କଲ୍ୟାଣସିଂହ: ରାୟଗଡ଼ା କଲ୍ୟାଣସିଂହପୁର ମୁଖ୍ୟରାସ୍ତାସ୍ଥିତ ସହିଦପୀଠ ନିକଟରେ ରୋଗୀ ନେଇ ଆସୁଥିବା ଏକ ଅମ୍ବୁଲାନ୍ସ ଆଜି ଅପରାହ୍ନରେ ପଂକଚର ହୋଇଯାଇଥିଲା। ଫଳରେ ଏହି ଆମ୍ବୁଲାନ୍ସରେ ଆସୁଥିବା ରୋଗୀଙ୍କ ଚିକିତ୍ସାରେ ବିଳମ୍ବ ହେତୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍ର କାରପା ଗ୍ରାମରେ କଲ୍ୟାଣୀ ବିଡିକା ବସବାସ କରନ୍ତି। ଦୁଇଦିନ ହେବ ସେ ଅସୁସ୍ଥ ଥିଲେ । ଆଜି ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହସ୍ପିଟାଲ ଅଣା ଯାଉଥିବା ବେଳେ ଆମ୍ବୁଲାନ୍ସଟି କଲ୍ୟାଣସିଂହପୁର ମୁଖ୍ୟରାସ୍ତାସ୍ଥିତ ସହିଦପୀଠ ନିକଟରେ ହଠାତ ପଂକଚର ହୋଇଯାଇଥିଲା।
ଏହାପରେ ରୋଗୀଙ୍କୁ ନେବା ପାଇଁ ଅନ୍ୟ ଏକ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ଏହି ୧୦୮ ଆମ୍ବୁଲାନ୍ସଟି ଖବର ପାଇ ଘଟଣାସ୍ଥଳରେ ପଞ୍ଚିବାରେ ଏକଘଣ୍ଟା ବିଳମ୍ବ କରିଥିଲା। ସେତେବେଳକୁ ରୋଗୀଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ଶେଷରେ ରୋଗୀଙ୍କୁ ପରିବାର ଲୋକେ ଏହି ଆମ୍ବୁଲାନ୍ସରେ କଲ୍ୟାଣସିଂହପୁର ଚିକିତ୍ସାଳୟରେ ଆଣି ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ବୋଲି ମୃତ କଲ୍ୟାଣୀ ବିଡିକାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି।