କଟକ: ରାଜ୍ୟରେ ନକଲି ଡାକ୍ତରଙ୍କୁ ଠାବ କରିବାପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ଏଥିପାଇଁ ରହିଥିବା ବ୍ୟବସ୍ଥା ସଂକ୍ରାନ୍ତରେ ରାଜ୍ୟ ସରକାର ଏଯାଏ ସତ୍ୟପାଠ ଦାଖଲ କରି ନଥିବାରୁ ଏହାକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନିର୍ଦ୍ଦିଷ୍ଟ ଭାବେ ଏହି ପ୍ରସଙ୍ଗରେ ଦୁଇ ସପ୍ତାହ ଭିତରେ ଅତିରିକ୍ତ ସତ୍ୟପାଠ ଦାଖଲ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନକଲି ଡାକ୍ତରଙ୍କୁ ଚିହ୍ନଟ ପାଇଁ କ’ଣ ବ୍ୟବସ୍ଥା ରହିଛି, ସେ ନେଇ ସତ୍ୟପାଠରେ ବିସ୍ତୃତ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସେହିପରି, ଡାକ୍ତର ଭଳି ସମ୍ବେଦନଶୀଳ ଘଟଣାର ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଇ ପାରିବ, ସେ ସମ୍ପର୍କିତ ବିସ୍ତୃତ ପ୍ରସ୍ତାବ ଉପସ୍ଥାପନ କରିବା ପାଇଁ ଓଡ଼ିଶା କାଉନସିଲ ଅଫ୍ ମେଡିକାଲ ରେଜିଷ୍ଟ୍ରେସନ (ଓସିଏମଆର) ସଭାପତିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ମେଡିକାଲ କମିସନ, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କ ସହିତ ବିଚାରବିମର୍ଶ କରି ଏହି ପ୍ରସଙ୍ଗରେ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଓସିଏମଆର୍‌ ସଭାପତି ଉପସ୍ଥାପନ କରିବେ। ପ୍ରସ୍ତାବ ଦେବାବେଳେ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଜଣେ ନିରକ୍ଷର ବ୍ୟକ୍ତି ମଧ୍ୟ କିଭଳି ଭାବେ ପ୍ରକୃତ ଡାକ୍ତରଙ୍କୁ ଚିହ୍ନଟ କରି ପାରିବ ସେ ପ୍ରସଙ୍ଗକୁ ବିଚାରକୁ ନେବେ। ଜଣେ ସାଧାରଣ ଲୋକ ପ୍ରକୃତ ଓ ଜାଲ ଡାକ୍ତର ଭିତରେ ଫରକ ଜାଣି ପାରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ଓ ଶୈଳୀ ଅନୁସରଣ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ ଓସିଏମଆର୍‌ ସଭାପତି ଡାକ୍ତର ବିଜୟ କୁମାର ମହାପାତ୍ର ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇଥିଲେ। ସମସ୍ତ ଏଲୋପାଥିକ୍‌ ଡାକ୍ତରଙ୍କ ଅନଲାଇନ ଡାଟାବେସ ପ୍ରସ୍ତୁତ ହେଉଛି ଏବଂ ଏହା ଖୁବ୍‌ଶୀଘ୍ର ଓସିଏମ୍‌ଆର୍‌ ୱେବସାଇଟରେ ଉପଲବ୍ଧ ହେବ ବୋଲି ସେ ଦର୍ଶାଇଥିଲେ। ଓସିଏମଆର୍‌ ତରଫରୁ ପ୍ରସ୍ତୁତ ହେଉଥିବା ଡାଟାବେସକୁ ରାଜ୍ୟ ସରକାର ମଧ୍ୟ ଉପଯୋଗ କରି ସର୍ବସାଧାରଣରେ ଉପଲବ୍ଧ କରାଇ ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ତିନି ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରାଜ୍ୟରେ ରୋଗୀ ଚିକିତ୍ସା କରୁଥିବା ଡାକ୍ତରଙ୍କ ମଧ୍ୟରୁ ୫୧ ପ୍ରତିଶତଙ୍କ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥିବା ବିଶ୍ବବ୍ୟାଙ୍କ ସର୍ଭେ ରିପୋର୍ଟରୁ ଜଣାପଡ଼ିଥିଲା। ଫଳରେ, ରାଜ୍ୟରେ ଡାକ୍ତରୀ ପେସାରେ ଥିବା ସବୁ ଡାକ୍ତରଙ୍କ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ରହିଛି କି ନାହିଁ ତାହା ଯାଞ୍ଚ କରିବାକୁ ହାଇକୋର୍ଟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ୨୦୨୨, ଡିସେମ୍ବର ୨୧ରେ ନିର୍ଦ୍ଦେଶ ଦେଇଥିଲେ। ଆମିକସ୍ କ୍ୟୁରି ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଏହି ମାମଲା ପରିଚାଳନା କରୁଛନ୍ତି।