ସମ୍ବଲପୁର : ମରିଗଲା ମାନବିକତା। ଭଡ଼ା ଟଙ୍କା କମିଗଲା ବୋଲି ଡାକ୍ତରଖାନାରୁ ଡିସ୍ଚାର୍ଜ ରୋଗୀଙ୍କୁ ତାଙ୍କ ଗାଁକୁ ନେଇ ପୁଣି ସେଠାରୁ ଅଢ଼େଇଶହ କିଲୋମିଟର ଦୂର ବୁର୍ଲା ବଡ଼ ଡାକ୍ତରଖାନାକୁ ଫେରାଇ ଆଣିଲା ଆମ୍ବୁଲାନ୍ସ ଚାଳକ। କେବଳ ସେତିକି ନୁହେଁ; ଫେରିବା ପରେ ରୋଗୀ, ତାଙ୍କ ପତ୍ନୀ ଓ ୫ ବର୍ଷର ପୁଅକୁ ଆମ୍ବୁଲାନ୍ସ ଭିତରେ ତାଲା ପକାଇ ଘରକୁ ପଳାଇ ଗଲା। ରବିବାର ଦିନ ୧୨ଟାରୁ ସୋମବାର ସକାଳ ୭ଟା ୩୦ ପର୍ଯ୍ୟନ୍ତ ଭୋକ, ଉପାସରେ ଆମ୍ବୁଲାନ୍ସ ଭିତରେ ବନ୍ଦୀ ହୋଇ ରହିଲେ ଜଣେ ମେରୁଦଣ୍ଡରେ ଯକ୍ଷ୍ମା ହୋଇ ଚିକିତ୍ସିତ ହେଉଥିବା ରୋଗୀ, ତାଙ୍କ ୫ ବର୍ଷର ଛୁଆ ଓ ପତ୍ନୀ। ଏହି ସମୟରେ ସେମାନେ ପରିସ୍ରା ପାଇଁ ବି ବାହାରକୁ ବାହାରି ପାରି ନଥିଲେ। ଏଭଳି ଅମାନବୀୟ ଘଟଣା ଘଟାଇଛନ୍ତି ବୁର୍ଲା ବଡ଼ ଡାକ୍ତରଖାନାର ଜଣେ ଆମ୍ବୁଲାନ୍ସ ମାଲିକ ଓ ଚାଳକ। ସେମାନଙ୍କ ନାମରେ ବୁର୍ଲା ଥାନାରେ ମାମଲା ରୁଜୁ ହୋଇଛି।
ଅଭିଯୋଗ ଅନୁସାରେ, ନୂଆପଡ଼ା ଜିଲ୍ଲା ଖରିଆରର ତଗେଶ୍ବର ମାଝୀ(୩୦)ଙ୍କର ମେରୁଦଣ୍ଡରେ ଟିବି ହୋଇଥିବାରୁ ଗତ ୧୫ ତାରିଖରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବୁର୍ଲା ବଡ଼ ଡାକ୍ତରଖାନାର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ। ସୁସ୍ଥ ହେବା ପରେ ୨ ତାରିଖ ଶନିବାର ସଂଧ୍ୟାରେ ଡାକ୍ତର ତାଙ୍କୁ ଡିସଚାର୍ଜ କରିଥିଲେ। ଡାକ୍ତରଖାନାର ଜଣେ କର୍ମଚାରୀ ଏକ ଆମ୍ବୁଲାନ୍ସ ଠିକ୍ କରିଦେବା ପରେ ରବିବାର ଦିନ ୧୨ଟାରେ ଶ୍ରୀ ମାଝୀ ତାଙ୍କର ପତ୍ନୀ ଓ ୫ ବର୍ଷର ଶିଶୁ ପୁତ୍ରକୁ ଖରିଆର ବାହାରିଥିଲେ। ଘରେ ଛାଡ଼ିବା ପାଇଁ ଆମ୍ବୁଲାନ୍ସ ଚାଳକଙ୍କ ସହ ୫୨୦୦ ଟଙ୍କାରେ କଥା ଛିଣ୍ଡିଥିଲା। କିନ୍ତୁ ତାଙ୍କ ହାତରେ ୧୬୦୦ ଟଙ୍କା ଥିବାରୁ ତାକୁ ଅଗ୍ରୀମ ଭାବେ ଚାଳକକୁ ଦେଇଥିଲେ। ଘରେ ପହଞ୍ଚିବା ପରେ ବଳକା ଟଙ୍କା ଦେଇଦେବେ ବୋଲି ଶ୍ରୀ ମାଝୀ କହିଥିଲେ। କଥା ଅନୁସାରେ ଆମ୍ବୁଲାନ୍ସ ଚାଳକ ତାଙ୍କୁ ନେଇ ସଂଧ୍ୟା ୭ଟା ୩୦ରେ ଖରିଆର୍ରେ ପହଞ୍ଚିଥିଲା। କିନ୍ତୁ ଗାଡ଼ିରୁ ଓହ୍ଲାଇବା ପରେ ଯେଉଁ ବ୍ୟକ୍ତି ଶ୍ରୀ ମାଝୀଙ୍କୁ ୩୫୦୦ ଟଙ୍କା ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସେ ଉପସ୍ଥିତ ନଥିଲେ। ତେଣୁ ଟଙ୍କା ପାଇଁ କିଛି ସମୟ ଅପେକ୍ଷା କରିବାକୁ ଶ୍ରୀ ମାଝି ଆମ୍ବୁଲାନ୍ସ ଚାଳକଙ୍କୁ ଅନୁରୋଧ କରିଥିଲେ। ହେଲେ ଚାଳକ ରାଗିଯାଇ ଆମ୍ବୁଲାନ୍ସ ମାଲିକ ଛୋଟେଲାଲ ଗୁପ୍ତାଙ୍କୁ ଫୋନ୍ କରିଥିଲା। ତାଙ୍କ ନିର୍ଦେଶରେ ଶ୍ରୀ ମାଝୀ, ତାଙ୍କ ପତ୍ନୀ ଓ ପୁଅକୁ ପୁଣି ଆମ୍ବୁଲାନ୍ସ ଭିତରକୁ ଟାଣି ଆଣି ଲକ୍ କରି ପୁଣି ବୁର୍ଲା ଫେରାଇ ଆଣିଥିଲା ଡ୍ରାଇଭର । ରବିବାର ରାତି ପ୍ରାୟ ୧୨ଟା ୩୦ରେ ବୁର୍ଲାରେ ପହଞ୍ଚିବା ପରେ ଡାକ୍ତରଖାନା ଶୌଚାଳୟ ସମ୍ମୁଖରେ ଆମ୍ବୁଲାନ୍ସ ରଖି ତା ଭିତରେ ଶ୍ରୀ ମାଝୀ, ତାଙ୍କ ପତ୍ନୀ ଓ ପୁଅକୁ ଲକ୍ କରି ଘରକୁ ପଳାଇଥିଲା। ରାତି ତମାମ୍ ୬ ଘଣ୍ଟା ଧରି ୩ ଜଣ ଯାକ ଆମ୍ବୁଲାନ୍ସ ଭିତରେ ଭୋକ ଉପାସରେ ବନ୍ଧକ ହୋଇ ରହିଥିଲେ। ସୋମବାର ସକାଳ ୬ଟା ୩୦ରେ ଉକ୍ତ ରାସ୍ତା ଦେଇ ଲୋକେ ଯାଉଥିବା ସମୟରେ ସେମାନେ ଗାଡ଼ି ଭିତରୁ ଡାକି ଥିଲେ। ଏହାପରେ ଲୋକେ ଆମ୍ବୁଲାନ୍ସରୁ ସେମାନଙ୍କୁ ଉଦ୍ଧାର କରି ଆଣି କାଜୁଆଲ୍ଟି ସାମ୍ନାରେ ରଖିଥିଲେ। ସେଠାରେ ସେମାନଙ୍କୁ ଖାଇବାକୁ ଦିଆ ଯାଇଥିଲା। ରବିବାର ଦିନ ୧୨ଟାରୁ ରବିବାର ୭ଟା ୮ଟା ପର୍ଯ୍ୟନ୍ତ ୫ ବର୍ଷର ଶିଶୁ, ରୋଗୀ ସମେତ ତିନି ଜଣ ଯାକ କିଛି ବି ଖାଇ ନଥିଲେ ବୋଲି ଶ୍ରୀ ମାଝୀ କାନ୍ଦିକାନ୍ଦି ‘ସମ୍ବାଦ’କୁ କହିଛନ୍ତି।
ପରେ ଆମ୍ବୁଲାନ୍ସ ମାଲିକ ଆସି ତୁ ଏଠାରୁ କେମିତି ଯିବୁ ଦେଖିବି, ଯେମିତି ହେଲେ ମୋ ବାକି ପଇସା ଦେ ବୋଲି ଧମକ ଦେଇଥିଲା। ଏସବୁ ଜାଣିବା ପରେ ଡାକ୍ତର ଶଂକର ରାମଚନ୍ଦାନୀ ସେମାନଙ୍କୁ ନେଇ ଖାଲିଥିବା ଟ୍ରମା ୟୁନିଟ୍ରେ ରଖି ଦିନବେଳା ଖାଇବା ପିଇବା ବ୍ୟବସ୍ଥା କରିଥିଲେ। ସେମାନଙ୍କ ଦୁଃଖ ଶୁଣିବା ପରେ ଥାନାରେ ଏତଲା ଦେବାକୁ ବ୍ୟବସ୍ଥା କରିଥିଲେ। ଏହା ଶ୍ରୀ ମାଝୀ ଅଭିଯୋଗ କରିବାକୁ ବାହାରିବାରୁ ଆମ୍ବୁଲାନ୍ସ ମାଲିକ ଛୋଟଲାଲ ଗୁପ୍ତା ଓ ତାଙ୍କର ୨ ସହଯୋଗୀ ଘଟଣାସ୍ଥଳରେ ପହଞ୍ଚି ମାମଲା ଚପାଇବାକୁ ଉଦ୍ୟମ କରିଥିଲେ। ଶ୍ରୀ ମାଝୀ ରାଜି ନହେବାରୁ ତାଙ୍କ ପାଖରୁ ଲିଖିତ ଅଭିଯୋଗ ଛଡ଼ାଇ ନେଇ ଚାଲି ଯାଇଥିଲେ। ସୂଚନା ପାଇ ପୁଣି ଡା.ରାମଚନ୍ଦାନୀ ସେଠାରେ ପହଞ୍ଚି ବୁର୍ଲା ମେଡିକାଲ୍ ଫାଣ୍ଡିରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ଶ୍ରୀ ରାମଚନ୍ଦାନୀ ନିଜେ ୪୬୦୦ ଟଙ୍କା ଦେଇ ଆଉ ଏକ ଆମ୍ବୁଲାନ୍ସ କରି ରବିବାର ସଂଧ୍ୟା ୭ଟାରେ ସେମାନଙ୍କୁ ଖରିଆର ପଠାଇଥିଲେ। ଉକ୍ତ ଆମ୍ବୁଲାନ୍ସରେ ପଦ୍ମପୁର ଯିବାକୁ ଥିବା ଆଉ ଜଣେ ଗରିବ ରୋଗୀଙ୍କୁ ମଧ୍ୟ ପଠାଇ ଦେଇଥିଲେ।