ବାରିପଦା କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କୁ ଅବହେଳା ପ୍ରସଂଗ: ମାନବାଧିକାର କମିସନଙ୍କ ଜବାବ ତଲବ

କଟକ : ବାରିପଦା କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କ ପ୍ରତି ଅବହେଳା ପ୍ରସଂଗକୁ ରାଜ୍ୟ ମାନବାଧିକାର କମିସନ୍ ଗୁରୁତ୍ବର ସହିତ ଗ୍ରହଣ କରି ମାମଲା‌ରେ ଜବାବ ତଲବ କରିଛନ୍ତି। କମିସନଙ୍କ ପକ୍ଷରୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ଅଧୀକ୍ଷକଙ୍କୁ ନୋଟିସ୍ ଜାରି କରାଯିବା ସହିତ ଅଗଷ୍ଟ ୨୩ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପିଆର୍‌ଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲ ଅଧୀକ୍ଷକ ଘଟଣାର ତଦନ୍ତ କରି ମାନବାଧିକାର କମିସନଙ୍କ ନିକଟରେ ସବିଶେଷ ତଥ୍ୟ ଦାଖଲ କରିବେ। ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ଆବେଦନର ଶୁଣାଣି କରି କମିସନ୍ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟର ବିଭିନ୍ନ କୋଭିଡ କେୟାର ସେଣ୍ଟର ଓ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଓ ଯତ୍ନରେ ଅ‌ବହେଳାକୁ ନେଇ ଅଭିଯୋଗ ହେଉଥିବା ବେଳେ ବାରିପଦା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ପ୍ରସଂଗରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପରେ ଶ୍ରୀ ମିଶ୍ରଙ୍କ ତରଫରୁ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ ଦାଖଲ କରାଯାଇଥିଲା। ମେ ୨୩ରେ ନିଜ ସଂପର୍କୀୟଙ୍କୁ ଚିକିତ୍ସା ଅବହେଳା ଯୋଗୁଁ ହରାଇଥିବା ବିଭୁଦତ୍ତ ଦାଶ ଅଭିଯୋଗ କରିଥିଲେ। ଘଟଣାରେ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ମୃତ ରୋଗୀଙ୍କ ନିକଟ ସଂପର୍କୀୟଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର