ଖଟିଆରେ ବୁହାହେଲେ ରୋଗୀ

ମାଥିଲିି :  ଗାଁକୁ ପକ୍କା ରାସ୍ତା ନାହିଁ। ରାସ୍ତାରେ ପଡୁଥିବା ୨ଟି ନାଳରେ ପୋଲ ତିଆରି ହୋଇପାରିନି। ବର୍ଷା ହେବା ମାତ୍ରେ ଗ୍ରାମବାସୀ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଆନ୍ତି। ଯଦି ଗାଁରେ କେହି ରୋଗାକ୍ରାନ୍ତ ହୁଅନ୍ତି ତେବେ ଦିଶାରୀଙ୍କ ଆଶ୍ରୟ ନିଆଯାଏ। ଏଭଳି ସ୍ଥିତି ଲାଗି ରହିଥିବା ବେଳେ ଆଜି ଗ୍ରାମର ଜଣେ ଯୁବକଙ୍କୁ ଅତ୍ୟଧିକ ଜ୍ୱର ହେବାରୁ ଗ୍ରାମବାସୀ ଅନ୍ୟ କୌଣସି ଉପାୟ ନପାଇ ଖଟିଆରେ ଦୀର୍ଘ ୩କିଲୋମିଟର ବୋହି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଛନ୍ତି। ଏଭଳି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କର୍ତନପାଲି ପଞ୍ଚାୟତର ଗୁଣ୍ଡାଲଗୁଡା ଗ୍ରାମରେ।

ମାଓ ଅଧ୍ୟୁଷିତ ଗୁଣ୍ଡାଲଗୁଡା ଗ୍ରାମକୁ ଯିବା ପାଇଁ ବର୍ତମାନ ସୁଦ୍ଧା ପକ୍କା ରାସ୍ତା ନିର୍ମାଣ ହୋଇପାରିନି। ଫଳରେ ଗ୍ରାମବାସୀ ପାହାଡିଆ ତଥା ମାଟି ରାସ୍ତା ଦେଇ ଯାତାୟାତ କରନ୍ତି। ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ଗାଁକୁ ଆମ୍ବୁଲାନ୍‌ସ କିମ୍ବା ଅନ୍ୟ କୌଣସି ଗାଡି ପହଞ୍ଚି ପାରେନି। ଯଦି କେହି ରୋଗାକ୍ରାନ୍ତ ହୁଅନ୍ତି ତେବେ ବାଧ୍ୟ ହୋଇ ଦିଶାରୀଙ୍କ ଉପରେ ନିର୍ଭର କରିବାକୁ ପଡିଥାଏ। ଗତ ୪ଦିନ ତଳେ ଗ୍ରାମର ମାଗୁ ଦୁରୁଆ(୨୫)ଙ୍କୁ ଭୀଷଣ ଜ୍ୱର ହୋଇଥିଲା। ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ନିମନ୍ତେ ଗମନାଗମନ ସୁବିଧା ନଥିବାରୁ ପରିବାର ଲୋକ ମାଗୁଙ୍କୁ ଦିଶାରୀଙ୍କ ପାଖକୁ ନେଇଥିଲେ। ଝଡାଫୁଙ୍କା କରିବା ପରେ ଭଲ ହୋଇଯିବ କହିଥିଲେ ଦିଶାରୀ ଜଣକ। କିନ୍ତୁ ଦିନକୁ ଦିନ ସ୍ୱାସ୍ଥ୍ୟ ଅତ୍ୟଧିକ ଖରାପ ହେବାକୁ ଲାଗିଲା। ଅନ୍ୟ ଉପାୟ ନପାଇ ପରିବାର ଲୋକ ଏହି ସଂପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ମାଗୁଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନେବାକୁ ଗାଁର ମୁଖିଆ ମାନେ ପରାମର୍ଶ ଦେଇଥିଲେ। କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ରକୁ କିଭଳି ନିଆଯିବ ତାହା ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ଶେଷରେ ସଂପର୍କୀୟ ମାନେ ମାଗୁଙ୍କୁ ଏକ ଖଟିଆରେ ବୋହି ସ୍ୱାସ୍ଥ୍ୟକେନ୍ଦ୍ର ନେବାକୁ ବାହାରିଥିଲେ। ୨ଟି ନାଳ ଓ ଦଦରା ତଥା କାଦୁଅ ରାସ୍ତା ଦେଇ ଦୀର୍ଘ ୩କିଲୋମିଟର ରାସ୍ତା ପାର ହେବା ପରେ ବରା ଗାଁରେ ପହଞ୍ଚିଥିଲେ। ପରେ ଏକ ଗାଡି ଯୋଗେ ମାଗୁଙ୍କୁ କିଆଙ୍ଗ ଉପସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ଚିିକିତ୍ସା ପରେ ମାଗୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡିଛି।

ଅନେକ ଦୁର୍ଗମ ଗାଁକୁ ରାସ୍ତା ନଥିବାରୁ ରୋଗୀ, ଗର୍ଭବତୀ ଓ ପ୍ରସୂତିଙ୍କୁ ଖଟିଆରେ ବୋହି ନିଆଯାଉଥିବା ନଜିର ରହିଛି। ତଥାପି ପ୍ରଶାସନ ଏଦିଗରେ ଦୃଷ୍ଟି ନଦେବା ପରିତାପର ବିଷୟ ବୋଲି ଅଞ୍ଚଳବାସୀ କହିଛନ୍ତି।

ସମ୍ବନ୍ଧିତ ଖବର