତେବେ କ୍ୟାପିଟାଲ ହସ୍ପିଟାଲ ପିଜି ଇନ୍ଷ୍ଟିଚ୍ୟୁଟ୍ ଜୁନିୟର ଡାକ୍ତର ସଂଘ ପକ୍ଷରୁ ଆନ୍ଦୋଳନ ହୋଇଥିଲା। କୋଲାକାତା ଘଟଣାରେ ନ୍ୟାୟ ପ୍ରଦାନ ସହ ଜଣେ ଡାକ୍ତର ନିଜ କର୍ମସ୍ଥଳୀରେ ସୁରକ୍ଷିତ ନ ରହିଲେ କିଭଳି ରୋଗୀଙ୍କୁ ସେବା ଯୋଗାଇବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ସେହିପରି ଭୁବନେଶ୍ବର ଇଏସ୍ଆଇ ହସ୍ପିଟାଲ ଡାକ୍ତରମାନେ ସମର୍ଥନ ଜଣାଇଛନ୍ତି। ଆରଜି କର ହସ୍ପିଟାଲରେ ଘଟିଥିବା ଘଟଣାର ସିବିଆଇ ଠିକ୍ ଭାବେ ତଦନ୍ତ କରିବା ସହ ଦୋଷୀଙ୍କୁ ଫାଶୀ ଦେବାକୁ ଡାକ୍ତରମାନେ ଦାବି କରିଛନ୍ତି। ଡାକ୍ତରଙ୍କୁ କିଭଳି ସୁରକ୍ଷା ଓ ସମ୍ମାନ ପ୍ରଦାନ କରାଯିବ ତାହା ଉପରେ ସରକାର ଚିନ୍ତା କରିବା ଦରକାର ବୋଲି ସେମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/treatment.jpg)