ସୁନ୍ଦରଗଡ଼: ଆମ୍ବୁଲାନ୍ସ ନୁହେଁ, ଖଟିଆରେ ବୋହିଲେ, ୨ କିମି ବୋହି ନାଳ ପାର କଲେ ଆମ୍ବୁଲାନ୍ସ କର୍ମଚାରୀ

ବଞ୍ଚିଗଲା ରୋଗୀଙ୍କ ଜୀବନ

ସୁନ୍ଦରଗଡ଼ : ଗାଁକୁ ରାସ୍ତା ନାହିଁ, ଭରା ନାଳରେ ପୋଲ ନାହିଁ। ସେଥିପାଇଁ ଅଧା ବାଟରେ ଅଟକିଗଲା ଆମ୍ବୁଲାନ୍ସ। ଶେଷକୁ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ଯାଏ ଅଣାଗଲା ରୋଗୀଙ୍କୁ। ପରେ ସେଠାରୁ ଆମ୍ବୁଲାନ୍ସରେ ଡାକ୍ତରଖାନା। ବିକାଶର ଏପରି ବିକଳ ଚିତ୍ରଟି ଦେଖିବାକୁ ମିଳିଥିଲା ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ତଳସରା ପଞ୍ଚାୟତର କୁମଡ଼ାଫାଲ ଗ୍ରାମରେ। ତେବେ ଏପରି କଲବଲ ସ୍ଥିତିରେ ଅନ୍ୟ ଏକ ଭଲ ଦୃଶ୍ୟଟେ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଗୁରୁତର ରୋଗୀଙ୍କୁ ଖଟିଆରେ ୨ କିଲୋମିଟର ବୋହି ନାଳ ପାରି କରିଥିଲେ ଆମ୍ବୁଲାନ୍ସ କର୍ମଚାରୀ। ଖଟିଆରେ ବୋହିବାର ବିପରୀତ ଚିତ୍ର ମଧ୍ୟରେ କର୍ମଚାରୀଙ୍କ ଏହି ମାନବିକତା ସୁନ୍ଦରଗଡ଼ରେ ଚର୍ଚ୍ଚାର ବିଷୟ ହୋଇଛି।

କୁମଡ଼ାଫାଲ ଗାଁରେ ଆଜି ପର୍ଯ୍ୟନ୍ତ ଯାତାୟତ ପାଇଁ ରାସ୍ତା ନାହିଁ । ଗାଁ ମୁଣ୍ଡ ନାଳରେ ପୋଲ ବି ନାହିଁ। ଯାହାଫଳରେ ଏହି ଗାଁ ସମେତ ଆଖପାଖ ଅଞ୍ଚଳର ଅଧିବାସୀମାନେ ଏହି କୁମଡ଼ାଫାଲ ଗାଁ ନାଳ ପାଣିରେ ପଶି ବ୍ଲକ ମୁଖ୍ୟାଳୟ, ଡାକ୍ତରଖାନାକୁ ଆସିଥା’ନ୍ତି। ବିଶେଷକରି ରାସ୍ତା ନ ଥିବା ହେତୁ ଏହି ଗାଁ ଲୋକେ ଆମ୍ବୁଲାନ୍ସ ସେବା ମଧ୍ୟ ପାଇବାରୁ ବଞ୍ଚିତ ହୋଇଆସୁଛନ୍ତି । ଗୁରୁତର ରୋଗୀ ହୁଅନ୍ତୁ କି ପ୍ରସୂତି ମହିଳାଙ୍କୁ ଖଟିଆରେ ଦୁଇ କିଲୋମିଟର ବୋହି ନାଳ ପାର କରି ନେଇଥା’ନ୍ତି । ଗୁରୁବାର କୁମଡାଫାଲ ଗ୍ରାମର ଯୁବକ ଦିଲୀପ ବାରୁଆ ବିଷପାନ କରି ଗୁରୁତର ଥିବା ବେଳେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ପରିବାର ଲୋକେ। କିନ୍ତୁ ନାଳରେ ପାଣି ବୋହୁଥିବାରୁ ଆମ୍ବୁଲାନ୍ସ ଗାଁ ମଧ୍ୟକୁ ପହଞ୍ଚି ପାରି ନଥିଲା। ଏପଟେ ଧୀରେଧୀରେ ଯୁବକଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା। ସ୍ଥିତିକୁ ଦେଖି ଆମ୍ବୁଲାନ୍ସ ଡ୍ରାଇଭର ଓ ସ୍ବାସ୍ଥ୍ୟକର୍ମୀ ଗାଁ ଲୋକଙ୍କ ସହଯୋଗରେ ରୋଗୀଙ୍କୁ ଖାଟିଆରେ ବୋହି ଆଣିଥିଲେ ନାଳ ଆର ପଟେ ଆମ୍ବୁଲାନ୍ସ ପାଖକୁ। ସେଠାରୁ ଆମ୍ବୁଲାନ୍ସରେ ରୋଗୀକୁ ସବଡେଗା ସ୍ୱାସ୍ଥ୍ୟକେନ୍ଦ୍ର ପହଞ୍ଚା ଯାଇଥିଲା। ଚିକିତ୍ସା ପରେ ବଞ୍ଚି ଯାଇଥିଲା ଦିଲୀପଙ୍କ ଜୀବନ। ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତାକୁ ପ୍ରଶଂସା କରିଥିଲେ ପୀଡ଼ିତଙ୍କ ପରିବାର।

ସମ୍ବନ୍ଧିତ ଖବର