୬ ଦିନ ହେଲା ଶୁଭଙ୍କରଙ୍କ ପିଚାରୁ ବାହାରି ପାରୁନି ଛୁଞ୍ଚି, ହାତ ଟେକି ଦେଲା ଏସ୍‌ସିବି, ଏମ୍‌ସ ସ୍ଥାନାନ୍ତରଣ ପାଇଁ ପରାମର୍ଶ

କଟକ : ପୁଅ ଭାରି କଷ୍ଟ ପାଉଛି, ଛୋଟ ଛୁଆ ବୋଲି କିଛି କହି ପାରୁନି। ଡାକ୍ତର କହୁଛନ୍ତି ମେସିନ୍‌ ଖରାପ ଅଛି, ଏମ୍‌ସ ନେଇଯିବା ପାଇଁ। କେବେ ବାହାରିବ ମୋ’ ପୁଅ ଦେହରୁ ଛୁଞ୍ଚି। ବନ୍ତଳାରୁ ଅନୁଗୁଳ, ତାପରେ ଶିଶୁଭବନ, ଏସ୍‌ସିବି ଓ ଏବେ ଏମ୍‌ସ। ନର୍ସଙ୍କ ସାମାନ୍ୟ ଅସାବଧାନତା ପାଇଁ କଷ୍ଟ ଭୋଗୁଛୁ ବୋଲି କାନ୍ଦି କାନ୍ଦି କହିଛନ୍ତି ଶୁଭଙ୍କରଙ୍କ ବାପା ନିରାକାର ବେହେରା। ଏସ୍‌ସିବିରେ ଡାକ୍ତର ହାତ ଟେକିଦେଇ ଏମ୍‌ସ ନେବା ପାଇଁ କହିଛନ୍ତି। ଡିସଚାର୍ଜ ସାର୍ଟିଫିକେଟ ମିଳିବା ପରେ ଏମ୍‌ସ ନେଇଯିବାକୁ ବାଧ୍ୟହୋଇଛନ୍ତି ବାପା ନିରାକାର। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଗଡ଼ତରାସ ଗାଁର ନିରାକାର ବେହେରାଙ୍କ ପୁଅ ଶୁଭଙ୍କର ଗତ ୨୫ତାରିଖ ଦିନ ଘରେ ଖେଳୁଥିବା ବେ‌ଳେ ତଳେ ପଡ଼ି ଯାଇଥିଲେ। ପାଟି ଖଣ୍ଡିଆ ହୋଇଯାଇଥିଲା ଓ ଜିଭରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ପରିବାର ଲୋକେ ପୁଅକୁ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ଶୁଭଙ୍କରଙ୍କୁ ୨ଟି ଇଞ୍ଜେକ୍ସନ ଦେବାକୁ ନର୍ସଙ୍କୁ କହିଥିଲେ। କିନ୍ତୁ ଛୁଞ୍ଚି ପୋଡ଼ିଲା ବେଳେ ନର୍ସଙ୍କ ହାତରୁ ସିରିଞ୍ଜ୍‌ ଖସି ପଡ଼ିଥିଲା ଓ ଛୁଞ୍ଚି ପିଚାରେ ପଶି ବଙ୍କା ହେଇଯାଇଥିଲା। ନର୍ସ ଛୁଞ୍ଚିଟିକୁ ବାହାର କରି‌ଦେଲେ ସିନା, ତାକୁ ନ ବଦଳାଇ ବଙ୍କା ଛୁଞ୍ଚିକୁ ସିଧା କରି ପୁଣି ପିଚାରେ ଫୋଡ଼ିଦେଲେ। ଫଳରେ ଛୁଞ୍ଚିର କିଛି ଅଂଶ ଭାଙ୍ଗି ପିଚା ଭିତରେ ରହି ଯାଇଥିଲା। ତେବେ ନର୍ସଙ୍କ ଅବହେଳା ଯୋଗୁ ଏପ୍ରକାର ଘଟିଲା ବୋଲି ପରିବାର ଲୋକ ଅଭିଯୋଗ କଲେ। ଗୋଟିଏ ହାତରେ ମୋବାଇଲ୍‌ ଧରି କଥା ନର୍ସଜଣକ ଅନ୍ୟ ହାତରେ ଇଞ୍ଜେକସନ୍ ଦେଇଥିବାରୁ ହାତରୁ ସିରିଞ୍ଜ୍‌ ଖସି ପଡ଼ିଥିଲା। ଛୁଞ୍ଚି ନ ବାହାରିବାରୁ ସେମାନେ ପୁଅକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। କିନ୍ତୁ, ସେଠାରେ ଆବଶ୍ୟକ ଭିତ୍ତିଭୂମି ନ ଥିବା କହି ଡାକ୍ତର ଶୁଭଙ୍କରଙ୍କୁ ଶିଶୁଭବନକୁ ରେଫର୍ କରି ଦେଇଥିଲେ। ଶିଶୁଭବନରେ ଶୁଭଙ୍କର ଭର୍ତ୍ତି ହୋଇ ଦୁଇଦିନ ଚିକିତ୍ସିତ ହେବା ପରେ ସେଠାରେ ଅପରେସନ୍‌ ସମ୍ଭବ ନୁହେଁ ଦର୍ଶାଇ ଡାକ୍ତର କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରି ଦେଇଥିଲେ। ଏବେ ବଡ ମେଡିକାଲରେ ୪ଦିନ ରହିବା ପରେ ଡାକ୍ତର ତାଙ୍କୁ ଏମ୍‌ସ ନେଇଯିବାକୁ ପରାମର୍ଶ ଦେଇଥିବା ଶୁଭଙ୍କରଙ୍କ ବାପା ଅଭିଯୋଗ କରିଛନ୍ତି। ଅତି ଗରିବ ଚାଷୀ ପରିବାରରେ ହୋଇଥିବାରୁ ତାଙ୍କ ନିକଟରେ ଏତେ ଟଙ୍କା ନାହିଁ। ଏଭଳି ସ୍ଥିତିରେ ଗୋଟିଏ ପରେ ଗୋଟି ମେଡିକାଲକୁ ନେଇ ଶୁଭଙ୍କରଙ୍କ ପିଚାରୁ ଛୁଞ୍ଚି ବାହାର କରିବାର ଖର୍ଚ ବହନ କରିବା ନିରାକାରଙ୍କ ପକ୍ଷେ ସମ୍ଭବ ହୋଇପାରୁ ନାହିଁ। ଏ ସମ୍ପର୍କରେ ଏସ୍‌ସିବି ଅଧୀକ୍ଷକ ଡାକ୍ତର ସିବିକେ ମହାନ୍ତିଙ୍କୁ ପଚାରିବାରୁ ସେ ଘଟଣା ସଂପର୍କରେ ଜାଣି ନଥିବା କହିଛନ୍ତି। ତା’ଛଡ଼ା, ଯଦି ଡାକ୍ତରଙ୍କ ପାଖରେ ସାଧନ ନଥିବ ତେବେ ସେ ଏମ୍‌ସ ସ୍ଥାନାନ୍ତରଣ ପାଇଁ କହି‌ଥିବେ ବୋଲି ଡାକ୍ତର ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର