କୋଭିଡ୍‌ କେୟାର କେନ୍ଦ୍ରରୁ ରୋଗୀ ଗାଏବ

ବୃଦ୍ଧ ବାପାଙ୍କୁ ଖୋଜୁଛି ପୁଅ, ୫ ଦିନ ପରେ ବି ମିଳୁନି ସୂଚନା

ଅନୁଗୁଳ : କୋଭିଡ୍‌ କେୟାର କେନ୍ଦ୍ରରୁ ଜଣେ କରୋନା ସଂକ୍ରମିତ କୁଆଡ଼େ ହଜିଯାଇଛନ୍ତି। ୫ ଦିନ ହେଲା ତାଙ୍କ ପତ୍ତା ମିଳୁନି। ଏପଟେ ବାପାଙ୍କ ନିଖୋଜ ପରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ତାଙ୍କ ପୁଅ। ବାପାଙ୍କୁ ତୁରନ୍ତ ଖୋଜି ଆଣିଦେବା ପାଇଁ ଆକୁଳ ନିବେଦନ କରିଛନ୍ତି। ଆଉ ଏହି ଘଟଣା ପରେ କୋଭିଡ ପରିଚାଳନାରେ ରହିଥିବା ବ୍ୟାପକ ତ୍ରୁଟି ପଦାକୁ ଆସିଛି।

ଛେଣ୍ଡିପଦା ବ୍ଳକ ପରା ଗ୍ରାମର ଗୋବିନ୍ଦ ପ୍ରଧାନ (୬୫)ଙ୍କ ଛାତି ଯନ୍ତ୍ରଣା ହେବାରୁ ଗତ ୩୦ ତାରିଖରେ ତାଙ୍କ ପୁଅ ଯୁଗଳ ପ୍ରଧାନ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରିଥିଲେ। ସେଠାରେ ପରୀକ୍ଷା କରିବା ପରେ ଜଣାପଡ଼ିଲା ଯେ ସେ କୋଭିଡ଼ ସଂକ୍ରମିତ ଅଛନ୍ତି। ଏଣୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ତୁରନ୍ତ ଆଦର୍ଶ କୋଭିଡ କେୟାର କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ବାପାଙ୍କୁ ସ୍ଥାନାନ୍ତର ପରେ ପୁଅ ଯୁଗଳ ଉକ୍ତ କେନ୍ଦ୍ରରେ ପହଞ୍ଚି ଜାଣିବାକୁ ପାଇଲେ ଯେ, ତାଙ୍କୁ ୧୫ ନମ୍ବର କକ୍ଷରେ ରଖାଯାଇଛି। ତହିଁ ପରଦିନ ଚପଲ ଓ ଏକ ମୋବାଇଲ ଫୋନ୍‌ ନେଇ ଯୁଗଳ ସେଠାରେ ବାପାଙ୍କୁ ଦେଖା କରିଥିଲେ। ଆଉ କହିଥିଲେ ଦରକାର ପଡ଼ିଲେ ଏହି ମୋବାଇଲରୁ ଫୋନ କରି ମୋତେ ଜଣାଇବ। ପରଦିନ ଗୋବିନ୍ଦଙ୍କ ଝିଅ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବାକୁ ଫୋନ୍‌ କରିଥିଲେ। ସେତେବେଳେ ବାପା କହିଥିଲେ ଯେ ତାଙ୍କୁ ଅଲଗା କେଉଁ ଜାଗାକୁ ଆଣିଛନ୍ତି। ଏ ଜାଗା ସମ୍ପର୍କରେ ସେ କିଛି ଜାଣି ନ ଥିବା କହିଥିଲେ। ବାପାଙ୍କ ଠାରୁ ଏଭଳି ଖବର ପାଇବା ପରେ ଝିଅ ବ୍ୟତିବ୍ୟସ୍ତ ହୋଇ ତାଙ୍କ ଭାଇଙ୍କୁ ଏ ବିଷୟରେ ଜଣାଇଥିଲେ। ଏହାପରେ ଯୁଗଳ ଯେତେ ଫୋନ୍ କଲେ ମଧ୍ୟ ତାଙ୍କ ବାପା ଆଉ ଫୋନ୍‌ ଉଠାଇ ନଥିଲେ।

