ଖାଦ୍ୟ ଖାଉଛନ୍ତି ଭୂତ ! ଆର୍‌ଜିଏଚ୍‌ରେ ‌ରୋଗୀଙ୍କ ଖାଦ୍ୟ ଟଙ୍କାରେ ହେରଫେର ଅଭିଯୋଗ

ରାଉରକେଲା: ଦୁର୍ନୀତିର ହାତ ଡାକ୍ତରଖାନା ରୋଗୀଙ୍କ ପାଖରେ ବି ପହଞ୍ଚି ଗଲାଣି। ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ଯେତିକି ରୋଗୀ ଭର୍ତ୍ତି ହେଉଛନ୍ତି, ଖାତାପତ୍ରରେ ତା’ଠାରୁ ଢ଼େର ଅଧିକ ରୋଗୀ ଖାଉଥିବା ଦର୍ଶାଯାଉଛି ଓ ସେହି ଅନୁସାରେ ପଇସା ସରକାରଙ୍କଠୁ ନିଆ ଯାଉଛି ବୋଲି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣା ପଡ଼ିଛି। ରୋଗୀଙ୍କୁ ଖାଦ୍ୟ ବଣ୍ଟନ ନାଁରେ ମାସକୁ କେମିତି ଲକ୍ଷ ଲକ୍ଷ ଟଙ୍କାକୁ ଚଳୁ କରି ଦିଆଯାଉଛି, ଏହି ତଥ୍ୟରୁ ସ୍ପଷ୍ଟ ହୋଇଛି।

ଉଲ୍ଲେଖନୀୟ ଯେ ଡାକ୍ତରଖାନାର ଅର୍ନ୍ତବିଭାଗରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ପିଛା ଦୈନିକ ଖାଦ୍ୟ (ସକାଳ, ମଧ୍ୟାହ୍ନ ଓ ରାତି ଭୋଜନ) ବାବଦରେ ସରକାର ୮୫ ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଅନେକ ରୋଗୀ ୩-୪ ଘଣ୍ଟା ପାଇଁ ଭର୍ତ୍ତି ହୋଇ ଘରକୁ ବା ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର ହେଉଥିଲେ ହେଁ, ତାଙ୍କ ନାଁରେ ଦିନକର ଖାଦ୍ୟ ଖାତାରେ ଦର୍ଶାଯାଉଛି। ଆହୁରି ସାଂଘାତିକ କଥା ଯେ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟାଠାରୁ ଖାଦ୍ୟ ଖାଉଥିବା ରୋଗୀଙ୍କ ସଂଖ୍ୟା ବହୁ ଅଧିକ ଦର୍ଶା ଯାଉଛି ଓ ସେହି ଅନୁସାରେ ସରକାରଙ୍କଠାରୁ ଟଙ୍କା ନିଆ ଯାଉଛି। ବର୍ଷ ବର୍ଷ ଧରି ଏଭଳି ‌ଅନିମିୟତା ଚାଲିଛି। ଏମିତି ଦୁର୍ନୀତ ଚାଲିଥିଲେ ହେଁ ଆର୍‌ଜିଏଚ୍‌ କର୍ତ୍ତୃପକ୍ଷ କେମିତି ଜାଣିପାରୁ ନାହାନ୍ତି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାଦ୍ୟ ବଣ୍ଟନରେ ଚାଲିଥିବା ଏଭଳି ଦୁର୍ନୀତିରେ ବିଭାଗୀୟ ଅଧିକାରୀ, ବଣ୍ଟନ ଦାୟିତ୍ବରେ ଥିବା ଠିକାସଂସ୍ଥା ଓ ରେଡ୍‌କ୍ରସ ସଂସ୍ଥା କର୍ମଚାରୀଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ।

ହସ୍ପିଟାଲ ସୂତ୍ରରୁ ପ୍ରକାଶ ଯେ ଆର୍‌ଜିଏଚ୍‌ରେ ଦୈନିକ ପ୍ରାୟ ୧୦୦ରୁ ୧୫୦ ରୋଗୀ ଅର୍ନ୍ତବିଭାଗରେ ଭର୍ତ୍ତି ହେଉଛନ୍ତି। ଏମିତି ଭାବେ ହାରାହାରି ମାସକୁ ୪,୫୦୦ରୁ ୫୦୦୦ ରୋଗୀ ଭର୍ତ୍ତି ହେଉଛନ୍ତି। କିଛି ମାସରେ ୬,୦୦୦ ପର୍ଯ୍ୟନ୍ତ ରୋଗୀ ଭର୍ତ୍ତି ହେଉଛନ୍ତି। ଏହାଠାରୁ ଅଧିକ ନୁହେଁ। ମାତ୍ର ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅଲଗା ଚିତ୍ର ବୟାନ କରୁଛି। ଏଥିରେ ଦାବି କରା ଯାଇଛି ଯେ ୨୦୨୨ ଜାନୁଆରିରେ ମୋଟ୍‌ ୮,୨୨୨ ରୋଗୀ ଭର୍ତ୍ତି ହୋଇଥିଲେ। ଏମାନଙ୍କ ଖାଇବା ବାବଦରେ ୬,୯୮,୬୬୦ ଟଙ୍କା ଖର୍ଚ୍ଚ କରାଯାଇଛି। ଅର୍ଥାତ୍‌ ଆର୍‌ଜିଏଚ୍‌ ପଞ୍ଜିକରଣ ରେଜିଷ୍ଟ୍ରରରେ ଅତିବେଶୀରେ ୬୦୦ ୦ ରୋଗୀ ଭର୍ତ୍ତି ହୋଇଥିଲାବେଳେ ଖାଦ୍ୟ ବଣ୍ଟନ ଖାତାରେ ଅଧିକ ୨ ହଜାର ୨୨୨ ରୋଗୀ ଦର୍ଶାଯାଇଛି।

