ବଦଳିଲା ଏସ୍‌ସିବିର ୫୦ ବର୍ଷ ପୁରୁଣା ବ୍ୟବସ୍ଥା : ଆର୍‌ଡିସିଙ୍କ ନିର୍ଦ୍ଦେଶ, ସବୁ ଡିସ୍‌ଚାର୍ଜ ପେପରରେ ରହିବ ଡାକ୍ତରଙ୍କ ନାମ, ସ୍ୱାକ୍ଷର

କଟକ : ଶେଷରେ ବଦଳିଲା ଏସ୍‌ସିବି ମେଡିକାଲରେ ଚାଲିଥିବା ପଚାଶ ବର୍ଷର ପୁରୁଣା ବ୍ୟବସ୍ଥା। ‘ସମ୍ବାଦ’ରେ ଏ ସଂପର୍କିତ ରିପୋର୍ଟ ପ୍ରକାଶ ପାଇବାର ଦିନକ ଭିତରେ ଏଭଳି ବ୍ୟବସ୍ଥାକୁ ତୁରନ୍ତ ବଦଳାଇବାକୁ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ କୁମାର ସାମଲ ନିର୍ଦ୍ଦେଶ ଦେଇଛନ୍ତି। ଆର୍‌ଡିସିଙ୍କ ନିର୍ଦ୍ଦେଶ ଅନୁଯାୟୀ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେବା ପରେ ୱାର୍ଡରୁ ଡିସଚାର୍ଜ ହେଉଥିବା ସମସ୍ତ ରୋଗୀଙ୍କ ଡିସ୍‌ଚାର୍ଜ ପେପରରେ ରୋଗୀଙ୍କ ନାମ, ବୟସ, ରୋଗ ସଂପର୍କିତ ସବିଶେଷ ତଥ୍ୟ ସହ ଚିକିତ୍ସା କରୁଥିବା ଡାକ୍ତରଙ୍କ ନାମ ଓ ସ୍ବାକ୍ଷର ରହିବ। ଏ ସଂକ୍ରାନ୍ତରେ ଆର୍‌ଡିସିଙ୍କ କାର୍ଯ୍ୟାଳୟରୁ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଆଜି ଲିଖିତ ନିର୍ଦ୍ଦେଶନାମା ପଠାଯାଇଛି। ଏସ୍‌ସିବି କର୍ତ୍ତୃପକ୍ଷ ଏହି ନିର୍ଦ୍ଦେଶନାମାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମେଡିକାଲର ବିଭିନ୍ନ ବିଭାଗକୁ ଜଣାଇ ଦେଇଥିବା ସୂଚନା ମିଳିଛି। ଏହି ନୂଆ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ବଡ଼ ମେଡିକାଲର ବିଭିନ୍ନ ବିଭାଗ ତତ୍ପରତା ଦେଖାଇଥିବା ମଧ୍ୟ ସୂଚନା ମିଳିଛି। ଏହା କାର୍ଯ୍ୟକାରୀ ହେଲେ ଚିକିତ୍ସିତ ରୋଗୀମାନେ ବିଶେଷ ଉପକୃତ ହେବା ସହିତ ଚିକିତ୍ସା ବ୍ୟବସ୍ଥା ଅଧିକ ସ୍ବଚ୍ଛ ହୋଇପାରିବ ବୋଲି ବିଭିନ୍ନ ମହଲରେ ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ ୫୦ ବର୍ଷ ତଳେ ଏସ୍‌ସିବିରେ ରୋଗୀଙ୍କୁ ଯେଉଁ ପ୍ରକାର ଡିସଚାର୍ଜ ପେପର ମିଳୁଥିଲା ଅନେକ ବିଭାଗରେ ଏବେ ମଧ୍ୟ ସେହି ପୁରୁଣା ବ୍ୟବସ୍ଥା ଚାଲି ଆସିଛି। ଅନେକ ବିଭାଗର ଡିସ୍‌ଚାର୍ଜ ପେପରରେ ଡାକ୍ତରଙ୍କ ନାମ ରୋଗ ସମେତ ରୋଗ ସଂପର୍କିତ ଅନେକ ତଥ୍ୟ ରହୁନାହିଁ। କେବଳ ରୋଗୀଙ୍କ ନାମ, ବୟସ, ୱାର୍ଡ, ୟୁନିଟ୍, ଆଡମିସନ୍‌ ଓ ଡିସଚାର୍ଜ ତାରିଖ ଲେଖାଥିବା କାଗଜ ଧରାଇ ଦେଇ ରୋଗୀଙ୍କୁ ଡିସ୍‌ଚାର୍ଜ କରାଯାଉଛି। ଏସ୍‌ସିବିରେ କେବଳ ପ୍ଲାଷ୍ଟିକ୍‌ ସର୍ଜରି, ୟୁରୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋସର୍ଜରି, ମେଡିସିନ୍‌ ବିଭାଗକୁ ଛାଡ଼ିଦେଲେ ଅନ୍ୟସବୁ ବିଭାଗରେ ସେହି ପୁରୁଣା ଢାଞ୍ଚ‌ାରେ ଚାଲିଛନ୍ତି। ଫଳରେ କୌଣସି ପ୍ରକାର ‌ସମସ୍ୟା ଦେଖା ଦେଲେ ରୋଗୀ କୌଣସି ପଦକ୍ଷେପ ନେବା ବି ସମ୍ଭବ ହେଉନାହିଁ। ଏଭଳି ଅବ୍ୟବସ୍ଥା ସଂକ୍ରାନ୍ତରେ ୧୧ତାରିଖ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏହାର କାର୍ଯ୍ୟାନୁଷ୍ଠାନ ସ୍ବରୂପ ଦିନକ ଭିତରେ ଆର୍‌ଡିସିଙ୍କ ପକ୍ଷରୁ ବ୍ୟବସ୍ଥା ପରିବର୍ତ୍ତନ ପାଇଁ ଆଜି ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ଆର୍‌ଡିସିଙ୍କ ଲିଖିତ ନିର୍ଦ୍ଦେଶନାମା ବଡ଼ ମେଡିକାଲରେ ପହଞ୍ଚିବା ପରେ ମେଡିକାଲ କର୍ତ୍ତୃପକ୍ଷ ଏହି ନିର୍ଦ୍ଦେଶନାମାକୁ ବିଭିନ୍ନ ବିଭାଗକୁ ପଠାଇବା ସହିତ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଲେଖିଛନ୍ତି।

ସମ୍ବନ୍ଧିତ ଖବର