ସୋମବାର ସେ ଆଦର୍ଶ କୋଭିଡ୍‌ କେୟାର କେନ୍ଦ୍ରରେ ପହଞ୍ଚି ବାପାଙ୍କ ବିଷୟରେ ପଚାରିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ପାଇଥିଲେ। ସେଠାରୁ ସେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଖୋଜାଖୋଜି କରିଥିଲେ ବି ବାପାଙ୍କୁ ପାଇ ନଥିଲେ। ବହୁ ଖୋଜାଖୋଜି ପରେ ଗୋବିନ୍ଦଙ୍କୁ ତାଳଚେର ବଳରାମପ୍ରସାଦରେ ଥିବା କୋଭିଡ ସେଣ୍ଟରକୁ ପଠାଯାଇଥିବା ସେଠାରେ କହିଥିଲେ। ବଳରାମପ୍ରସାଦରେ ପହଂଚି ଖୋଜାଖୋଜି କରିଥିଲେ ବି ସେଠାରେ ବାପାଙ୍କୁ ପାଇ ନ ଥିଲେ ଯୁଗଳ। ସେ ସମୟରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି କେନ୍ଦ୍ରକୁ ପରିଦର୍ଶନରେ ଯାଇଥିବାରୁ ଯୁଗଳ ଜିଲ୍ଲାପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ। ଜିଲ୍ଲାପାଳ ମଧ୍ୟ ସମସ୍ତ କୋଭିଡ ହସ୍ପିଟାଲକୁ ଫୋନରେ ଯୋଗାଯୋଗ କରିଥିଲେ ସୁଦ୍ଧା ନିଖୋଜ ଗୋବିନ୍ଦଙ୍କ ସଂପର୍କରେ କୌଣସି ପତ୍ତା ମିଳିନଥିଲା। ଏଥିନେଇ ସିଡିଏମ୍ଓଙ୍କ ସହିତ ଯୋଗଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। କିନ୍ତୁ ସିଡିଏମଙ୍କ ପାଖରୁ ମଧ୍ୟ କିଛି ସୂଚନା ମିଳି ନ ଥିଲା।

ବିଭିନ୍ନ କୋଭିଡ୍‌ କେୟାର କେନ୍ଦ୍ର ଓ ଡାକ୍ତରଖାନାରୁ ନିରାଶରେ ଫେରିବା ପରେ ଏବେ ଚିନ୍ତାରେ ପରିବାର। ଶେଷରେ ଯୁଗଳ ଏଥିନେଇ ଅନୁଗୁଳ ସଦର ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ତାଙ୍କ ଫୋନ ଟ୍ରାକିଂ କରି ସେ ତାଳଚେର ସାଉଥ୍‌ ବଲଣ୍ଡାରେ ଥିବା ଜାଣିବାକୁ ପାଇଛନ୍ତି। ଏ ସଂପର୍କରେ ସାଂସଦ ରୁଦ୍ରନାରାୟଣ ପାଣିଙ୍କୁ ଜଣାଇବା ପରେ ସେ ଅନୁଗୁଳ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ଆଲୋଚନା କରି ତୁରନ୍ତ ଖୋଜି ବାହାର କରିବାକୁ ଅନୁରୋଧ କରିଛନ୍ତି।

ଏହାପୂର୍ବରୁ ଆଦର୍ଶ କୋଭିଡ କେୟାର କେନ୍ଦ୍ରରୁ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍‌ର ଜଣେ ବ୍ୟକ୍ତି ଗତକାଲି ନିଖୋଜ ଥିବାବେଳେ ଅନ୍ୟକିଛି କୋଭିଡ ସଂକ୍ରମିତ ଲୋକ ଆଦର୍ଶ କୋଭିଡ କେୟାର କେନ୍ଦ୍ର ଛାଡ଼ି ଚାଲି ଚାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଳାଇ ଆସିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଅନୁଗୁଳ ସିଡିଏମ୍ଓ ଡାକ୍ତର ଅଭୟ କୁମାର ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଗୋବିନ୍ଦ ନିଖୋଜ ଥିବା ଘଟଣା ସତ। ସେ କେଉଁଠାରେ ଅଛନ୍ତି ଓ କିଭଳି ଅଛନ୍ତି ତାହାର କୌଣସି ସରକାରୀ ସୂଚନା ତାଙ୍କ ପାଖରେ ନାହିଁ ବୋଲି ଡା. ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର