ସମ୍ବଲପୁର କୋଭିଡ୍ ହସ୍ପିଟାଲରୁ ରୋଗୀ ଫେରାର୍‌! ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ

ସମ୍ବଲପୁର : ସମ୍ବଲପୁର କୋଭିଡ୍ ହସ୍ପିଟାଲରୁ ନିଖୋଜ ହୋଇଥିବା ଜଣେ ରୋଗୀ ୨ଦିନ ପରେ ଶନିବାର ଉଦ୍ଧାର ହୋଇଛନ୍ତି। ଏହି ଅବଧି ମଧ୍ୟରେ ସେ ସହରର ବିଭିନ୍ନ ଅଂଚଳ ବୁଲିଛନ୍ତି। ଏଭଳି ସ୍ଥିତିରେ ବହୁ ଲୋକଙ୍କୁ ସଂକ୍ରମିତ କରିଥିବାର ବି ଆଶଙ୍କା ସୃଷ୍ଟି ହୋଇଛି।

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅଂଚଳର ଏହି ରୋଗୀ ଜଣକ ‌ଦେବଗଡ଼ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ୧୮ ତାରିଖ ସନ୍ଧ୍ୟାରେ ତାଙ୍କୁ ବୁର୍ଲା ଭିମ୍‌ସାର କୋଭିଡ୍ ହସ୍ପିଟାଲକୁ ରେଫର୍ କରାଯାଇଥିଲା। ମାତ୍ର, ଭିମ୍‌ସାର କୋଭିଡ୍ ହସ୍ପିଟାଲ ଜାଗାରେ ଆମ୍ବୁଲାନ୍ସ ଚାଳକ ତାଙ୍କୁ ସମ୍ବଲପୁର ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରିଦେଇଥିଲେ। ୧୯ ତାରିଖ ସକାଳେ ୯ଟାରେ ତାଙ୍କ କ‌ଲେଜ ପଢ଼ୁଆ ସାନପୁଅ ସମ୍ବଲପୁର ଅଶ୍ବିନୀ କୋଭିଡ୍ ହସ୍ପିଟାଲକୁ ଆସି ବାପାଙ୍କ ଚିକିତ୍ସା ସଂପର୍କରେ ପଚାରି ବୁଝିବା ସହିତ କିଛି ଖାଦ୍ୟ ବି ପଠାଇ ଥିଲେ। ତେବେ, ୨୦ ତାରିଖ ସକାଳେ ବି ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରିବା ସହିତ କିଛି ଫଳ ସୁରକ୍ଷା କର୍ମୀଙ୍କ ହାତରେ ପଠାଇଥିଲେ। ମାତ୍ର, ସେଦିନ ଅପରାହ୍‌ଣ ୫ଟାରେ ହସ୍ପିଟାଲରୁ ତାଙ୍କ ବାପା କୁଆଡ଼େ ଚାଲିଯାଇଛନ୍ତି ବୋଲି ଖବର ଦିଆଯାଇଥିଲା।

ବାପା ନିଖୋଜ ହେବା ଜାଣିବା ପରେ ‌‌ଖୋଜାଖୋଜି ବି କରିଥିଲେ। ମାତ୍ର ଦେବଗଡ଼ର ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ତାଙ୍କ ବଡ଼ଭାଇଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ପାଇ ଛାତ୍ର ଜଣକ ସଂଗେ ସଂଗେ ଗାଁକୁ ପଳାଇ ଥି‌ଲେ। ଏପଟେ ସମ୍ବଲପୁରରେ ରହୁଥିବା ତାଙ୍କ ସଂପର୍କୀୟ ତଥା ପରିଚିତ ଲୋକଙ୍କୁ ବାପାଙ୍କ ନିଖୋଜ ହେବା ସଂକ୍ରାନ୍ତରେ ଖବର ଦେଇ ଖୋଜାଖୋଜି କରିବାକୁ ଅନୁରୋଧ କରିଥିଲେ। ଶନିବାର ସକାଳ ୯ଟାରେ କରୋନା ଆକ୍ରାନ୍ତ ଏହି ବ୍ୟକ୍ତି ଜଣକ ଧନୁପାଲି ଅଂଚଳରେ ବୁଲାବୁଲି କରୁଥିବା ଦେଖି ଜଣେ ପରିଚିତ ବ୍ୟକ୍ତି ତାଙ୍କ ସାନପୁଅକୁ ଖବର ଦେଇଥିଲେ। ଏପଟେ ଘଟଣା ସଂକ୍ରାନ୍ତରେ ଖବର ପାଇ ଧନୁପାଲି ପୁଲିସ ପୁଣି ଏହି କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ସମ୍ବଲପୁର ଅଶ୍ବିନୀ ‌କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ସାନପୁଅ ଶନିବାର ଅପରାହ୍‌ଣରେ ସମ୍ବଲପୁର ଆସି ତାଙ୍କୁ ହସ୍ପିଟାଲରୁ ନିଜ ଜିମାରେ ଘରକୁ ନେଇଯାଇଥିବା ଜଣାପଡ଼ିଛି।

କୋଭିଡ୍ ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହା ସତ୍ତ୍ବେ ସେ କାହିଁକି ଓ କେମିତି ଫେରାର ହୋଇଗଲେ ଏବଂ କେହି ଜାଣିପାରିଲେ ନାହିଁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପେଟ ତାଙ୍କ ସାନପୁଅ ଅଭିଯୋଗ କରିଛନ୍ତି ଯେ, ତାଙ୍କ ବାପା ନିଜେ କୁଆଡ଼େ ଯାଇନାହାନ୍ତି। ତାଙ୍କୁ ହସ୍ପିଟାଲରୁ ବାହାର କରିଦିଆଯାଇଛି। ଏପରିକି ଘଟଣା ସଂପର୍କରେ ଥାନାରେ ବି ଅଭିଯୋଗ କରାଯାଇନାହିଁ। ଏ ସଂକ୍ରାନ୍ତରେ ସମ୍ବଲପୁର ଅଶ୍ବିନୀ କୋଭିଡ୍ ହସ୍ପିଟାଲର ମୁଖ୍ୟ ରିତେଶ ପୁହାଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଫେରାର ହେବା ସଂକ୍ରାନ୍ତରେ ଆମ‌େ ସଂଗେସଂଗେ ପ୍ରଶାସନ ପକ୍ଷରୁ ନିଯୁକ୍ତ ଅଧିକୃତ ଅଧିକାରୀଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଇଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର