ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ରୋଗୀକୁ ଖଟିଆରେ ବୋହି ଡାକ୍ତରଖାନା ଆଣୁଥିବା କରୁଣ ଚିତ୍ର ପୁଣି ସାମନାକୁ ଆସିଛି। ପ୍ରକାଶ ଥାଉକି ଗତ କିଛି ଦିନ ତଳେ ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଂଚାୟତ ଗୌରଝରିଆ ଗାଁ ଓ ବିଧାୟକ ଏବଂ ସଂସଦଙ୍କ ନିଜ ପଞ୍ଚାୟତରେ ପ୍ରସୂତି ଖଟିଆରେ ବୋହି ଆଣିବା ଘଟଣା ପରେ ଓ ରାସ୍ତା ମଝିରେ ପ୍ରସବ କରିବା ଘଟଣା ବିଭିନ୍ନ ଗଣମାଧ୍ୟମ ର ଶିରୋନାମା ପାଲଟିଥିବା ବେଳେ, ତାହା ମନରୁ ନ ଲିଭୁଣୁ ଆଜି ପୁଣି ପାଟଖଲିଆ ଗ୍ରାମପଞ୍ଚାୟତ ଥୀପା ଗାଁରୁ ବଇଦପଡା ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ କିଲୋମିଟର କାଦୁଅ ପଚ୍ ପଚ୍ ରାସ୍ତାରେ ଜଣେ ଜ୍ବରରେ ଆକ୍ରାନ୍ତ ମହିଳାଙ୍କୁ ଖଟିଆରେ ବୋହି ଆଣିବା ଘଟଣା ପୁଣି ସାମନାକୁ ଆସିଛି । ନା ଗାଁକୁ ରହିଛି ଭଲ ରାସ୍ତା ଖଣ୍ଡେ, ନା ପହଞ୍ଚି ପାରୁଛି ସରକାରଙ୍କ ଶହେଦୁଇ ଓ ଶହେଆଠ ସେବା । ଶହେ ଦୁଇ ବଦଳରେ ଖଟିଆରେ ବୁହା ହେଉଛନ୍ତି ରୋଗୀ। ନା ମିଳି ପାରୁଛି ଗାଁକୁ ଭଲ ରାସ୍ତା ଖଣ୍ଡେ ଯାହା ଫଳରେ କି ଏବେ ଭୋଗିବାକୁ ମିଳୁଛି ରୋଗୀ ମାନଙ୍କୁ ଯମ ଯନ୍ତ୍ରଣା। ଏହି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଗ୍ରାମପଞ୍ଚାୟତ ଥିପା ଗାଁ ରେ।

Advertisment

ଗାଁ କୁ ଯିବାକୁ ହେଲେ ପାରି କରିବାକୁ ପଡ଼ିଥାଏ ଜଙ୍ଗଲ ସହ ନଇନାଳ । ହେଲେ ଆଜି ଗାଁ ର ରାଏମତି ସାନ୍ତା (୩୩) ନାମ୍ନୀ ମହିଳା କିଛି ଦିନରୁ ଜ୍ବରରେ ଆକ୍ରାନ୍ତ ହୋଇଥିଲେ । ତେବେ ଆଜି ସେ ଅଧିକ ଜର ହେବାରୁ ଗୁରୁତର ହୋଇଯାଇଥିଲେ। ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁଉକ୍ତ ଗାଁ କୁ ଭଲ ରାସ୍ତା ଖଣ୍ଡେ ନ ଥିବା ଯୋଗୁଁ ମଟର ସାଇକେଲ କିମ୍ବା ଆମ୍ବୁଲାନ୍ସ ଆସିବା କଷ୍ଟକର ହୋଇଥିବାରୁ ଗ୍ରାମବାସୀଙ୍କ ସହଯୋଗରେ ଉକ୍ତ ମହିଳାଙ୍କୁ ଏକ ଖଟିଆରେ ବୋହି ଦିର୍ଘ ପାଞ୍ଚ କିଲୋମିଟର ବୋହି ବଇଦପଡ଼ା ଗ୍ରାମ ନିକଟରେ ଥିବା ଆମ୍ବୁଲାନ୍ସ ପାଖକୁ ଆଣି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇ ଥିବା ଦେଖିବାକୁ ମିଳିଛି । ତେବେ ଉକ୍ତ ମହିଳାଙ୍କ ଝାଡା ପରିସ୍ରା ହେଉନଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉମରକୋଟ ଜୋନାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସରକାର କେବଳ ବିଭିନ୍ନ ଯୋଜନା ର ନାରା ଦେଇ କାର୍ଯ୍ୟ କାରୀ ନ କରୁଥିବା ରୁ ନିରୀହ ଜନସାଧାରଣ ଅସୁବିଧା ଭୋଗୁ ଥିବା ବେଳେ ଥିପା ଗ୍ରାମଭଳି ଅପହଞ୍ଚ ଇଲାକା ଆଜି ପର୍ଯ୍ୟନ୍ତ ଅବହେଳିତ ହୋଇ ରହିଛି । କେବେ ପରିବର୍ତ୍ତନ ହେବ ଥିବା ଗ୍ରାମର ଭାଗ୍ୟ, ପୁଣି କେବେ ଚେତିବ ପ୍ରଶାସନ ତାହା ଦେଖିବାକୁ ବାକି ରହିଲା ।