ବୁର୍ଲା: ସମ୍ବଲପୁର ଜିଲ୍ଲା ବୁର୍ଲା କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ବଲାଙ୍ଗୀର ଜିଲ୍ଲାର ଜଣେ ୮୦ ବର୍ଷୀୟ ବୃଦ୍ଧ। ଗତ ରବିବାର ଦିନ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭିମସାର୍ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା।
ଉଚ୍ଚ ରକ୍ତଚାପ ସହ ତାଙ୍କର ୨ଟି ଯାକ ବୃକକ୍ କାର୍ଯ୍ୟକରିବା ବନ୍ଦ କରିଦେଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ବୁର୍ଲାର ଏକ ନର୍ସିଂହୋମ୍ରେ ଶନିବାର ଜଣେ ୪୨ ବର୍ଷୀୟ ବ୍ୟକ୍ତି କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଶନିବାର କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ନେଇ ହସ୍ପିଟାଲ୍ ଇନ୍ଚାର୍ଜ ଡା. ମନୋରଞ୍ଜନ ନାଏକ ସୂଚନା ଦେଇଛନ୍ତି। ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସେ କହିଛନ୍ତି।