ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ : ହାଇଟେକ୍‌ ମେଡିକାଲ୍‌ରେ ଉତ୍ତେଜନା

ରାଉରକେଲା : ଚିକିତ୍ସା ଅବହେଳାରୁ ହାଇଟେକ୍‌ ମେଡିକାଲ କଲେଜ ଓ ହସ୍ପିଟାଲ୍‌ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରୋଗୀଙ୍କ ପରିବାର ଲୋକ ଓ ସମ୍ପର୍କୀୟମାନେ ହସ୍ପିଟାଲ୍‌ରେ ହୋ ହଲ୍ଲା କରିଥିଲେ। ଥାନରେ ଉଭୟ ପକ୍ଷରୁ ଦୁଇଟି ଏତଲା ହୋଇଛି। ପୁଲିସ ମୃତ ବ୍ୟକ୍ତିଙ୍କ ୩ ସମ୍ପର୍କୀୟଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।

ବଣାଇଁ କେନାଭେଟା ଅଞ୍ଚଳର ଶୁଭେନ୍ଦୁ ନାଏକଙ୍କ ପତ୍ନୀ ତୃପ୍ତି ନାଏକ (୨୫) ବିଷ ପାନ କରି ଗୁରୁତର ଅବସ୍ଥାରେ ଗତ ଅକ୍ଟୋବର ୧୭ ତାରିଖ ଦିନ ବଣାଇଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରୁ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍‌ ଓ ପରେ ଇସ୍ପାତ ଜେନେରାଲ୍‌ ହସ୍ପିଟାଲ୍‌ (ଆଇଜିଏଚ୍‌)କୁ ନିଆଯାଇଥିଲା। ଆଇଜିଏଚ୍‌ ଚିକିତ୍ସା ଖର୍ଚ ଦେଇ ନ ପାରି ପରିବାର ଲୋକେ ତାଙ୍କୁ ହାଇଟେକ୍‌ ମେଡିକାଲ୍‌କୁ ଆଣିଥିଲେ। ଗତ ୨୫ ତାରିଖ ଠାରୁ ହାଇଟେକ୍‌ରେ ତାଙ୍କର ଚିକିତ୍ସା ଚାଲିଥିଲା। ଆଜି ପୂର୍ବାହ୍ନ ସାଢେ ୧୦ଟା ବେଳେ ତୃପ୍ତିଙ୍କର ମୃତ୍ୟୁ ଘଟିଥିଲା। ଅର୍ଥ ପଇଠ କରି ନ ପାରିବାରୁ ଚିକିତ୍ସାରେ ଅବହେଳା କରି ତୃପ୍ତିଙ୍କୁ ମାରି ଦିଆଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସେମାନେ କହିଛନ୍ତି ଯେ, ତୃପ୍ତିଙ୍କ ଚିକିତ୍ସା ଖର୍ଚ ବାବଦକୁ ହାଇଟେକ୍‌ ୯୬ ହଜାର ଟଙ୍କା ବିଲ୍‌ କରିଥିଲା। ସେଥିମଧ୍ୟରୁ ୩୫ ହଜାର ଟଙ୍କା ଦିଆଯାଇଥିଲା। ଅବଶିଷ୍ଟ ଟଙ୍କା ଦେବା ପାଇଁ ଯୋଗାଡ଼ ଚାଲିଥିଲା। ଟଙ୍କା ଦେବାରେ ବିଳମ୍ବ ହେବାରୁ ହାଇଟେକ୍‌ କର୍ତୃପକ୍ଷ ତାଙ୍କୁ ବାରମ୍ବାର ତାଗିଦ୍‌ କରୁଥିଲେ। ଗୁରୁତର ଅସୁସ୍ଥ ଥିବା ତୃପ୍ତିଙ୍କୁ ଭେଣ୍ଟିଲେଟରରୁ କାଢି ଦିଆଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଟଙ୍କା ଦିଆନଯିବାରୁ ହସ୍ପିଟାଲ୍‌ କର୍ତୃପକ୍ଷ ଏଭଳି ଅମାନବୀୟ କାର୍ଯ୍ୟ କରିଥିବା ସେମାନେ ଅଭିଯୋଗ କରିଛନ୍ତି। ହାଇକେଟ୍‌ ବିରୋଧରେ ଏତଲା ଦେବା ପାଇଁ ପରିବାର ଲୋକେ ରଘୁନାଥପାଲି ଥାନାକୁ ଯାଇଥିଲେ। କିନ୍ତୁ ପୁଲିସ ତାଙ୍କୁ ଫେରାଇ ଦେଇଥିଲା। ଏଥିରେ ବ୍ୟଥିତ ହୋଇ ତୃପ୍ତିଙ୍କ ପରିବାର ଲୋକ ଓ ସମ୍ପର୍କୀୟମାନେ ହାଇଟେକ୍‌ ଆସି ବିରୋଧରେ ହୋ ହଲ୍ଲା କରିଥିଲେ। ସଂଧ୍ୟାରେ କେନାଭେଟା ଅଞ୍ଚଳରୁ ୩ଟି ଗାଡ଼ିରେ ମୃତ ମହିଳାଙ୍କ ବହୁ ସମ୍ପର୍କୀୟ ହସ୍ପିଟାଲ୍‌ ପରିସରରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଖବରପାଇ ରଘୁନାଥପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଥାନାକୁ ନେଇ ଯାଇଥିଲେ। ପରେ ପୁଲିସ ମୃତ ତୃପ୍ତିଙ୍କ ପରିବାର ଓ ହାଇକେଟ୍‌ ହସ୍ପିଟାଲ ପକ୍ଷରୁ ଦୁଇଟି ଏତଲାକୁ ଗ୍ରହଣ କରି ତଦନ୍ତ କରୁଛି। ତୃପ୍ତିଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ କହି ସରକାର ହାଇକେଟ୍‌ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ ପାଇଁ ବେସରକାରୀ ସଂସ୍ଥାକୁ ଶହ ଶହ କୋଟି ଟଙ୍କାର ଜମି ଓ ନଗଦ ୨୦ କୋଟି ଟଙ୍କା ଦେଲେ। କିନ୍ତୁ ଗରିବ ଲୋକଙ୍କୁ ଚିକିତ୍ସା ଆଳରେ ହାଇଟେକ୍‌ କର୍ତୃପକ୍ଷ ଶୋଷଣ କରୁଛନ୍ତି। କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଶବ ଉଠିବ ନାହିଁ ବୋଲି ପରିବାର ଲୋକେ କହିଛନ୍ତି।

ଅପରପକ୍ଷେ ହାଇକେଟ୍‌ ପକ୍ଷରୁ ଦିଆଯାଇଥିବା ଏତଲାରେ କୁହାଯାଇଛି ଯେ, ତୃପ୍ତିଙ୍କ ଚିକିତ୍ସାରେ କୌଣସି ଅବହେଳା ହୋଇନାହିଁ। ଗୁରୁତର ଅବସ୍ଥାରେ ତାଙ୍କୁ ହାଇକେଟ୍‌ରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି ହେଉଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବାହାରକୁ ନେବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଅର୍ଥ ଅଭାବ ଦର୍ଶାଇ ସେମାନେ ନେଇନଥିଲେ। ଆଜି ତାଙ୍କର ମୃତ୍ୟୁ ହେବା ପରେ ଚିକିତ୍ସା ଖର୍ଚ ବାବଦକୁ ବାକି ଥିବା ୬୧ ହଜାର ଟଙ୍କା ଟଙ୍କା ଦେବା ପାଇଁ କୁହାଯାଇଥିଲା। ଟଙ୍କା ନ ଦେବା ପାଇଁ ସେମାନେ ଏଭଳି ମିଥ୍ୟା ଅଭିଯୋଗ ଆଣିଥିଲେ। ବାକି ଥିବା ଟଙ୍କା ନ ଦେଇ ଶବ ନେବାକୁ କୁହାଯାଇଥିଲେ ମଧ୍ୟ କେହି ଶୁଣି ନଥିଲେ। ହସ୍ପିଟାଲ୍‌ରେ ପଶି ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ରୋଗୀଙ୍କ ଚିକିତ୍ସାରେ ବାଧା ସୃଷ୍ଟି କରିଥିଲେ।

ତୃପ୍ତିଙ୍କ ମୃତ୍ୟୁକୁ ନେଇ ହାଇକେଟ୍‌ରେ ଉତ୍ତେଜନା ଲାଗି ରହିଛି। ପୁଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡାକି ସମାଧାନ ଲାଗି ଉଦ୍ୟମ କରୁଥିବା ଜଣାପଡ଼ିଛି। ତୃପ୍ତିଙ୍କ ମୃତ ଶରୀର ରାଉରକେଲା ସରକାରୀ ହସ୍ପିଟାଲ ମର୍ଗ ହାଉସ୍‌ରେ ରଖାଯାଇଛି।

ସମ୍ବନ୍ଧିତ ଖବର