ସୁନ୍ଦରଗଡ଼: ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ତୃତୀୟ ମହଲା ଛାତରୁ ଖସି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଡାଏନିଡିହି ଗ୍ରାମର ଅନିଲ ସୋରେଙ୍ଗ (୨୪)। ଅନିଲ ପାଖାପାଖି ଅଧଘଣ୍ଟା ଛାତରେ ଝୁଲି ରହିଥିଲେ। ବଞ୍ଚାଇବାକୁ କେହି ନ ଆସିବାରୁ ତଳେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅନିଲଙ୍କ ମା’ ଇଲିସାବା ସୋରେଙ୍ଗଙ୍କ  କହିବା ଅନୁସାରେ, ଅସୁସ୍ଥ ପୁଅକୁ ସେ ରବିବାର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସୁସ୍ଥ ହେବାରୁ ସୋମବାର ରାତିରେ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା। ଆଜି ସକାଳେ ଅନିଲ ତାଙ୍କ ମା’ଙ୍କ ଉପରେ ବିରକ୍ତ ହୋଇଥିଲେ। ‘ଘରକୁ ଯିବା ବୋଲି କହୁଛୁ, ଘରକୁ ନେଉନାହୁଁ’ କହି ଡାକ୍ତରଖାନା ଶଯ୍ୟାରୁ ଉଠି ଝରକା ଖୋଲି ଛାତକୁ ପଳେଇ ଯାଇଥିଲେ। ମା’ ବି ତାଙ୍କ ପଛେ ପଛେ ଯାଇଥିଲେ। ଏହି ସମୟରେ ଅନିଲ ଭାରସାମ୍ୟ ହରାଇ ଛାତରୁ ଖସି ଯାଇଥିଲେ।

Advertisment

ସିଧା ତଳେ ନପଡ଼ି ଛାତରେ ପ୍ରାୟ ଅଧଘଣ୍ଟା ଯାଏଁ ଲଟକି ରହି ବଞ୍ଚାଇବା ପାଇଁ ପାଟି କରିଥିଲେ। ମା’ ଏକୁଟିଆ ନିରୁପାୟ ହୋଇ କିଛି ଚିନ୍ତା କରି ପାରିନଥିଲେ। କେତେକ ଲୋକ ଦେଖଣାହାରୀ ସାଜିଥିବାବେଳେ ମେଡିକାଲର କୌଣସି କର୍ମଚାରୀ କି ଅଧିକାରୀ ପହଞ୍ଚି ନଥିଲେ। ଶେଷରେ ଅନିଲଙ୍କ ହାତ ଖସି ଯାଇଥିଲା ଏବଂ ତଳେ ପଡ଼ି ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ପୁଲିସ ଶବ ବ୍ୟବଚ୍ଛେଦ କରାଇବା ସହ ଘଟଣାର ତଦନ୍ତ ଚଳାଇଛି। ଏ ସମ୍ପର୍କରେ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ ଡା. ନିର୍ମଳଚନ୍ଦ୍ର ସାହାଣୀଙ୍କୁ ପଚାରିବାରୁ ସେ କହିଥିଲେ, ଏବେ କିଛି କହିହେବ ନାହିଁ l ସିସିଟିଭି ଫୁଟେଜ୍‌ ଅନୁଧ୍ୟାନ ଏବଂ ପୁଲିସ ତଦନ୍ତ ପରେ ରୋଗୀ ଡେଇଁ ପଡ଼ିଛି କି ଖସି ପଡ଼ିଛି, ତାହା ସ୍ପଷ୍ଟ ହେବ।