ଅସ୍ୱାଭାବିକ ଶକ୍ତି ବଳରେ ତାଡ଼ିଦେଲେ ଗ୍ରିଲ୍! ଏସ୍‌ସିବି ନିଉ ମେଡିସିନ୍‌ ଓ୍ୱାର୍ଡରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା

ତଦନ୍ତ ପାଇଁ ଗଠନ ହେଲା ୩ ଜଣିଆ ଟିମ୍‌, ଘରୋଇ ସ˚ସ୍ଥାକୁ କାରଣ ଦର୍ଶାଅ ନୋଟିସ

କଟକ : ଏସ୍‌ସିବି ମେଡିକାଲ୍‌ ନିଉ ମେଡିସିନ୍‌ ଵାର୍ଡରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ତୃତୀୟ ମହଲାରେ ଥିବା ଅସହାୟ ଵାର୍ଡ ଝରକା ତାଡ଼ି ଜଣେ ରୋଗୀ ଆତ୍ମହତ୍ୟା କରିଛନ୍ତି। ମୃତ ରୋଗୀଜଣକ ହେଉଛନ୍ତି ବାଲେଶ୍ବରର ବସନ୍ତ ଜେନା (୭୫)। ତେବେ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଥିବା ଏହି ବୃଦ୍ଧ ରୋଗୀ ଜଣକ କିପରି ଝରକା ଗ୍ରିଲ୍ ତାଡ଼ି ୱାର୍ଡ଼ ଉପରୁ ଡେଇଁଲେ ତାହା ବିସ୍ମୟ ସୃଷ୍ଟି କରିଛି। ଏହି ଘଟଣା ପରେ ମେଡିକାଲ ଅଧୀକ୍ଷକ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିବାରୁ ବସନ୍ତଙ୍କୁ ଗତ ୬ ତାରିଖ ରାତି ୨ଟା ୪୫ ମିନିଟ୍‌ରେ ଅସହାୟ ଵାର୍ଡରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ତାଙ୍କର ମାନସିକ ସ୍ଥିତି ଓ ବ୍ୟବହାରରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଥିଲା। କୌଣସି ଅସ୍ବାଭାବିକ ଶକ୍ତି ବଳରେ ସେ ଝରକା ଗ୍ରିଲ୍‌ ବଙ୍କା କରି ସେଠାରୁ ଡେଇଁ ଆତ୍ମହତ୍ୟା କରିଥିବା ମେଡିକାଲ୍‌ ପକ୍ଷରୁ କୁହାଯାଇଛି। ଘଟଣାର ତଦନ୍ତ ଲାଗି ପ୍ରଫେସର ଡାକ୍ତର ଜୟନ୍ତ ପଣ୍ତାଙ୍କ ନେତୃତ୍ବରେ ଗଠନ ହୋଇଥିବା କମିଟିରେ ଡାକ୍ତର ରୀନା ମହାନ୍ତି ଓ ଡାକ୍ତର ନିର୍ମଳ ସାହୁ ସଦସ୍ୟ ରହିଛନ୍ତି। ଏଥିସହିତ ଵାର୍ଡରେ ଆଟେଣ୍ତାଣ୍ଟ ଯୋଗାଉଥିବା ଘରୋଇ ସ˚ସ୍ଥାକୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସ˚ସ୍ଥା ତାହାର ଜବାବ ଉକ୍ତ କମିଟିକୁ ପ୍ରଦାନ କରିବ। ଏଥିସହିତ ପୁଲିସ ତଦନ୍ତ ମଧ୍ୟ ଜାରି ରହିବ ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ସବୁଦିନ ପରି ଶନିବାର ଦିନ ୧୧ଟାରୁ ୧୧ଟା ୧୫ ମଧ୍ୟରେ ଵାର୍ଡର ସମସ୍ତ ରୋଗୀଙ୍କୁ ଗାଧୁଆ ଯାଇଥିଲା। ପରେ ସେମାନଙ୍କୁ ପୋଷାକ ପିନ୍ଧା ଯାଇଥିଲା। ହେଲେ ମଧ୍ୟାହ୍ନରେ ଖାଇବାକୁ ବଢାହେବା ବେଳକୁ ତୃତୀୟ ସ୍ଥାନରେ ଥିବା ଉକ୍ତ ରୋଗୀ ଜଣକ ଅନୁପସ୍ଥିତ ଥିଲେ। ଖୋଜାଖୋଜି କରିବା ବେଳକୁ ଵାର୍ଡ ଝରକା ଗ୍ରିଲ୍‌ ତଡ଼ା ହୋଇ ବଙ୍କା ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ତେବେ ଦିନ ପ୍ରାୟ ସାଢେ ୧୧ଟା ବେଳେ ଅଧୀକ୍ଷକ ପ୍ରଫେସର ମହାନ୍ତି ନିଜେ ଏହି ଵାର୍ଡ ପରିଦର୍ଶନ କରିଥିଲେ। କିନ୍ତୁ ସେ ସେଠାରୁ ଫେରିବା ପରେ ରୋଗୀ ଜଣକ ଝରକା ବାଟେ ଡେଇଁ ପଡ଼ିଥିବା ଅନୁମାନ କରାଯାଉଛି। ସେ ସମୟରେ ଵାର୍ଡରେ ତିନି ଜଣ ଆଟେଣ୍ତାଣ୍ଟ ଉପସ୍ଥିତ ଥିବା ଅଧୀକ୍ଷକ କହିଛନ୍ତି। ଅପରାହ୍ନ ପ୍ରାୟ ସାଢେ ୧ଟା ବେଳେ ରୋଗୀ ଜଣକ ତିନି ମହଲାରୁ ଡେଇଁ ପଡ଼ିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ କାଜୁଆଲ୍‌ଟି ନିଆଯାଇଥିଲେ ବି ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ସ˚କ୍ରାନ୍ତରେ ମଙ୍ଗଳାବାଗ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା (୧୭୫/୧୯) ରୁଜୁ କରାଯିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଆତ୍ମହତ୍ୟାର କାରଣ ଯଦିଓ ଅସ୍ପଷ୍ଟ, ତଥାପି ମାନସିକ ସ୍ଥିତି ଭଲ ନରହିବା ଓ ଅସ୍ବାଭାବିକ ଶକ୍ତି ବଳରେ ସେ ଗ୍ରିଲ ଭାଙ୍ଗି ଦେଇଥିବା କୁହାଯାଉଛି। କିନ୍ତୁ ସମସ୍ତଙ୍କ ଉପସ୍ଥିତି ସତ୍ତ୍ବେ କେଉଁ ପରିସ୍ଥିତିରେ ରୋଗୀ ଜଣକ ଆତ୍ମହତ୍ୟା କଲେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଵାର୍ଡରେ ସବୁ ଆଟେଣ୍ତାଣ୍ଟ ରହିଥିଲେ, ତାହେଲେ ସେ ଝରକା ତାଡ଼ିବା ବେଳେ କେହି ଦେଖି ପାରିନଥିଲେ କିପରି? ପୂର୍ବରୁ ବି ମେଡିକାଲ ଛାତରୁ ଡେଇଁ ରୋଗୀ ଆତ୍ମହତ୍ୟା କରିବା ଘଟଣା ଘଟିଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର