ଅନୁଗୁଳ : ଅନୁଗୁଳ ଥାନା ବଲାସିଂଘା ଗାଁ ବାଲିସାହିର ଶିବରାମ ପ୍ରଧାନ ଓରଫ୍ ଶିବ(୩୮) ଛାତ ସେଣ୍ଟି୍ରଂ ମିସ୍ତ୍ରି ଭାବେ କାମ କରନ୍ତି। ଖାଦ୍ୟନଳୀରେ ସମସ୍ୟା ଯୋଗୁଁ ଗତ ୫/୬ ଦିନ ହେଲା ସେ ଅସୁସ୍ଥ ହୋଇପଡ଼ିଥିଲେ। ସୋମବାର ସାଢ଼େ ୭ଟାରେ ଚିକିତ୍ସା ପାଇଁ ସେ ଡାକ୍ତର ବେଣୁଧର ଶତପଥୀଙ୍କ କ୍ଲିନିକ୍କୁ ଆସିଥିଲେ। ଡାକ୍ତର ଶତପଥୀଙ୍କୁ ଦେଖାଇବା ପରେ ତାଙ୍କ ପରାମର୍ଶ ମୁତାବକ ସେ କ୍ଲନିକ ପାଖ ମା’ ତାରିଣୀ ମେଡିସିନ ଷ୍ଟୋରକୁ ଯାଇ ଇଂଜେକ୍ସନ ନେଇଥିଲେ। ତେବେ ଇଂଜେକ୍ସନ ନେବାର କିଛି ସମୟ ପରେ ସକାଳ ୮ଟା ୧୫ରେ ସେ ଗୁରୁତର ହୋଇ ତଳେ ପଡ଼ି ଯାଇଥିଲେ। ଔଷଧ ଦୋକାନୀ ଏକ ଅଟୋରିକ୍ସାରେ ଶିବଙ୍କୁ ସଂଗେସଂଗେ ଡାକ୍ତର ଶତପଥୀଙ୍କ ପାଖକୁ ପଠାଇ ଦେଇଥିଲେ। ହେଲେ ଅଟୋରିକ୍ସାରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଖବର ପାଇ ପରିବାର ସଦସ୍ୟ ଓ ଗାଁ ଲୋକେ ତୁରନ୍ତ ଅନୁଗୁଳରେ ପହଂଚିଥିଲେ। ଏହି ଘଟଣାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥିତି ଅଣାୟତ୍ତ ହେବା ଆଶଙ୍କା କରି ପୁଲିସ ମଧ୍ୟ ତୁରନ୍ତ ସେଠାରେ ପହଂଚି ଥିଲା। ଲୋକଙ୍କୁ ବୁଝାସୁଝା କରିଥିଲା। ପୁଲିସର ହସ୍ତକ୍ଷେପ ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ଘଟଣା ସଂକ୍ରାନ୍ତରେ ଶିବଙ୍କ ଭଉଣୀ ଜ୍ୱାଇଁ ଦେବରାଜ ସାହୁ ଡାକ୍ତର ଏବଂ ଔଷଧ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପୁଲିସକୁ ନିବେଦନ କରିଛନ୍ତି। ପୁଲିସ ଘଟଣା ସଂକ୍ରାନ୍ତରେ ଅନୁଗୁଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣା ସଂକ୍ରାନ୍ତରେ ଡାକ୍ତର ଶତପଥୀଙ୍କୁ ପଚାରିବାରୁ ସେ କହିଲେ, ରୋଗୀର ତଣ୍ଟି ଫୁଲିଥିଲା। ସେ ଖାଇ ପାରୁନଥିଲେ। ତେଣୁ ଡାକ୍ତରଖାନାରେ ଭର୍ତି ହେବାକୁ ସେ ତାଙ୍କୁ କହିଥିଲେ। ମାତ୍ର ସେ ଏକାକୀ ଆସିଥିବାରୁ ଡାକ୍ତରଖାନାରେ ଭର୍ତି ହୋଇପାରିବେ ନାହିଁ ବୋଲି କହିଥିଲେ। ତାଙ୍କୁ ୪ଟି ଇଂଜେକ୍ସନ ନେବାକୁ ପରାମର୍ଶ ଦେଇଥିଲେ। ତେବେ ଔଷଧ ଦୋକାନୀ କେଉଁ ଇଂଜେକ୍ସନ ଦେଇଛନ୍ତି ସେ କେମିତି ଜାଣିବେ ବୋଲି ଡା. ଶତପଥୀ ପାଲଟା ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ଔଷଧ ଦୋକାନୀ ଭୁଲ୍ ଇଂଜେକ୍ସନ ଦିଆଯାଇଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ତଣ୍ଟି ପୀଡ଼ା ଏବଂ ଗ୍ୟାସ୍ଟିକ୍ ପାଇଁ ଡାକ୍ତର ଶତପଥୀ ଲେଖିଥିବା ଇଂଜେକ୍ସନ ହିିଁ ଶିବଙ୍କୁ ଦିଆଯାଇଛି ବୋଲି ସେ କହିଛନ୍ତି। ଅନୁଗୁଳ ଥାନା ଅଧିକାରୀ ରମେଶ ବିଶୋଇଙ୍କୁ ପଚାରିବାରୁ ସେ କହିଲେ, ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।