ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବସାଲଇ ଗ୍ରାମ ପଂଚାୟତର କୁଣ୍ଡାପିଠା ଗ୍ରାମର ତଳସାହିକୁ ରାସ୍ତା ଭଲ ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରି ନଥିଲା। ଫଳରେ ଆମ୍ବୁଲାନ୍ସ କର୍ମଚାରୀମାନେ ରୋଗୀଙ୍କୁ ଷ୍ଟେଚରେ ବୋହି ଗାଡ଼ି ନିକଟକୁ ଆଣିଥିଲେ।
ସୂଚନା ଅନୁଯାୟୀ, କୁଣ୍ଡାପିଠା ଗ୍ରାମ ତଲସାହିର ଭୁବୁନୀ ସାହୁ ଅସୁସ୍ଥ ଥିବାରୁ ଶୁକ୍ରବାର ଡାକ୍ତରଖାନା ଯିବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ସୂଚନା ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୧୦୮ ଆମ୍ବୁଲାନ୍ସ କୁଣ୍ଡାପିଠା ପହଞ୍ଚି ଥିଲା। କିନ୍ତୁ ଗ୍ରାମର ତଲସାହିକୁ କାଦୁଅ ରାସ୍ତା ଯୋଗୁଁ ଏହି ରୋଗୀଙ୍କ ଘରଠାରୁ ପ୍ରାୟ ୫୦୦ ମିଟର ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା। ଫଳରେ ଅନ୍ୟ ଉପାୟ ନ ପାଇ ଆମ୍ବୁଲାନ୍ସ କର୍ମଚାରୀମାନେ ପରିବାର ଲୋକଙ୍କ ସହାୟତାରେ ଷ୍ଟ୍ରେଚରରେ ରୋଗୀଙ୍କୁ ଆମ୍ବୁଲାନ୍ସ ପାଖକୁ ବୋହି ଆଣିଥିଲେ। ଏହା ପରେ ଚିକିତ୍ସା ପାଇଁ ଭୁବନୀଙ୍କୁ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ ଷ୍ଟ୍ରେଚର ବୋହି ଆମ୍ବୁଲାନ୍ସ ପାଖକୁ ଆଣି ମହାନତା ଦେଖାଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ। ଆମ୍ବୁଲାନ୍ସ କର୍ମଚାରୀଙ୍କ ଏହି କାର୍ଯ୍ୟକୁ ସବୁ ମହଲରେ ସ୍ବାଗତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/09cd08e9-7776-4f45-a7bd-b0e06079f0d1.jpg)