ରୋଗୀ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା ଓ ଭଙ୍ଗାରୁଜା, ଭଦ୍ରକ ଜିଲ୍ଲା ଡାକ୍ତରଖାନାରେ ପୁଲିସ ମୁତୟନ

ଭଦ୍ରକ: ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଜି ସନ୍ଧ୍ୟାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ରୋଗୀଙ୍କ ପରିବାର ଓ ସଂପର୍କୀୟମାନେ ଏହି ଉତ୍ତେଜନା ଓ ଭଙ୍ଗାରୁଜା କରିଥିବା ଜଣାଯାଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀ ଜଣଙ୍କର ମୃତ୍ୟୁ ହୋଇଛି। ରୋଗୀର ମୃତ୍ୟୁ ପରେ ପରିବାର ଲୋକଙ୍କ ମେଡିକାଲ କର୍ମଚାରୀଙ୍କ ସହ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି। ପରିସ୍ଥିତି ବିଗିଡ଼ିବାରୁ ସମ୍ପୂର୍ଣ୍ଣ ଡାକ୍ତରଖାନା ପରିସରରେ ପୁଲିସ ମୁତୟନ କରାଯାଇଛି।

 

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ସତ୍ୟେନ୍ଦୁ ମଲିକ ଆଜି ଅପରାହ୍ନ ଗାଡ଼ିଆରେ ପଡି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ପ୍ରଥମେ ଧୂଷୁରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ସତ୍ୟେନ୍ଦୁଙ୍କର ମୃତ୍ୟୁ ପରେ ଡାକ୍ତରଖାନାରେ ଆଜି ସନ୍ଧ୍ୟାରେ ଉତ୍ତେଜନା ଦେଖାଦେଇଥିଲା। ମୃତ ବ୍ୟକ୍ତିଙ୍କ ପରିବାର ଲୋକ ମେଡିକାଲ କର୍ମଚାରୀଙ୍କ ସହ ପାଟି ତୁଣ୍ଡ କରିବା ସହ ଧସ୍ତାଧସ୍ତି କରିଥିଲେ। ଏଥି ସହିତ ଡାକ୍ତରଖାନା ପରିସରରେ ସେମାନେ ଭଙ୍ଗାରୁଜା କରିଥିଲେ।

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଭଦ୍ରକ ଟାଉନ୍‌ ପୁଲିସ  ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି। ରିପୋର୍ଟ ଲେଖାଯିବା ବେଳକୁ ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଯେ, ଡାକ୍ତରମାନେ ସେମାନଙ୍କର କର୍ତ୍ତବ୍ୟରେ ଆଦୌ ଅବହେଳା କରି ନାହାନ୍ତି।

ସମ୍ବନ୍ଧିତ ଖବର