ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ!

ନର୍ସିଂହୋମ୍‌ ବିରୋଧରେ ମାମଲା

ସମ୍ବଲପୁର : ଚିକିିତ୍ସାରେ ଅବହେଳା ଯୋଗୁଁ ପୁଣି ଜଣେ ରୋଗୀଙ୍କ ଜୀବନ ଯାଇଛି। ବୁର୍ଲାସ୍ଥିତ ପଟେଲ ନର୍ସିଂହୋମ୍‌ର ଡାକ୍ତରଙ୍କ ଅବହେଳା ଯୋଗୁଁ ତାରକ ପ୍ରସାଦ ଭୁୟାଁ(ବାପି)ଙ୍କ ମୃତ୍ୟୁ ଘଟିଥିବା ନେଇ ବୁର୍ଲା ଥାନାରେ ଅଭିଯୋଗ ହୋଇଛି। ତାରକଙ୍କ ପତ୍ନୀ ଶୁଭଶ୍ରୀ ଭୁୟାଁଙ୍କ ଅଭିଯୋଗକ୍ରମେ ବୁର୍ଲା ଥାନା ପୁଲିସ ପଟେଲ ନର୍ସିଂହୋମ୍‌ ଓ ଏହାର ଡାକ୍ତରମାନଙ୍କ ବିରୋଧରେ ଆଇପିସିର ଧାରା ୩୦୪(ଏ)ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଗତ ୨୧ ତାରିଖ ଦିନ ଜୟନ୍ତପୁର ପଟୁ ସମ୍ବଲପୁର ଫେରୁଥିବା ବେଳେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ତାରକ ବୁର୍ଲା ପଟେଲ ନର୍ସିଂହୋମ୍‌ରେ ଭର୍ତି ହୋଇଥିଲେ। ତାଙ୍କର ଗୋଟିଏ ଗୋଡ଼ରେ ଆଘାତ ଲାଗିଥିଲା। ଗତ ୨୯ ତାରିଖ ସକାଳେ ତାରକଙ୍କ ଗୋଡ଼ର ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ମଧ୍ୟ ସେ ଠିକ୍‌ ଥିଲେ। ମାତ୍ର କିଛି ସମୟ ପରେ ଯନ୍ତ୍ରଣା ଅନୁଭବ କରିଥିଲେ। କିଛି ସମୟ ବ୍ୟବଧାନରେ ଦୁଇଟି ଇଂଜେକ୍‌ସନ ଦିଆଯାଇଥିଲା। ଇଂଜେକ୍‌ସନ ଦେବା ପରେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ଏଭଳି ଅବସ୍ଥା ଦେଖି ପରେ ନର୍ସିଂହୋମ୍‌ କର୍ତୃପକ୍ଷ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ଗୁୁରୁତର ଅବସ୍ଥାରେ ଅପରାହ୍‌ଣ ୪ଟାରେ ତାରକଙ୍କୁ ସମଲେଶ୍ୱରୀ ନର୍ସିଂହୋମ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ତେବେ ସେଠାରେ ଚିକିିତ୍ସାଧୀନ ଅବସ୍ଥାରେ ରାତିରେ ତାରକଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ତାରକଙ୍କ ଚିକିତ୍ସାରେ ପଟେଲ ନର୍ସିଂହୋମ୍‌ରେ ଅବହେଳା କରିବା ଓ ଭୁଲ ଔଷଧ ଦିଆଯିବା ଯୋଗୁଁ ମୃତ୍ୟୁ ଘଟିଥିବା ନେଇ ତାଙ୍କ ପତ୍ନୀ ବୁର୍ଲା ଥାନାରେ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ଚିକିିତ୍ସାରେ କୌଣସି ପ୍ରକାର ଅବହେଳା ହୋଇନଥିବା ପଟେଲ ନର୍ସିଂହୋମ୍‌ର ମାଲିକ ସୁପ୍ରିୟ ପଟେଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଆଇସିୟୁ ଆବଶ୍ୟକ ପଡ଼ିବାରୁ ଅନ୍ୟତ୍ର ନେବାକୁ କୁହାଯାଇଥିଲା। ପୁଲିସକୁ ତଦନ୍ତରେ ସବୁପ୍ରକାର ସହଯୋଗ କରାଯାଉଛି ବୋଲି ଶ୍ରୀ ପଟେଲ କହିଛନ୍ତି।

ତାରକଙ୍କ ଘର ଜଗତସିଂପୁର ଜିଲ୍ଲା ଦଣ୍ଡିଲୋ ଗ୍ରାମରେ। ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିବା ତାରକ ସମ୍ବଲପୁର ଜିଲ୍ଲା ସ୍କୁଲ ଛକରେ ସପରିବାର ରହୁଥିଲେ।

ସମ୍ବନ୍ଧିତ ଖବର