ଏ ବାବଦରେ ୧ ଲକ୍ଷ ୮୮ ହଜାର୮୭୦ ଟଙ୍କା ଅଧିକ ଟଙ୍କା ନିଆ ଯାଇଛି। ଫେବ୍ରୁଆରି ମାସରେ ୮ ହଜାର ୬୭୧ ରୋଗୀ ବାବଦରେ ୭  ଲକ୍ଷ ୩୭ ହଜାର ୪୪୫ ଟଙ୍କା ଖର୍ଚ୍ଚ ହୋଇଛି। ଏଠି ମଧ୍ୟ ଅତିକମ୍‌ରେ ୨, ୬୭୧ ରୋଗୀଙ୍କ ନାମ ଖାଇବା ତାଲିକାରେ ରଖି ସେ ବାବଦ ୨ ଲକ୍ଷ ୨୭ ହଜାର ଟଙ୍କା ଖାଦ୍ୟ ଯୋଗାଣକାରୀ ନିଜ ପକେଟରେ ଭର୍ତି କରିଛନ୍ତି।  ମାର୍ଚ୍ଚ ମାସରେ ସର୍ବାଧିକ ୧୧, ୫୮୧ ରୋଗୀଙ୍କୁ ଖାଦ୍ୟ ଦିଆଯାଇଥିବା ଦାବି କରା ଯାଇଛି। ଅର୍ଥାତ୍‌ ଦିନକୁ ୩୮୬ ରୋଗୀ ଖାଇବାକୁ ଦିଆଯାଇଛି।

ଆର୍‌ଜିଏଚ୍‌ରେ ଏତେ ବେଡ୍‌ ନଥିବାବେଳେ କେମିତି ୩୮୬ ରୋଗୀଙ୍କୁ ରଖାଗଲା ଓ ଖାଦ୍ୟ ଖାଇବାକୁ ଦିଆଗଲା, ତାହାକୁ ନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ସେମିତି ଗତ ୨୦୨୧ ଡିସେମ୍ବରରେ ୧୦ ,୮୧୯ ରୋଗୀଙ୍କ ବାବଦରେ ୯,୧୯,୫୬୫ ଟଙ୍କା, ନଭେମ୍ବରରେ ୧୧, ୪୫୭ ରୋଗୀଙ୍କ ବାବଦରେ  ୯,୭୨,୨୪୫ଟଙ୍କା, ଅକ୍ଟୋବରରେ ୧୨,୩୯୮ ରୋଗୀ ପିଛା ୧୦ ,୫୧,୫୦୦ ଟଙ୍କା ଖର୍ଚ୍ଚ ହୋଇଛି। ସେପ୍ଟେମ୍ବରରେ ସର୍ବାଧିକ ୧୮,୧୬୧ ରୋଗୀଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିବା ଦାବି କରା ଯାଉଛି। ଅର୍ଥାତ୍ ଦିନକୁ ପାଖାପାଖି ୬୦୫ ରୋଗୀଙ୍କୁ ଖାଦ୍ୟ ଦିଆଯାଇଥିବା କଥା କୁହା ଯାଉଛି। ଏହି ମାସରେ ୧୦ ,୭୫,୮୫୦ ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରୁ କେତେ ଟଙ୍କା ପକେଟରେ ପଶିଛି, ତଦନ୍ତ ସାପେକ୍ଷ।

ସେହିପରି ଅଗଷ୍ଟ ମାସରେ ୧୨,୨୦୯ ରୋଗୀଙ୍କ ବାବଦରେ୧୦ ,୩୩,୬୫ ଟଙ୍କା, ଜୁଲାଇରେ ୮,୪୧୨ ରୋଗୀଙ୍କ ବାବଦରେ ୭,୧୨,୪୯୦ ଟଙ୍କା ଖର୍ଚ୍ଚ ହୋଇଥିବା କୁହା ଯାଉଛି। ଏମିତି ଭାବେ ପ୍ରତିମାସ ଯେତିକି ‌ରୋଗୀ ଭର୍ତ୍ତି ହୋଇଛନ୍ତି, ଖାଦ୍ୟ ବଣ୍ଟନ ଖାତାରେ ୨,୦୦୦- ୪,୦୦୦ ପର୍ଯ୍ୟନ୍ତ ଅଧିକ ରୋଗୀ ଖାଉଥିବା ଦର୍ଶାଯାଇଛି। ଆର୍‌ଜିଏଚ୍‌ର ପଞ୍ଜିକରଣ ଖାତାରୁ ଅସଲରେ ଭର୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ସହିତ ଖାଦ୍ୟ ଖାତାରେ ଦର୍ଶା ଯାଇଥିବା ରୋଗୀଙ୍କ ସଂଖ୍ୟାକୁ ବିଚାରକୁ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଗଲେ ଏକ ବଡ଼ ଘୋଟାଲା ପଦାକୁ ଆସିବ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର