ରାସ୍ତା ଅବସ୍ଥା ଶୋଚନୀୟ : ଖଟିଆରେ ବୁହା ହେଲେ ରୋଗୀ

ମାଲକାନଗିରି : ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ଦୁର୍ଗମ ଗ୍ରାମ ଗୁଡିକର ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ଏଥିସହ ବର୍ଷା ଲାଗି ରହିବା ଫଳରେ ସଂକ୍ରାମକ ରୋଗରେ ଲୋକେ ଆକ୍ରାନ୍ତ ହେଉଛନ୍ତି। ଏହିକ୍ରମରେ ଖଇରପୁଟ ବ୍ଲକ ଅନ୍ତର୍ଗତ ଗୋବିନ୍ଦପାଲ୍ଲୀ ପଞ୍ଚାୟତର ଗଜିଆଗୁଡା ଗ୍ରାମରେ ଏବେ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ତେବେ ବର୍ଷା ଯୋଗୁଁ ଏହି ପଞ୍ଚାୟତର ବହୁ ଗ୍ରାମ ଜଳବନ୍ଦୀ ହୋଇ ରହିଛି। ଗୋବିନ୍ଦପାଲ୍ଲୀ ଠାରୁ ମାତ୍ର ଏହି ଗାଁର ଦୂରତା ୩କିଲୋମିଟର ହୋଇଥିବା ବେଳେ ଗତକାଲି ବୃଦ୍ଧ ଲକ୍ଷ୍ମଣ ପାଙ୍ଗିଙ୍କୁ ଖଟିଆରେ ବୋହି ମେଡିକାଲ ନିଆଯାଇଛି।

ପରିବାର ଲୋକଙ୍କ କହିବା ହେଲା ଅବସ୍ଥା ବିଗିଡ଼ିବାରୁ ଆମ୍ବୁଲେନସ ଡାକିଥିଲେ। କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍‌ସ ଆସିପାରି ନଥିଲା। ତେଣୁ ବାଧ୍ୟ ହୋଇ ପରିବାର ଏବଂ ଗ୍ରାମବାସୀ ଖଟିଆରେ ଭାର କରି ତିନି କିଲୋମିଟର ବାଟ ଚାଲିଚାଲି ଗୋବିନ୍ଦପାଲ୍ଲୀ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଗାଡ଼ି କରି ମାଥିଲି ଡାକ୍ତରଖାନାକୁ ନେଇଥିଲେ।

ବର୍ତ୍ତମାନ ପ୍ରାୟ ପ୍ରତ୍ୟେକ ଗ୍ରାମରେ ମାଟିରେ ରାସ୍ତା ନିର୍ମାଣ ହେଉଥିବାରୁ ଲଗାଣ ବର୍ଷାରେ ଆଣ୍ଠୁଏ କାଦୁଅ ହେଉଛି। ଯାହାଫଳରେ ଗ୍ରାମବାସୀ ଏହି ରାସ୍ତାରେ ଯିବା ଆସିବା କରିବା କଷ୍ଟ ହୋଇ ପଡୁଛି। ପୂର୍ବରୁ କିଛି ଦିନ ତଳେ ଉପରୋକ୍ତ ଗ୍ରାମର ଜଣେ ବ୍ୟକ୍ତିକୁ ସାପ କାମୁଡି ଦେଇଥିବା ବେଳେ ତାଂକୁ ମଧ୍ୟ ଖଟିଆରେ ବୋହି ନେଉଥିବା ବେଳେ ବାଟରେ ହିଁ ତାଂକର ମୃତ୍ୟୁ ହୋଇଯାଇଥିଲା। ସେହିପରି ଲକ୍ଷ୍ମଣଙ୍କୁ ଉଚିତ ସମୟରେ ମେଡିକାଲ ପହଞ୍ଚା ଯାଇଥିଲେ ମଧ୍ୟ ତାଂକ ଅବସ୍ଥା ସଂକଟାପନ୍ନ ରହିଥିବା ପରିବାର ଲୋକେ କହିଛନ୍ତି। ବର୍ଷା ବନ୍ଦ ହେଉନଥିବାରୁ ଗ୍ରାମ ଗୁଡିକରେ ମହାମାରୀ ବ୍ୟାପିବାର ସମ୍ଭାବନା ରହିଛି। ତୁରନ୍ତ ପ୍ରଶାସନ ତରଫରୁ ବିହିତ ପଦକ୍ଷେପ ନନେଲେ ଆଗାମୀ ଦିନରେ ସ୍ଥିତି ଭୟଙ୍କର ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର