ନୂଆଗାଁ : ନୂଆଗାଁରେ ସ୍ବାସ୍ଥ୍ୟସେବା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ରୋଗୀମାନେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବାରଣ୍ତା ମାଡ଼ୁନାହାନ୍ତି। ବର୍ଷ ବର୍ଷ ଧରି ଡାକ୍ତରଖାନାରେ ଅଚଳାବସ୍ଥା ଦେଖା ଦେଇଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ସବୁ ଜାଣି ଅଜଣା ରହିଛି। ଫଳରେ ଗରିବ ଶ୍ରେଣୀର ଲୋକଟିଏ ସ୍ବାସ୍ଥ୍ୟସେବା ନ ପାଇ ଘରେ ଛଟପଟ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଛି। ନୟାଗଡ଼ ସଦର ମହକୁମାଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି।

Advertisment

ଘଟଣାରୁ ପ୍ରକାଶ, ନୂଆଗାଁ ବ୍ଲକ୍‌ର ମହୀପୁରଠାରେ ଏକମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏହା ଅଧୀନରେ ଚାରିଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଛି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବ୍ଲକ୍‌ର ୨୨ଟି ପଞ୍ଚାୟତର ଏକ ଲକ୍ଷ୍ରୁ ଊର୍ଦ୍ଧ୍ବ ଜନସାଧାରଣ ନିର୍ଭର କରି ଆସୁଛନ୍ତି। କିନ୍ତୁ ସବୁ ସମୟରେ ଏଠାରେ ଡାକ୍ତର ସମସ୍ୟା ଲାଗି ରହିଛି। କେବଳ ଯେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି, ତାହା ନୁହେଁ କୌଣସି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ପର୍ଯ୍ୟନ୍ତ ଡାକ୍ତର ନିଯୁକ୍ତି ହୋଇନାହିଁ। ସରକାରୀ ନିୟମ ଅନୁସାରେ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨ ଜଣ ଡାକ୍ତର ରହିବା ସହିତ ୬ ଜଣ ଏମ୍‌ବିବିଏସ୍‌ ଡାକ୍ତର ଏବଂ ୨ ଜଣ ଆୟୁଷ ଡାକ୍ତର ରହିବାର ନିୟମ ରହିଛି। କିନ୍ତୁ ଏଠାରେ ଜଣେ ଏମ୍‌ବିବିଏସ୍‌ ଡାକ୍ତର ଥିବା ବେଳେ ବାହାଡ଼ାଝୋଲା କଷ୍ଟି ଡାକୁଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ବରେ ଥିବା ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ମହୀପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି। ଏଠାରେ ଆଉ ଜଣେ ଆୟୁଷ ଡାକ୍ତର ଥିବା ଜଣାପଡିଛି। ଛୋଟ ମୋଟ ଘଟଣା ଦୁର୍ଘଟଣାମାନ ହେଲେ ରୋଗୀମାନେ ଏଠାରେ ସ୍ବାସ୍ଥ୍ୟ ସେବା ନ ପାଇ ନୟାଗଡ଼ କିମ୍ବା ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଛନ୍ତି। ଆଉ କେତେକ ରୋଗୀ ଆଦିବାସୀ ଅଂଚଳରୁ ସେବା ପାଇବାକୁ ଧାଇଁ ଆସୁଥିଲେ ମଧ୍ୟ ଚିକିତ୍ସା ନ ପାଇ ଫେରୁଛନ୍ତି। ଏମିତି ପ୍ରତିଦିନ ଶହଶହ ସଂଖ୍ୟାରେ ଆସୁଥିବା ରୋଗୀମାନେ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ ହେଉଛନ୍ତି।

publive-image

ଏବେ ନୂଆଗାଁ ଅଂଚଳରେ ସ୍ବାସ୍ଥ୍ୟସେବା ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତି କିମ୍ବା ଡାକ୍ତର ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗ କିମ୍ବା ରାଜନେତାମାନେ କୌଣସି ପ୍ରକାର ପଦକ୍ଷେପ ନେଉନାହାନ୍ତି। ଯାହାଦ୍ବାରା ରୋଗୀମାନେ ଏଠାକୁ ଆସିବାକୁ ନାକ ଟେକୁଛନ୍ତି। ସେହିପରି ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଗୁମୀ ପଞ୍ଚାୟତର ଡିମିରିପଲ୍ଲୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଲେଖାଏଁ ଆୟୁଷ ଡାକ୍ତରଙ୍କୁ ନେଇ ସ୍ବାସ୍ଥ୍ୟସେବା ଚାଲିଥିଲା ବେଳେ ସିକ୍ରୀଡ଼ା ପଞ୍ଚାୟତର ଜଗନ୍ନାଥପ୍ରସାଦ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ପର୍ଯ୍ୟନ୍ତ ଡାକ୍ତର ନିଯୁକ୍ତି ହୋଇନାହାନ୍ତି। ଗତବର୍ଷ ଅଂଚଳବାସୀଙ୍କ ବହୁ ଦାବି ପରେ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଜଣେ ଡାକ୍ତରଙ୍କ ନିଯୁକ୍ତି କରାଯାଇଥିଲା କିନ୍ତୁ କିଛିଦିନ ରହିବା ପରେ ସେ ଅନ୍ୟତ୍ର ଚାଲି ଯାଇଥିଲେ। ଏହା ପରେ ଜଣେ ଏମ୍‌ବିବିଏସ୍‌ ଡାକ୍ତର ଆସି କାର୍ଯ୍ୟ କରୁଥିବା ବେଳେ ସେ ଏବେ ପାଠପଢ଼ିବା ପାଇଁ ଚାଲି ଯାଇଛନ୍ତି।

ସେହିପରି ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏବେ ଡାକ୍ତର ସମସ୍ୟାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଖାଁ ଖାଁ ପରିସ୍ଥିତି ସୃଷ୍ଟି ହୋଇଛି। ନୂଆଗାଁ ଏକ ମ୍ୟାଲେରିଆପ୍ରବଣ ଅଂଚଳ ହୋଇଥିବାରୁ ସବୁ ସମୟରେ ଲୋକେ ଜ୍ବରରେ ଆକ୍ରାନ୍ତ ହୁଅନ୍ତି। ସେହିପରି ଆଦିବାସୀ ଅଂଚଳରେ ଅଧିକାଂଶ ଶିଶୁ ପୁଷ୍ଟିହୀନତା, ଗର୍ଭବତୀ ମହିଳାମାନେ ଭିଟାମିନ୍ ଅଭାବରୁ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ଏତେସବୁ ସମସ୍ୟା ଲାଗି ରହିଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗର ଚେତା ପଶୁନି। ବିଭାଗର ଏଭଳି ମନମାନିକୁ ସାଧାରଣ ଲୋକେ ନାପସନ୍ଦ କରିବା ସହିତ ଯୁଦ୍ଧକାଳୀନ ଭିତ୍ତିରେ ଡାକ୍ତର ନିଯୁକ୍ତି କରିବାକୁ ଦାବି କରିଛନ୍ତି। ନଚେତ୍ ଡାକ୍ତର ନିଯୁକ୍ତି ପାଇଁ ଅଂଚଳବାସୀ ଏକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଶୁଣିବାକୁ ମିଳୁଛି।