ବ୍ରହ୍ମପୁର : ଏମ୍କେସିଜି ବଡ଼ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ପୁଣି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ପାଞ୍ଚଦିନ ଭିତରେ ଏହା ଦ୍ବିତୀୟ ଘଟଣା। ଠିକ୍ ସମୟରେ ଆଇସିୟୁ ନମିଳିବାରୁ ରୋଗୀଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ମୃତକ ହେଲେ, ଛତ୍ରପୁର ଥାନା ବିପୁଲିଙ୍ଗି ଗ୍ରାମର ଶଶିଭୂଷଣ ସାମନ୍ତରାୟ। ଛାତିରେ କଫ ଜମି ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ବାପା ଶଶିଭୂଷଣଙ୍କୁ ଗତ ୨୬ତାରିଖରେ ଏମ୍କେସିଜି କାଜୁଆଲ୍ଟିରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା କରିବାପରେ ତାଙ୍କୁ ଟିବି ଓ ଛାତିରୋଗ ବିଭାଗ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଆଇସିୟୁରେ ରଖିବାପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଏଥିପାଇଁ ତାଙ୍କ ପୁଅ ପ୍ରତାପ ସାମନ୍ତରାୟ ବିଭାଗୀୟ ଡାକ୍ତର ଓ କର୍ମଚାରୀଙ୍କ ସହିତ କଥା ହୋଇଥିଲେ। ହେଲେ, ତାଙ୍କୁ ଆଇସିୟୁ ମିଳି ନଥିଲା। ବାରମ୍ବାର ଅନୁରୋଧ ପରେ ମଧ୍ୟ କେହି ତାଙ୍କର କଥା ଶୁଣି ନଥିଲେ। ଫଳରେ, ଗୁରୁତର ଅବସ୍ଥାରେ ଆଜି ସକାଳେ ବାପା ଶଶିଭୂଷଣଙ୍କ ମୃତ୍ୟୁ ଘଟିଥିବା ପ୍ରତାପ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ, ଏମ୍କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ସନ୍ତୋଷ ମିଶ୍ର କହିଛନ୍ତି, ଘଟଣା ସମ୍ପର୍କରେ ମୃତକଙ୍କ ପୁଅ ଅଭିଯୋଗ କରିଛନ୍ତି। ତାଙ୍କର ଅଭିଯୋଗ ଅନୁସାରେ ତଦନ୍ତ ହେବ।
ଉଲ୍ଲେଖଯୋଗ୍ୟ ଯେ ଗତ ୨୭ ତାରିଖ ଦିନ ମଧ୍ୟ ମେଡିସିନ୍ ୱାର୍ଡ଼ରେ ଜଣେ ମହିଳା ରୋଗୀଙ୍କୁ ଆଇସିୟୁ ନମିଳିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେହି ଘଟଣାର ତଦନ୍ତ ପାଇଁ ବଡ଼ ମେଡିକାଲ ଅଧୀକ୍ଷକ ନିର୍ଦ୍ଦେଶ ଦେଇଥିଲେ, ଯାହାର ରିପୋର୍ଟ ଆଜି ପର୍ଯ୍ୟନ୍ତ ମିଳିନି।