ଭିମ୍‌ସାରରେ ନମୁନା ପରୀକ୍ଷା ପାଇଁ ରୋଗୀ ସଂପର୍କୀୟ ହଟହଟା

ଆଂଚଳିକ ପରୀକ୍ଷା କେନ୍ଦ୍ରରେ ଖାଲି ପଡ଼ିଛି ୨୭ ଟେକ୍ନିସିଆନ ପଦ

ବୁର୍ଲା:  ଭିମ୍‌ସାରକୁ ଆସୁଥିବା ରୋଗୀମାନଙ୍କ ରକ୍ତ ନମୁନା ପରୀକ୍ଷା କରିବାକୁ ଆଞ୍ଚଳିକ ପରୀକ୍ଷା କେନ୍ଦ୍ର(ଆର୍‌ଡିସି) ରହିଛି। ରୋଗୀମାନେ ନଖାଇପିଇ ରକ୍ତ ନମୁନା ପରୀକ୍ଷା କେନ୍ଦ୍ରକୁ ସକାଳୁ ଆସିଲେ ବି ସକାଳ ୯ଟା ଆଗରୁ ତାହା ଖୋଲିବାର ନଜିର ନାହିଁ। ଏହା ଦ୍ବାରା ବାଧ୍ୟ ହୋଇ ବହୁ ରୋଗୀ ଘରୋଇ ପରୀକ୍ଷା କେନ୍ଦ୍ରକୁ ଚାଲି ଯାଇଥାନ୍ତି। ୯ଟା ପୂର୍ବରୁ ଆଞ୍ଚଳିକ ପରୀକ୍ଷା କେନ୍ଦ୍ରରେ ରୋଗୀଙ୍କ ଲମ୍ବା ଲାଇନ ବି ଲମ୍ବି ଯାଇଥାଏ। ପୁରୁଷ ମହିଳା, ବରିଷ୍ଠ ନାଗରିକ, ଗୁରୁତର ରୋଗୀଙ୍କ ସକାଶେ ସ୍ଵତନ୍ତ୍ର କାଉଣ୍ଟର ବ୍ୟବସ୍ଥା ନାହିଁ। ପ୍ରତିଦିନ  ୪୦୦ରୁ ୫୦୦ ବର୍ହି ବିଭାଗ ରୋଗୀଙ୍କ ନମୁନା ପରୀକ୍ଷା କରାଯାଉଛି। ଏହା ବ୍ୟତୀତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୫୦୦/ ୬୦୦  ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥାଏ। ଏଠାରେ ସମସ୍ତ ପ୍ରକାର ରକ୍ତ, ମଳ ମୂତ୍ର ପରୀକ୍ଷା କରାଯାଉଛି।

ତେବେ, ପରୀକ୍ଷା କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ  ଟେକ୍ନିସିଏନ, ନର୍ସ ,ଡାକ୍ତର ନଥିବା ବାରମ୍ବାର ଅଭିଯୋଗ ହେଉଛି। ଆରଡିସିରେ ୩୫ ଜଣ ଟେକ୍ନିସିଏନ ଜାଗାରେ ଏବେ ମାତ୍ର ୮ ଜଣ ଅଛନ୍ତି। ପ୍ରତିଦିନ ଏଠାରେ ପ୍ରାୟ ୨୦ ହଜାର ରକ୍ତ ନମୁନା ପରୀକ୍ଷା ହୋଇଥାଏ। ଅପରପକ୍ଷରେ ଜଣେ ମାତ୍ର ଠିକା ଟେକ୍ନିସିଏନ ଦ୍ବାରା ରକ୍ତ ନମୁନା ସଂଗ୍ରହ କରାଯାଉଥିବା ଦେଖିବାକୁ ମିଳେ। ଲାଗିଥିବା ଲମ୍ବା ଲାଇନ ଆଞ୍ଚଳିକ ପରୀକ୍ଷା କେନ୍ଦ୍ରର ଫାଟକ ପର୍ଯ୍ୟନ୍ତ ଲମ୍ବିଥାଏ। ସେଠାରେ ନା’ ପାନୀୟ ଜଳ କିମ୍ୱା ତାତିରୁ ରକ୍ଷା ପାଇଁ ପଙ୍ଖା ବ୍ୟବସ୍ଥା ଅଛି। କେବଳ ସେଠାରେ ମାଳ ମାଳ ସୁରକ୍ଷା କର୍ମୀ ଘିରି ଘିରି ବୁଲୁଥିବା ଦୃଶ୍ୟ ଦେଖିବାକୁ ମିଳେ। ଏହି ସମ୍ବନ୍ଧରେ ଭିମ୍‌ସାର ଅଧୀକ୍ଷକ ଡାକ୍ତର ଲାଲମୋହନ ନାୟକଙ୍କୁ ପଚାରିବାରୁ ସେ କହିଲେ, ଅତିରିକ୍ତ ୩୦ ଜଣ ଲେବ୍‌ ଟେକ୍ନିସିଆନ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଏବେ ପ୍ରମାଣପତ୍ର ଯାଞ୍ଚ ଚାଲିଛି। ଏହି କାମ ସରିବା ପରେ ଶୀଘ୍ର ସେମାନଙ୍କୁ ନିଯୁକ୍ତ ଦିଆଯିବ। ଫଳରେ ରୋଗୀମାନଙ୍କୁ ଆଉ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର