ବରଗଡ଼ ଜିଲ୍ଲାରେ ରୋଗୀଙ୍କୁ ମିଳୁନି ଶଯ୍ୟା

ବରଗଡ଼ : ଜିଲ୍ଲାରେ ସକ୍ରିୟ କରୋନା ଆକ୍ରାନ୍ତ ସକ୍ରିୟ ସଂଖ୍ୟା ଦେଢ଼ ହଜାର ରହିଛି। ଏଥି‌ରୁ ବହୁ ‌ରୋଗୀ ବିଭିନ୍ନ ଡାକ୍ତରଖାନା (ସରକାରୀ/ଘରୋଇ)ରେ ଭର୍ତି ହୋଇଛନ୍ତି। ସିଂହଭାଗ ଲୋକ ଘରେ ରହି ଚିକିତ୍ସିତ ହେଉଛନ୍ତି। ଘରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେଲେ ସେମାନଙ୍କୁ ଡାକ୍ତରଖାନା ନେବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି। କିନ୍ତୁ ଡାକ୍ତରଖାନାରେ ଗୋଟିଏ ଶଯ୍ୟା ମିଳିବା କାଠିକର ହୋଇପଡ଼ିଛି।

ଜିଲ୍ଲା କୋଭିଡ୍‌ ହସ୍ପିଟାଲରେ ପ୍ରଥମ ପର୍ଯ୍ୟାୟରେ ଶହେ ଶଯ୍ୟା ଉପଲବ୍ଧ ରହିଛି। ହସ୍ପିଟାଲରେ ୩୬ଟି ଅମ୍ଳଜାନ ବିଶିଷ୍ଟ ଶଯ୍ୟା, ୮ଟି ଆଇସିୟୁ ରହିଛି। ତେବେ ଡାକ୍ତର ଅଭାବ କାରଣରୁ ଆଇସିୟୁ ଶଯ୍ୟା ଏବେ କାର୍ଯ୍ୟକାରୀ ହୋଇନାହିଁ। ଅର୍ଥାତ ୯୨ଟି ଶଯ୍ୟାରେ ହିଁ ଏବେ ରୋଗୀ ଭର୍ତି ହୋଇଛନ୍ତି। ଅନ୍ୟପକ୍ଷରେ ବିକାଶ ହସ୍ପିଟାଲରେ ସବୁ ବିଭାଗରେ ମିଶାଇ ମୋଟ୍‌ ୧୫୦ଟି ଶଯ୍ୟା ଉପଲବ୍ଧ ଥିବାବେଳେ ସେଠାରେ ୮୦ ପ୍ରତିଶତ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ସାଇ ମଲ୍‌ଟି ହସ୍ପିଟାଲରେ କୋଭିଡ୍‌ ରୋଗୀଙ୍କ ପାଇଁ ମାତ୍ର ୧୨ଟି ସାଧାରଣ ଶଯ୍ୟା ରହିଛି। କିଶୋରୀ ନର୍ସିଂହୋମ୍‌ରେ କରୋନା ରୋଗୀଙ୍କ ପାଇଁ ୨୦ଟି ସାଧାରଣ ଶଯ୍ୟା ବିଶିଷ୍ଟ କ୍ଷୁଦ୍ର କେନ୍ଦ୍ର ଆରମ୍ଭ କରିବାକୁ ଯୋଜନା ରହିଛି। ସାଇକୃପା ନର୍ସିଂହୋମ୍‌ରେ ୧୪ଟି ଶଯ୍ୟା ବିଶିଷ୍ଟ ଅତିରିକ୍ତ କରୋନା ଚିକିତ୍ସା ସେବା ତିନି ଚାରି ଦିନ ଭିତରେ ଆରମ୍ଭ କରିବାକୁ ଯୋଜନା ଥିବା ଜଣାପଡ଼ିଛି। ତେବେ ଆକ୍ରାନ୍ତ ସଂଖ୍ୟାକୁ ଦୃଷ୍ଟିରେ ରଖି ଏତିକି ଶଯ୍ୟା ବି ନିଅଣ୍ଟ ପଡ଼ିବା ଆଶଂକା ରହିଛି।

ବର୍ଷିକିଆ ଶିଶୁକୁ ବି ଛାଡ଼ୁନି କରୋନା
କେବଳ ବୟସ୍କଙ୍କୁ କରୋନା ହୁଏ। ଯୁବକ ଏବଂ ଶିଶୁମାନଙ୍କୁ ସଂକ୍ରମଣ ହେବା ଆଶଙ୍କା କମ୍‌। ଏହି ଧାରଣାକୁ କରୋନାର ଦ୍ବିତୀୟ ଲହର ଭୁଲ୍‌ ପ୍ରମାଣିତ କରିଛି। ସଦ୍ୟ ଭାବେ ଶିଶୁମାନେ ବି କରୋନାରେ ମାତ୍ରାଧିକ ସଂକ୍ରମିତ ହେଉଥିବା ଦେଖା ଦେଇଛି। ଜିଲ୍ଲାରେ ଗୁରୁବାର ମୋଟ୍‌ ୨୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ଜଣେ ବର୍ଷିକିଆ ଶିଶୁ, ୩ ଓ ୫ବର୍ଷର ଶିଶୁ ବି କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେହିପରି ୫ରୁ ୧୦ ବର୍ଷ ମଧ୍ୟରେ ୫ଜଣ ଏବଂ ୧୦ରୁ ୧୮ ମଧ୍ୟରେ ୧୧ଜଣ ଅଳ୍ପ ବୟସ୍କ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।

ସାନିଟାଇଜ୍‌କୁ ଅଣଦେଖା
ବରଗଡ଼ ଜିଲ୍ଲାରେ କରୋନା ନିୟନ୍ତ୍ରଣ ବାହାରକୁ ଚାଲି ଗଲାଣି। ପଦ୍ମପୁର, ସୋହେଲା, ପାଇକମାଳରେ ସ୍ଥିତି ବିପଦରେ। ତେବେ ଏତେ ସଂକ୍ରମଣ ପରେ ସାନିଟାଇଜ୍‌ କଥା ପ୍ରଶାସନ ଭୁଲି ଯାଇଛି। ହାଟରେ ଗହଳି ଲାଗୁଛି। କିନ୍ତୁ ଏଯାଏଁ କୌଣସି ଯାଗା ସାନିଟାଇଜ୍‌ ହୋଇନାହିଁ। ବରଗଡ଼ ପୌରାଞ୍ଚଳ‌େର କିଛି ପଡ଼ା କିମ୍ବା ୱାର୍ଡ ହଟସ୍ପଟ୍‌ରେ ପରିଣତ ହେବାକୁ ଲାଗିଛି। ତେଣୁ ଠିକଣା ସମୟରେ ସାନିଟାଇଜ୍‌ କରାନଗଲେ, ସ୍ଥିତି ହାତମୁଠାରୁ ଚାଲିଯିବ। ବ୍ୟାଙ୍କ, ଦପ୍ତର, ପେଟ୍ରୋଲ ପମ୍ପ ଆଦି ଇଲାକାକୁ ଯୁଦ୍ଧକାଳୀନ ଭିତ୍ତିରେ ସାନିଟାଇଜ୍‌ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର