କୋରାପୁଟ ମେଡିକାଲରେ ଅନ୍ଧାରରେ ରୋଗୀ ସେବା

କର୍ତ୍ତୃପକ୍ଷ କହିଲେ ଜେନେରେଟର ଖରାପ ଅଛି, ଆମେ କ’ଣ କରିବୁ

କୋରାପୁଟ: ବିଜୁଳି କଟିଗଲେ ଅନ୍ଧାରରେ ବୁଡି ଯାଉଛି ମେଡିକାଲ କଲେଜ। ରୋଗୀ, ସେମାନଙ୍କ ସଂପର୍କୀୟ ହନ୍ତସନ୍ତ ହେଉଛନ୍ତି। ଗରମ ସାଙ୍ଗକୁ ଭୟ ଓ ଆଶଙ୍କାରେ ସମୟ କାଟୁଛନ୍ତି। କିନ୍ତୁ ଏଥିନେଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ବି ସେମାନେ ଏହାକୁ ଗୁରୁତ୍ବ ଦେଉ ନାହାନ୍ତି। ବରଂ ଖାମଖିଆଲି ଭାବେ ଉତ୍ତର ଦେଉଛନ୍ତି, ଜେନେରେଟର ଖରାପ ହୋଇ ଯାଇଛି। ଆମେ କ’ଣ କରିବୁ।

କୋରାପୁଟରେ ମେଡିକାଲ କଲେଜ ହେବା ପରେ ଉନ୍ନତ ସ୍ବାସ୍ଥ୍ୟସେବା ପାଇବାକୁ ଆଶା କରିଥିବା ଅବିଭକ୍ତ ‌କୋରାପୁଟବାସୀ ଏବେ ଏମିତିରେ ସମସ୍ୟାରେ ସନ୍ତୁଳି ହେଉଛନ୍ତି। କାଳ ବୈଶାଖୀ କାରଣରୁ ବହୁ ସମୟରେ ବିଜୁଳି ବିଭ୍ରାଟ ହେଉଥିଲାବେଳେ ନିତି ରୋଗୀ ହଇରାଣ ହେଉଛନ୍ତି। ପୁଣି ଜେନେରେଟର ଲାଗିଥିଲେ ବି ତାହା କେବେ ପୂର୍ଣ୍ଣ କାର୍ଯ୍ୟକ୍ଷମ ତାହା କାହାକୁବି ଜଣାନାହିଁ। ଟାଟା ପାୱାର ସାଉଥକୋକୁ ହାତକୁ ନେବା ପରେ ମରାମତି ନାଁରେ ସହରରେ ଦିନ ଦିନ କଟୁଛି ବିଦ୍ୟୁତ। ଆଉ ବିଦ୍ୟୁତ ଗଲେ ମେଡିକାଲ କଲେଜରେ ସେବା ଯୋଗାଇବାକୁ କୌଣସି ସୁବିଧା ନାହିଁ।

ଡିଜି ଥିଲେ ବି ତାହା କାର୍ଯ୍ୟରେ ଲାଗୁନି। ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ମୁଖ୍ୟ କୋଠାରେ ଥିବ‌ା ବଡ ଜେନେରେଟରଟି ପ୍ରାୟ ଦୀର୍ଘ ଦିନ ହେଲା ଖରାପ ହୋଇ ଯାଇଛି। କିନ୍ତୁ ଏହାକୁ ସଜାଡିବା ପାଇଁ କର୍ତ୍ତୃପକ୍ଷଙ୍କ ଆଗ୍ରହ ନଥିବା ଭଳି ମନେ ହେଉଛି। ସେତେବେଳେ ବିଜୁଳି ବିଭ୍ରାଟ ହେଉ  ନ ଥିବାରୁ ଏହା ମଧ୍ୟ ଜଣାପଡୁ ନ ଥିଲା। ପୁଣି ଦିନରେ ଥରେ ଅଧେ ବିଜୁଳି ଚାଲିଗଲେ ମଧ୍ୟ କିଛି ସମସ୍ୟା ହେଉ ନ ଥିଲା। ଗରମ ହେଉ  ନ ଥିବାରୁ ରୋଗୀମାନେ ମଧ୍ୟ ବିଜୁଳି କାଟ ‌ନେଇ ଜାଣି ପାରୁ ନ ଥିଲେ। କିନ୍ତୁ ଏବେ କିଛି ଦିନ ହେଲା କାଳ ବୈଶାଖୀ ପ୍ରଭାବରେ କୋରାପୁଟରେ ଝଡ ତୋଫାନ ହେବା ସହ ବର୍ଷା ହେଉଛି। ପ୍ରାୟ ପ୍ରତି ସନ୍ଧ୍ୟାରେ ପବନ ‌ହେଉଥିବାରୁ ବିଜୁଳି ବିଭ୍ରାଟ ବି ବଢିଛି। ଫଳରେ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଜୁଳି ଚାଲିଗଲେ ମେଡିକାଲର ଅନ୍ତଃ ବିଭ‌ାଗ ଅନ୍ଧାର ହେଇ ଯାଉଛି। ବାହାରେ ବି ସମାନ ଅବସ୍ଥା। କିଛି ରୋଗୀଙ୍କ ସଂପର୍କୀୟ କ୍ୟାଣ୍ଡେଲ ଜାଳି ରୋଗୀଙ୍କ ପାଖରେ ବସୁଛନ୍ତି। ଗରମରୁ ତ୍ରାହି ପାଇବା ପାଇଁ ହାତପଙ୍ଖାରେ ବିଞ୍ଛୁଛନ୍ତି।

ଏମିତି ଅକଳିଆ ପରିସ୍ଥିତିରେ ରୋଗୀ ଓ ସଂପର୍କୀୟ ଘାଣ୍ଟି ହେବା ପରେ ସେମାନେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଉଛନ୍ତି। କିନ୍ତୁ କର୍ତ୍ତୃପକ୍ଷ ନିଦା ବିଷ୍ଣୁ ସାଜି ଚୁପ ହୋଇ ରହିଛନ୍ତି। ଅଧିକାରୀଙ୍କ ପ୍ରକୋଷ୍ଠ ଆଲୋକିତ ହୋଇଗଲେ କାମ ସରିଲା। ତେଣେ ଲୋକେ କଲବଲ ହେଲେ କେତେ ମଲେ କେତେ ! ଅପରପକ୍ଷରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରୋଗୀ ସଂପର୍କୀୟଙ୍କ ଭିତରେ ଉତ୍ତେଜନା ବି ଦେଖା ଦେଲାଣି। ସେମାନେ କେତେଥର ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୁକ୍ତିତର୍କ କରିବା ସହ ପାଟିତୁଣ୍ଡ ବି କଲେଣି। ତୁରନ୍ତ ଏହି ସମସ୍ୟାର ସମାଧାନ ନ ହେଲେ ସ୍ଥିତି ଭୟଙ୍କର ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

ମେଡିକାଲ ପରି ଜରୁରୀ ସ୍ଥାନରେ ଦୀର୍ଘଦିନ ଧରି ଜେନେରେଟର ଅଚଳ ହେବା ଏବଂ ଏହାକୁ ସଜାଡିବା ନେଇ କର୍ତ୍ତୃପକ୍ଷ ଉଦାସୀନ ରହିବା ଘଟଣାକୁ କେହି ସହଜରେ ଗ୍ରହଣ କରି ପାରିନାହାନ୍ତି। ଅନ୍ଧାରରେ ରୋଗୀଙ୍କର କିଛି ସମସ୍ୟା ହେଲେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି। ପୁଣି ବିଜୁଳି ଚାଲିଗଲେ ବହୁ ଗୁରୁତ୍ବପୂର୍ଣ୍ଣ ସେବା ଅଚଳ ହୋଇ ପଡୁଛି। ତେଣୁ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି। ଏଥିନେଇ ମେଡିକାଲ କଲେଜ ଅଧୀକ୍ଷକ ପ୍ରଫେସର ସୀତରାମ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଜେନେରେଟର ଖରାପ ହେବାରୁ ଏମିତି ସମସ୍ୟା ଦେଖା ଦେଇଛି। ଏହାକୁ ସଜାଡିବା ପାଇଁ ସଂପୃକ୍ତ ବିଭାଗକୁ ଚିଠି ଲେଖାଯାଇଛି। ଖୁବ୍‌ ଶୀଘ୍ର ଏହାକୁ ସଜଡା ଯାଇ ରୋଗୀଙ୍କୁ ସେବା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର