ଝାରବେଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ବିପର୍ଯ୍ୟସ୍ତ

ଘଟଗାଁ : ଘଟଗାଁ ବ୍ଲକ୍‌ ବଡପିଛୁଳା ପଞ୍ଚାୟତ ଅନ୍ତର୍ଗତ ଝାରବେଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ଫଳରେ ଏଠାରେ ରୋଗୀସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି।

ଖବର ଅନୁଯାୟୀ ବଡପିଛୁଳା ରୋଟିଶିଳା, ବସନ୍ତପୁର, ପିପିଳିଆ ୪ ଟି ପଞ୍ଚାୟତର ୧୬ ଗ୍ରାମର ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି। ମାତ୍ର ସରକାର ଏହି ଡାକ୍ତର ଖାନାରେ ଡାକ୍ତର ନାହାଁନ୍ତି। ଜଣେ ଆୟୁଷ ଡାକ୍ତର ଏଠାରେ ସବୁକିଛି ତୁଲାଉଛନ୍ତି। ଗତବର୍ଷ ଏଠାରେ ଜଣେ ଡାକ୍ତର କିଛିଦିନ ପାଇଁ ନିଯୁକ୍ତି ହୋଇଥିଲେ। ମାତ୍ର ପ୍ରଥମେ ଡେପୁଟେସନ ପରେ ବଦଳି ହୋଇଯିବାପରେ ଏଠାରେ ଡାକ୍ତରୀ ପଦବି ଖାଲିପଡିଛି। ଏ ନେଇ ସ୍ଥାନୀୟ ଅଂଚଳବାସୀ ଓ ୭ ନଂ ଜିଲ୍ଲା ପରିଷଦ ଏବଂ ପଣ୍ତାପଡା ଜୋନର ଜିଲ୍ଲା ପରିଷଦ ସଭ୍ୟା ଯାଜ୍ଞସେନୀ ମହାନ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀଙ୍କୁ ଦୃଷ୍ଟି ଆକର୍ଷଣ କରିବା ପରେ ୧୫ ଦିନ ପାଇଁ ଜଣେ ଡାକ୍ତର କେନ୍ଦୁଝରରୁ ଆସି କାର୍ଯ୍ୟ ତୁଲାଉଥିଲେ। ମାତ୍ର ପରେ ଆଉ ଆସିଲେ ନାହିଁ। ଫଳରେ ରୋଗୀସେବା ସଂପୂର୍ଣ୍ଣ ଠପ୍ ହୋଇଯାଇଛି।

ସାମାନ୍ୟ ଥଣ୍ଡାଜ୍ୱର ହେଲେ ଘଟଗାଁ କିମ୍ବା କେନ୍ଦୁଝର ଯିବାକୁ ପଡୁଛି। ଯାହାକି ସମୟ ସାପେକ୍ଷ ଓ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଛି। ସରକାର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଗ୍ରାମାଞ୍ଚଳରେ ଗୋଷ୍ଠୀକେନ୍ଦ୍ର ଖୋଲିଛନ୍ତି ସତ ମାତ୍ର ଡାକ୍ତର ନଥିବାରୁ ଏହା ପ୍ରହସନରେ ପରିଣତ ହୋଇଛି। ଗତ ସପ୍ତାହରେ ଜିଲ୍ଲାପ୍ରଶାସନ ଡିଏମଏଫ ଫଣ୍ତ ଜରିଆରେ ଢେଙ୍କିକୋଟ ଡାକ୍ତରଖାନାର ଜଣେ ଡାକ୍ତର ନିଯୁକ୍ତି ହୋଇଥିବା ବେଳେ ଝାରବେଡ଼ାକୁ ଅଣଦେଖା କରିବାରୁ ଅଂଚଳବାସୀଙ୍କ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଝାରବେଡା ଡାକ୍ତର ନିଯୁକ୍ତି ପାଇଁ ଜିଲ୍ଲାପରିଷଦ ସଭ୍ୟା ଯାଜ୍ଞସେନୀ ମହାନ୍ତ, ରୁଟିଶିଳା ସରପଞ୍ଚ ଗତିକୃଷ୍ଣ ନାଏକ, ପିପିଳିଆ ସରପଞ୍ଚ ଗୋଲାପ ନାଏକ, ବଡ଼ପିଛୁଳା ସରପଞ୍ଚ ସୁରୁମା ନାଏକ ପ୍ରମୁଖ ଦୃଢଦାବି ଜଣାଇଛନ୍ତି। ନଚେତ ଏନେଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର