ଚାନ୍ଦୋଳ : ଚିକିତ୍ସା ନ ପାଇ ବୃଦ୍ଧ ମୃତ

କରୋନା କାଳରେ ରୋଗୀ କଲବଲ

ଚାନ୍ଦୋଳ : ଜ୍ବରରେ ପୀଡ଼ିତ ଜଣେ ବୃଦ୍ଧଙ୍କୁ ଚିକିତ୍ସା ସେବା ମିଳିଲାନି। ଏ ମେଡିକାଲ୍‌ରୁ ସେ ମେଡିକାଲ୍‌ ଧାଇଁଲେ, କେହି ତାଙ୍କ ଦେହରେ ହାତ ମାରିଲେନି। ଠିକଣା ସମୟରେ ଚିକିତ୍ସିତ ହେବାରୁ ବଞ୍ଚିତ ହୋଇ ଶେଷକୁ ସେ ଆଖି ବୁଜିଦେଲେ। କରୋନା କାଳରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଡେରାବିଶ ବ୍ଲକ୍‌ ଚାନ୍ଦୋଳ ଅଞ୍ଚଳରେ।

ସୂଚନା ଅନୁସାରେ, ଡେରାବିଶ ବ୍ଳକ ଚାନ୍ଦୋଳ ପଂଚାୟତ ଖରିଦାସାହି ଗ୍ରାମର ଲକ୍ଷ୍ମଣ ମିଶ୍ର(୬୦) ଉଚ୍ଚରକ୍ତଚାପ ରୋଗରେ ପୀଡ଼ିତ ଥିବା ସହ ଗଲାକାଲି ରାତିରେ ତାଙ୍କୁ ହଠାତ୍‌ ଜ୍ବର ଆସିଥିଲା। ପରିବାର ଲୋକେ ରାତି ପ୍ରାୟ ୧୨ଟା ବେଳେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚିକିତ୍ସା ପୂର୍ବରୁ ଡାକ୍ତର ପ୍ରଥମେ ତାଙ୍କର କରୋନା ପରୀକ୍ଷା କରିବାକୁ କହିଥିଲେ। ହେଲେ, ପରିବାର ଲୋକେ ତାଙ୍କୁ ସେଠାରୁ କଟକ ବଡ଼ମେଡିକାଲ ନେଇଯିବାବେଳେ ବାଟରେ ଲକ୍ଷ୍ମଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ବି ଡାକ୍ତର ତାଙ୍କର ଚିକିତ୍ସା କରି ନ ଥିଲେ। ସେଠାରୁ କଟକ ବଡ଼ ମେଡିକାଲରେ ପହଞ୍ଚି କରୋନା ପରୀକ୍ଷା ପୂର୍ବରୁ ଲକ୍ଷ୍ମଣଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଆଜି ସକାଳେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏହି ଘଟଣାକୁ ନେଇ ଗ୍ରାମରେ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର