ଭୁବନେଶ୍ୱର, କଟକ କୋଭିଡ୍‌ ହସ୍ପିଟାଲକୁ ଅନ୍ୟ ଜିଲ୍ଲାରୁ ରୋଗୀ ଆସିପାରିବେ

ଭୁବନେଶ୍ୱର : କଟକ-ଭୁବନେଶ୍ୱରସ୍ଥିତ କୋଭିଡ୍‌ ହସ୍ପିଟାଲକୁ ରୋଗୀଙ୍କୁ ପଠାଇବା ନେଇ ବାରଣ କରାଯାଇ ନାହିଁ। ଟ୍ବିନ୍ ସିଟିରେ କରୋନା ପାଇଁ ସୃଷ୍ଟି ହୋଇଥିବା ଚିକିତ୍ସା ସୁବିଧା ରାଜ୍ୟର ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଗତକାଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କ୍ରିଟିକାଲ ଚିକିତ୍ସାକୁ କେବଳ କଟକ, ଭୁବନେଶ୍ବରରେ ସୀମିତ ରଖି ଜିଲ୍ଲାସ୍ତରରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ନିର୍ଦେଶନାମା ଜାରି ହୋଇଥିଲା। ଏଥିରେ ନିୟମିତ ବ୍ୟବଧାନରେ ଜିଲ୍ଲାସ୍ତରରୁ ରୋଗୀଙ୍କୁ କଟକ, ଭୁବନେଶ୍ବରକୁ ପଠାଇବା ପୂର୍ବରୁ ସେଠାରେ ଥିବା ବ୍ୟବସ୍ଥାରେ ପ୍ରଥମେ ଚିକିତ୍ସା କରିବା ଲାଗି କୁହାଯାଇଥିଲା। ତେବେ ଗତକାଲିର ନିର୍ଦେଶନାମା ଉପରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ ରୋଗୀମାନଙ୍କୁ ଉପଯୁକ୍ତ ଡାକ୍ତରୀ ପରାମର୍ଶ ଓ ଅମ୍ଳଜାନ ଆଦି ସହାୟତା ସହ କଟକ ଓ ଭୁବନେଶ୍ବର ରେଫରାଲ ହସ୍ପିଟାଲକୁ ପଠାଇବା ପାଇଁ ସରକାରୀ ନିର୍ଦେଶନାମାରେ କୁହାଯାଇଛି। ଜଣେ ରୋଗୀ ଯେପରି ସୁରକ୍ଷିତ ଭାବେ ରେଫରାଲ ହସ୍ପିଟାଲରେ ପହଞ୍ଚି ପାରିବ ସେ ବିଷୟରେ ନିର୍ଦେଶନାମାରେ ଦର୍ଶାଯାଇଛି। କ୍ରିଟିକାଲ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ଏହାର ଉଦ୍ଦେଶ୍ୟ। ରେଫର ହେବା ସମୟରେ ଯେପରି ରୋଗୀଙ୍କ ଅମ୍ଳଜାନ ଅଭାବରୁ ‘ହାଇପକ୍ସିଆ’ ନ ହୁଏ ଏସବୁ‌ ବିଷୟରେ ଯତ୍ନବାନ ହେବା ପାଇଁ ଜିଲ୍ଲାସ୍ତରରେ କାର୍ଯ୍ୟରତ ଚିକିତ୍ସକ ଓ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ କୁହାଯାଇଛି। ‌ରେଫର ହୋଇ ଆସିବା ସମୟରେ ରୋଗୀ ନିଜେ କି କି ସତର୍କତା ଅବଲମ୍ବନ କରିବା ଦରକାର ତାହା ମଧ୍ୟ ସଂପୃକ୍ତ ଡାକ୍ତର ରୋଗୀଙ୍କୁ ଠିକ୍ ଭାବେ ବୁଝାଇବେ। ରୋଗୀଙ୍କୁ ଉପଯୁକ୍ତ ପ୍ରାରମ୍ଭିକ ଚିକିତ୍ସା, ପରାମର୍ଶ ଓ ଉପଯୁକ୍ତ ବ୍ୟବସ୍ଥା ସହ ପଠାଇଲେ ରୋଗୀଙ୍କ ଅବସ୍ଥାରେ ବିଶେଷ ଅବନତି ହେବ ନାହିଁ ଓ ତାଙ୍କ ଜୀବନ ରକ୍ଷାର ସମ୍ଭାବନା ବଢ଼ିବ ବୋଲି ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର