ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଜଣେ ଯୁବକ ଆଜି ସକାଳେ ଡାକ୍ତରଖାନାର ୬ ମହଲାରୁ ତଳକୁ ଖସିପଡ଼ି ପ୍ରାଣ ହରାଇଛନ୍ତି। ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି, ନା’ କୋଠା ଉପରକୁ ଖସି ପଡ଼ିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ଢେଙ୍କାନାଳ ଟାଉନ ଥାନା ପୁଲିସ ଏ ସଂପର୍କରେ ମାମଲା ରୁଜୁ କରିବା ସହ ଘଟଣା ସ୍ଥଳରେ ତଦନ୍ତ ଚଳାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗଁଦିଆ ବ୍ଲକ୍ ଦେଓଗାଁ ପଞ୍ଚାୟତ ମହୁଳଖୋଳି ଗାଁର ବିଜୟ ବେହେରାଙ୍କ ପୁଅ ଟୁନା ବେେହରା ଓରଫ କାଠି(୨୧) ଅସୁସ୍ଥ ହେବାରୁ ୧୬ ତାରିଖ ଦିନ ତାଙ୍କୁ ଦେଓଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ସ୍ବାସ୍ଥ୍ୟ ପରୀକ୍ଷା ପରେ ସେ ଅଂଶୁଘାତ ଯୋଗୁଁ ଅସୁସ୍ଥ ହୋଇଥିବା ଜଣାପଡ଼ିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସେଦିନ ରାତିରେ ପୁଣି ଥରେ ଟୁନା ଅସୁସ୍ଥ ହୋଇପଡ଼ିବାରୁ ସଂପର୍କୀୟମାନେ ରାତି ୧୧ଟାବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତରଖାନା ୪ ମହଲାରେ ଥିବା ଭେଷଜ ବିଭାଗରେ ସେ ଚିକିତ୍ସିତ ହେଉଥିଲେ। ଆଜି ସକାଳ ୮ଟା ୧୫ ମିନିଟ୍ରେ ପାଖରେ ଥିବା ପିଉସୀଙ୍କୁ ‘ବୁଲି କରି ଆସୁଛି’ କହି ଟୁନା ବାହାରକୁ ଯାଇଥିଲେ। ସେ ରୢାମ୍ପ ରାସ୍ତାଦେଇ ଡାକ୍ତରଖାନା ୬ ମହଲା ଆଡ଼କୁ ଯାଇଥିଲେ। ୬ ମହଲାରେ ରୢାମ୍ପ ରାସ୍ତା ପାର୍ଶ୍ବରେ ଥିବା ଖୋଲା ଝରକାରୁ ତଳକୁ ଖସି ପଡ଼ିବାରୁ ତାଙ୍କ ମୃତ୍ୟୁ ଘଟିଥିଲା। ସେ ଖସି ପଡ଼ିଥିବା ଝରକାଠାରୁ କିଛି ଦୂରରେ ଏକ ନୂଆ ବ୍ଲେଡ୍ ଖୋଲା ହୋଇ ଚଟାଣରେ ପଡ଼ିଥିବା ବେଳେ ସେଠାରେ ରକ୍ତ ଠୋପା ପଡ଼ିଥିବା ଓ ରକ୍ତ ଲଗା ପାଦଚିହ୍ନ ଥିବା ଦେଖିବାକୁ ମିଳିଛି। ସେ ବ୍ଲେଡ଼୍ରେ ଶୀରରର କୌଣସି ଅଂଶକୁ କାଟିବା ପରେ ସେଠାରୁ ଧାଇଁଯାଇ ଚପଲ ରଖି ଝରକା ବାଟେ ତଳକୁ ଡେଇଁ ପଡ଼ି ଆତ୍ମହତ୍ୟା କରିଥିବା କୁହାଯାଉଛି। କୌଣସି କାରଣରୁ ଟୁନା ମାନସିକ ଭାରସାମ୍ୟ ହରାଇ ଏପରି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ଅପରପକ୍ଷରେ ଝରକା ଉପରେ ବସିଥିବା ବେଳେ ଭାରସାମ୍ୟ ହରାଇ ସେ ତଳକୁ ଖସି ପଡ଼ିଥିବା ଅନ୍ୟ କେତେକ କହୁଛନ୍ତି। ତେବେ ଟୁନାଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ଟାଉନ୍ ଥାନା ପୁଲିସ୍ ଘଟଣାସ୍ଥଳରେ ତଦନ୍ତ ଚଳାଇଛି। ଏ ସଂପର୍କରେ ଥାନାରେ କେସ୍ ନମ୍ବର ୧୭/୨୦୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ବୋଲି ଥାନାଧିକାରୀ ଅଭିନବ ଡାଳୁଆ ପ୍ରକାଶ କରିଛନ୍ତି ।
ସୂଚନା ଯୋଗ୍ୟ, ଗତ ନଭେମ୍ବର ମାସରେ ମଧ୍ୟ ସଦର ଥାନା ଭାପୁର ଫାଣ୍ଡି ହରିଡ଼ିପଶି ଗାଁର ଖଗେଶ୍ୱର ଭୋଳ ଓରଫ ଟୁକୁଲି(୩୫) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୪ ମହଲାରୁ ପଡ଼ି ପ୍ରାଣ ହରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/medical2.jpg)