ଜଳେଶ୍ଵର: ଜଳେଶ୍ଵର ବ୍ଲକ ଅଧୀନସ୍ଥ ହାତୀଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ଭୋର ୪ଟା ସମୟରେ ଜଣେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ହସ୍ପିଟାଲରେ ଉତ୍ତେଜନା ଲାଗିରହିଛି। ମୃତକ ହେଉଛନ୍ତି ରାଇବଣିଆ ଥାନା ସର୍ଦ୍ଦାରବନ୍ଧ ପଞ୍ଚାୟତ ଶଙ୍ଖାଭଙ୍ଗା ଗଙ୍ଗାଧର ମହାନ୍ତ(୪୫)।

Advertisment

ଗତ ଗୁରୁବାର ଦିନ ଗଙ୍ଗାଧରଙ୍କ ଝାଡ଼ା ଲାଗି ରହିବାରୁ ପରିବାର ଲୋକେ ସେହିଦିନ ଅପରାହ୍ନରେ ତାଙ୍କୁ ଚିକିତ୍ସା ପାଇଁ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୪ଟା ସମୟରେ ପରଲୋକ ହୋଇଯାଇଛି। ରୋଗୀଙ୍କ ଅବସ୍ଥା ଗୁରୁତର ଥିଲେ ମଧ୍ୟ ଗତକାଲି ଦିନ ତମାମ ସକାଳେ ସନ୍ଧ୍ୟାରେ ଏମିତି ଦୁଇ ଥର ମାତ୍ର ଡାକ୍ତର ରୋଗୀ ଦେଖିବାକୁ ଆସିଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗଙ୍ଗାଧର ନିଜ ଗାଁରେ ୪ ଥର ଓ୍ବାର୍ଡସଭ୍ୟ ରହିଥିବା ବେଳେ ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।