ବରଗଡ଼ : ଡାକ୍ତର ଅଭାବ। ଉଜୁଡ଼ା ଭିତ୍ତିଭୂମି। କେତେବେଳେ ଗର୍ଭବତୀ ମହିଳା ଡାକ୍ତରଖାନା ବାରଣ୍ଡାରେ ପ୍ରସବ କରୁଛି। ତ କେତେବେଳେ ସିକ୍ୟୁରିଟି ଗାର୍ଡ ରୋଗୀଙ୍କୁ ସାଲାଇନ୍ ଚଢ଼ାଉଛି। ଆଧୁନିକ ବରଗଡ଼ର ସ୍ବାସ୍ଥ୍ୟସେବା ଏହିଭଳି। ଏହି ଉପାଖ୍ୟାନରେ ଆଜି ଆଉ ଗୋଟିଏ ଅଧ୍ୟାୟ ଯୋଡ଼ି ହୋଇଛି। ତାହାପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ।
ସହରଠାରୁ ପାଖାପାଖି ୮ କିଲୋମିଟର୍ ଦୂରେ ଥିବା ଚିକିତ୍ସାଳୟରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହୋଇଥାଏ। ସ୍ଥିତି ଏଭଳି, ରୋଗୀଙ୍କୁ ମୋବାଇଲ୍ ଲାଇଟ୍ରେ ଚିକିତ୍ସା କରାଯାଉଛି। ଏହି ଦୃଶ୍ୟ ମୋବାଇଲ୍ରେ କଏଦ୍ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟିଆ ବିଜୁଳି ସେବା ପାଇଁ ଅନେକ ସମୟରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଯାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଚିକିତ୍ସାଲୟ ପରିସରରେ ଅନେକ ଛୋଟ ବଡ଼ ଜେନେରେଟର୍ ଲଗାଯାଇଛି। କିନ୍ତୁ ତାହାର ପରିଚାଳନାରେ ଅବହେଳା କରାଯାଉଛି। ଅନ୍ଧାରରେ ଆହତଙ୍କ ଚିକିତ୍ସା ଚାଲୁଛି। ସଂଧ୍ୟା ୫ଟା ପରେ ଆଉ କୌଣସି ଉପରିସ୍ଥ ଅଧିକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହୁନଥିବାରୁ ଭଗବାନ ଭରସାରେ ଏଠାରେ ରୋଗୀ ସେବା ଚାଲୁଛି।