ଭିମ୍‌ସାରରେ ଷ୍ଟ୍ରେଚରରୁ ପଡ଼ି ରୋଗୀ ମୃତ

ପରିବାରର ଅଭିଯୋଗ: ଆଟେଣ୍ଡାଣ୍ଟ କଚାଡ଼ି ଦେଲେ

ସମ୍ବଲପୁର : ବୁର୍ଲା ବଡ଼ ମେଡିକାଲ (ଭିମ୍‌ସାର)ରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। କାଜୁଆଲିଟିରୁ ମେଡିସିନ୍‌ ୱାର୍ଡକୁ ନିଆଯିବା ବେଳେ ଷ୍ଟ୍ରେଚରରୁ ପଡ଼ି ଜଣେ ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟିଛି।

ମୃତକ ହୀରାକୁଦ ଥାନା ଟିକ୍ରାପଡ଼ା ଅଞ୍ଚଳର ପୀତବାସ ସାହୁ(୫୮)। ତେବେ ଏହି ଘଟଣା ପାଇଁ ପୀତବାସଙ୍କ ପୁଅ ମେଡିକାଲର ଜଣେ ଆଟେଣ୍ଡାଣ୍ଟଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି। ହାତଗୁଞ୍ଜା କମ୍‌ ହେବାରୁ ଉକ୍ତ ଆଟେଣ୍ଡାଣ୍ଟଜଣକ ପୀତବାସଙ୍କୁ ଷ୍ଟ୍ରେଚରରୁ ପକାଇ ଦେଇଥିବା ଓ ଏହାଫଳରେ ତାଙ୍କ ମୁହଁରେ ଲାଗିଥିବା ଅକ୍ସିଜେନ ମାସ୍କ୍‌ ଭାଙ୍ଗି ଯିବା ସହ ମୁହଁରେ ମାଡ଼ ହେବାରୁ ଘଟଣାସ୍ଥଳରେ ହିଁ ପୀତବାସଙ୍କ ମୃତ୍ୟୁ ଘଟିଥିବା ପୁଅ ତ୍ରିନାଥ ଅଭିଯୋଗ କରିଛନ୍ତି।

ବୁର୍ଲା ପୁଲିସ ଏହି ଘଟଣାରେ ୩୦୪ (କ) ଧ‌ାରାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। କିନ୍ତୁ ଆଟେଣ୍ଡାଣ୍ଟଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରିନାହିଁ। ଆସନ୍ତାକାଲି ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ ଆଟେଣ୍ଡାଣ୍ଟଙ୍କୁ ଚିହ୍ନଟ ସହ ଘଟଣାର ତଦନ୍ତ କରାଯିବ ବୋଲି ବୁର୍ଲା ଏସ୍‌ଡିପିଓ କହିଛନ୍ତି। ଅନ୍ୟପକ୍ଷରେ ମେଡିକାଲ ଅଧୀକ୍ଷକ ଡା. ଜୟଶ୍ରୀ ଦୋରା ଭିନ୍ନ କଥା କହୁଛନ୍ତି। ଷ୍ଟ୍ରେଚରରୁ ପୀତବାସ ପଡ଼ିଥିବା କଥାକୁ ସେ ସ୍ବୀକାର କରିଥିଲେ ମଧ୍ୟ ପଡ଼ିବା ଯୋଗୁଁ ନୁହେଁ ବରଂ କିଡ୍‌ନି ରୋଗ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା କହିଛନ୍ତି। ଏହି ଘଟଣା ନେଇ ମେଡିକାଲ ପରିସରରେ ତିନିଘଣ୍ଟା ଧରି ଉତ୍ତେଜନା ଦେଖା ଦେଇଛି। ଭିମ୍‌ସାରରେ ଅବ୍ୟବସ୍ଥା ପୁଣି ସୀମା ଟପିବାକୁ ବସିଲାଣି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର