ପିଆରଏମରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ : ନ୍ୟାୟ ଦାବିରେ ଫାଟକ ଆଗରେ ଶବ ରଖି ଧାରଣା

ବାରିପଦା : ପୁଣିଥରେ ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ହୋଇଛି ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ। ଆଜି ଚିକିତ୍ସାରେ ଅବହେଳାରୁ ଜଣେ ବୃଦ୍ଧ ଏବଂ ଅନ୍ୟ ଏକ ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି ।

ଜିଲ୍ଲାର ବଡ଼ସାହି ଥାନା ଅନ୍ତର୍ଗତ ଯଦୁନାଥପୁର ବେଲପାହାଡ଼ି ଗ୍ରାମର ସୁରେଇ ହାଁସଦା’ଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ବାପା ଚାନ୍ଦରାୟ ହାଁସଦା(୭୦)ଙ୍କର ଛାତିରେ ଯନ୍ତ୍ରଣା, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ପିଆରଏମରେ ଚିକିତ୍ସା ନିମନ୍ତେ ଆଜି ସକାଳେ ଭର୍ତ୍ତି କରିଥିଲେ । ଦାୟିତ୍ବରେ ଥିବା ଡାକ୍ତର ରୋଗୀଙ୍କୁ ଦେଖିବା ପରେ ଔଷଧ ଲେଖି ଦେଇଥିଲେ । ନିରାମୟରୁ ଔଷଧ ଧରି ପହଁଞ୍ଚିବା ପରେ ରୋଗୀଙ୍କୁ କୌଣସି ଔଷଧ ବା ଇଞ୍ଜେକ୍ସନ, ସାଲାଇନ ଆଦି ନ ଦେଇ ଏକ୍ସରେ କରାଇବା ନିମନ୍ତେ ପଠାଇ ଥିଲେ। ସେଠାରେ ପ୍ରାୟ ଘଣ୍ଟାଏ କାଳ ଅପେକ୍ଷା କରିବା ପରେ ଚାନ୍ଦରାୟଙ୍କର ମୃତ୍ୟୁ ହୋଇଥିଲା। ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜାଣିବା ପରେ ମଧ୍ୟ ଚିକିତ୍ସା ନକରି ଏକ୍ସ୍-ରେ ପାଇଁ ପଠାଇ ଦିଆଯାଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ମୃତକଙ୍କ ପୁଅ ଅଭିଯୋଗ କରିଛନ୍ତି। ଯଦି ଡାକ୍ତର ସଙ୍ଗେ ସଙ୍ଗେ ତାଙ୍କ ବାପାଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥାଆନ୍ତା ତେବେ ହୁଏତ ଜୀବନ ରକ୍ଷା ହୋଇପାରିଥାନ୍ତା ବୋଲି ପୁଅ ସୁରେଇ ଅଭିଯୋଗ କରିଛନ୍ତି ।

ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ କ୍ଷତିପୂରଣ ଦାବିରେ ପିଆରଏମ ମୁଖ୍ୟ ଫାଟକ ଆଗରେ ଶବ ରଖି ଧାରଣା ଦେଇଥିଲେ ସମ୍ପର୍କୀୟ। ଖବରପାଇ ବାରିପଦା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସନ୍ଧ୍ୟା ପ୍ରାୟ ୫.୪୫ରେ ଧାରଣା ହଟିଥିଲା। ଶବକୁ ଶବଗୃହରେ ରଖାଯାଇଛି। ଆସନ୍ତାକାଲି ପୋଷ୍ଟମର୍ଟମ ହେବ ବୋଲି ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।

ସେହିପରି ଅନ୍ୟ ଏକ ଘଟଣାରେ ଜାମଦା ବ୍ଲକ ମଧୁପୁର ଗ୍ରାମର ବିଶ୍ୱନାଥ କିସ୍କୁଙ୍କ ସ୍ତ୍ରୀ ରାଣୀ କିସ୍କୁଙ୍କର ଗତ ଜୁନ ୩୦ ବିଳମ୍ବିତ ରାତିରେ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ରାତିରେ ହସ୍ପିଟାଲରେ କୌଣସି ଡାକ୍ତର ନଥିବା କାରଣରୁ ସ୍ତ୍ରୀ ରାଣୀଙ୍କର ପ୍ରସବ କରାଯାଇ ପାରିନଥିଲା। କିମ୍ବା କୌଣସି ଚିକିତ୍ସା ସେବା ମଧ୍ୟ ଯୋଗାଇ ଦିଆଯାଇନଥିଲା। ଆଜି ସକାଳେ ଡାକ୍ତର ଆସିବା ପରେ ରାଣୀଙ୍କୁ ଓଟିକୁ ନିଆଯାଇଥିଲା । ସେଠାରେ ସେ ଏକ ମୃତ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ଯଦି ଗତକାଲି ରାତିରେ ତାଙ୍କ ପତ୍ନୀ ରାଣୀଙ୍କର ପ୍ରସବ କରାଯାଇ ପାରିଥାଆନ୍ତା ତେବେ ହୁଏତ ମା ପେଟରେ ଥିବା ପିଲା ବଞ୍ଚିଯାଇପାରିଥାନ୍ତା ବୋଲି ସ୍ୱାମୀ ବିଶ୍ୱନାଥ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର