ଦୁର୍ଗମ ଅଞ୍ଚଳର ଆଉ ଏକ ଦୁଃଖ : ଆମ୍ବୁଲାନ୍‌ସ ନ ଆସିବାରୁ ରୋଗୀ ମୃତ

ମାଲକାନଗିରି : ଦୁର୍ଗମ ଅଞ୍ଚଳକୁ ଆମ୍ବୁଲାନ୍ସ ନ ଆସିବାରୁ ଆଜି ଜଣେ ରୋଗୀଙ୍କୁ ପ୍ରାଣ ହରାଇବାକୁ ପଡ଼ିଚି। ଆଜି ମାଲକନାଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କାଦଗୁଡ଼ାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଆଜି ଏହି ଗାଁର ଜମ୍ବତୀ କଂସାରୀ (୫୫) ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକ ଏବଂ ଗ୍ରାମବାସୀ ଏନେଇ ସୂଚନା ଦେବାରୁ ମେଡିକାଲରୁ ୧୦୮ ଆମ୍ବୁଲାନ୍‌ସ ଗାଁ ଅଭିମୁଖେ ବାହାରିଥିଲା। କିନ୍ତୁ ଗାଁକୁ ପକ୍କା ରାସ୍ତା ନଥିବାରୁ ଗାଁରେ ପହଞ୍ଚି ପାରିଲା ନାହିଁ। ପୂର୍ବରୁ ରହିଥିବା ପାଦ ଚଲା ରାସ୍ତାରେ ଲଗାଣ ବର୍ଷା ଯୋଗୁଁ କାଦୁଅରେ ଭର୍ତି ହୋଇଯାଇଥିଲା। ଯାହାଫଳରେ ଏହି ରାସ୍ତାରେ ଗାଁ ପର୍ଯ୍ୟନ୍ତ ଯିବା ସମ୍ଭବ ନୁହେଁ। ଯଦି ଆମ୍ବୁଲାନ୍‌ସ ଥରେ କାଦୁଅରେ ଫସିଯିବ, ତାହାହେଲେ ଆଉ ବାହାରିବ ନାହିଁ ବୋଲି ଗାଡ଼ି ଚାଳକ କହିଥିଲେ। ଅପରପକ୍ଷରେ ଜମ୍ବତୀଙ୍କ ଯନ୍ତ୍ରଣା ବଢ଼ି ଯିବାରୁ ବାଧ୍ୟ ହୋଇ ପରିବାର ଲୋକ ଗୋଟିଏ ଖଟିଆରେ ତାଙ୍କୁ ବୋହି ବୋହି ଲମତାଗୁଡ଼ା ପର୍ଯ୍ୟନ୍ତ ଆଣିଲେ। ଏହାପରେ ଆମ୍ବୁଲାନ୍‌ସ ଯୋଗେ ଖଇରପୁଟ ମେଡିକାଲ ନିଆଯାଇଥିଲା। କିନ୍ତୁ ଚିକିତ୍ସାରେ ବିଳମ୍ବ ହେବାରୁ ମେଡିକାଲ ପହଞ୍ଚିବା ପୂର୍ବରୁ ହିଁ ମହିଳା ଜଣକ ଆଖି ବୁଜିଦେଲେ।ଏହି ଖବର ଗାଁରେ ପ୍ରଚାର ହେବାପରେ ଶୋକର ଛାୟା ଖେଳି ଯାଇଛି। ଗାଁକୁ ଭଲ ରାସ୍ତା ଖଣ୍ଡିଏ ଥିଲେ ମହିଳାଙ୍କ ଜୀବନ ବଂଚିଯାଇଥାନ୍ତା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।

ସମ୍ବନ୍ଧିତ ଖବର