ଆସିଲାନି ଆମ୍ବୁଲାନସ୍ : ଭାରରେ, ଖଟିଆରେ ବୁହାହେଲେ ରୋଗୀ

ଅବିଭକ୍ତ କୋରାପୁଟ ଜିଲ୍ଲାର ୩ଟି ଚିତ୍ର

ରାୟଗଡା/ମାଲକାନଗିରି/ନବରଙ୍ଗପୁର : ଗୋଟିଏ ଦିନରେ ଦକ୍ଷିଣ ଓଡ଼ିଶାର ୩ ପ୍ରମୁଖ ଜିଲ୍ଲା ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରିରେ ଏକ ସମାନ ଚିତ୍ର ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ନ ଆସିବାରୁ ଭାରରେ, ଖଟିଆରେ ବୋହି ରୋଗୀଙ୍କୁ ହସ୍ପିଟାଲକୁ ନିଆଯାଇଛି। ଏଥିପାଇଁ ବି ସମ୍ପର୍କୀୟଙ୍କୁ କମ୍‌ ପରିଶ୍ରମ କରିବାକୁ ପଡ଼ିନି। ଭରା ନଈ ବି ପାର୍‌ ହେବାକୁ ପଡ଼ିଛି।

ଏହି ରୋଗୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାୟଗଡ଼ା ଜିଲ୍ଲା ଗୁଡାରି ବ୍ଲକ୍ ଅନ୍ତର୍ଗତ ଶିରିଗୁଡା ପଞ୍ଚାୟତର ଚୁଲିପଡା ଗ୍ରାମର ରୁମେଶୀ ଜାଗରଙ୍ଗା (୫୫)। ସପ୍ତାହେ ହେଲା ଜ୍ବରରେ ପୀଡ଼ିତ ଥିଲେ ରୁମେଶୀ। ଔଷଧ ଖାଇବା ସତ୍ତ୍ବେ ଜ୍ବର ନ କମିବାରୁ ପରିବାର ଲୋକ ୧୦୮ ଆମ୍ବୁଲାନସକୁ ଫୋନ୍ କରିଥିଲେ। କିନ୍ତୁ ୨ ଘଣ୍ଟାର ଅପେକ୍ଷା ପରେ ମଧ୍ୟ ଆମ୍ବୁଲାନସ୍ ନ ପହଞ୍ଚିବା ଯୋଗୁଁ ସମ୍ପର୍କୀୟ ଓ ଗ୍ରାମବାସୀ ଏକ ଖଟିଆରେ ଭାର କରି ଗାଁରୁ ୩ କିମି ଦୂର ବଡପଙ୍କାଳ ଗାଁକୁ ବୋହି ଆଣିଥିଲେ। ବଡପଙ୍କାଳ ନଈରେ ପାଣି ଭର୍ତ୍ତି ହୋଇ ରହିଥିବା ଦେଖିବା ପରେ ସାହସ ଜୁଟାଇ ନଈ ପାର କରିଥିଲେ। ଏହାପରେ ଗ୍ରାମବାସୀଙ୍କ ସହଯୋଗରେ ରୁମେଶୀଙ୍କୁ ଏକ ବାଇକ୍ ଯୋଗେ ବଡପଙ୍କାଳରୁ ୧୩ କିମି ଦୂର ଗୁଡାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡା ପଞ୍ଚାୟତର ବାଲିପଟା ଗ୍ରାମର ମାଣିକ ସାନ୍ତା(୭୦)। ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ। ଆଜି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ଅନ୍ୟପଟେ ଗାଁ ରାସ୍ତା ଶୋଚନୀୟ ଥିବାରୁ ମାଣିକଙ୍କୁ କିଭଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯିବ ତାହା ପରିବାର ପାଇଁ ଚିନ୍ତାର କାରଣ ପାଲଟିଥିଲା। ଶେଷରେ ମାଣିକଙ୍କୁ ଏକ ଖଟିଆରେ ଦୀର୍ଘ ୨କିଲୋମିଟର ବୋହି ନିଆଯାଇଥିଲା। ପରେ ଏକ ଅଟୋ ଯୋଗେ ତାଙ୍କୁ ସୁନା‌ବେଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା।

ଅନ୍ୟପକ୍ଷରେ, ମାଲକାନଗିରି ବ୍ଲକ ଚାଲାଣଗୁଡା ପଞ୍ଚାୟତ ଅନ୍ତର୍ଗତ ପେଣ୍ଡାଲଗୁଡା ଗ୍ରାମର ଭୀମ ମାଢି ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ। ତେବେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକ ମେଡିକାଲ ନେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରିବ ନାହିଁ ବୋଲି ସେପଟୁ ଉତ୍ତର ମିଳିଥିଲା। ଏମିତି ସ୍ଥିତିରେ କ’ଣ କରିବେ ସେହି ଚିନ୍ତା ପରିବାର ଲୋକଙ୍କୁ ଘରିଥିଲା। ବାଧ୍ୟ ହୋଇ ପରିବାର ଲୋକ ଗ୍ରାମବାସୀଙ୍କ ସହାୟତା ନେଇ ଖଟିଆରେ ବୋହି ମୁଖ୍ୟ ଛକ ନିକଟକୁ ଆଣଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ମେଡିକାଲ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା କରାଯିବା ପରେ କୋରାପୁଟ ସ୍ଥାନାନ୍ତର କରାଯାଇଛି। ଗୋଟିଏ ଦିନରେ ଏହି ୩ଟି ଘଟଣା ସମ୍ପୃକ୍ତ ଅଞ୍ଚଳର ରାସ୍ତାଘାଟ ସମସ୍ୟାକୁ ସାମ୍‌ନାକୁ ଆଣିଛି। ଏଥିସହିତ, ଲୋକମାନେ ଆମ୍ବୁଲାନ୍ସ ସେବାରୁ କିଭଳିି ବଞ୍ଚିତ ହେଉଛନ୍ତି, ତାହାର ବାସ୍ତବ ଚିତ୍ର ମଧ୍ୟ ପଦ‌ାରେ ପଡ଼ିଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର