ଭିମ୍‌ସାରରେ ସଂକ୍ରମଣକୁ ଆମନ୍ତ୍ରଣ : ପଜିଟିଭ୍‌ ଚିହ୍ନଟ ହେବାର ୬ ଘଣ୍ଟା ପରେ ଯାଇ ସ୍ଥାନାନ୍ତର ହେଲେ ରୋଗୀ

ସମ୍ବଲପୁର : ବୁର୍ଲା ବଡ଼ ଡାକ୍ତରଖାନାରେ ସଂକ୍ରମଣକୁ ଖୋଲାଖୋଲି ଆମନ୍ତ୍ରଣ କରାଯାଉଛି। ଗୋଟିଏ ପଟେ ଭିମ୍‌ସାର କୋଭିଡ୍‌ ହସ୍ପିଟାଲରେ ରୋଗୀ ସଂଖ୍ୟା ବୃଦ୍ଧି ପାଇ ୭୮ରେ ପହଞ୍ଚିଥିବା ସମୟରେ କର୍ତ୍ତୃପକ୍ଷଙ୍କ ଅବହେଳା ପୁଣିଥରେ ବୁର୍ଲାରେ ଆତଙ୍କ ସୃଷ୍ଟିକରିବା ନେଇ ଆଶଙ୍କା ଦେଖାଦେଇଛି। ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସିତ ଜଣେ ରୋଗୀ ସନ୍ଧ୍ୟା ୫ଟାରୁ କରୋନା ଆକ୍ରାନ୍ତ ଜଣାପଡ଼ିଥିଲେ ହେଁ ରାତି ୧୧ ଟା ଯାଏ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାନଯାଇ ଅନ୍ୟ ରୋଗୀଙ୍କ ସହ ରଖାଯାଇଥିଲା। ରାତି ପ୍ରାୟ ୧୧ଟାରେ ଏହି ଘଟଣା ଜଣାପଡ଼ିବା ପରେ ଅନ୍ୟ ରୋଗୀ ସମ୍ପର୍କୀୟମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେପଟେ, କରୋନା ଭୟରେ ୱାର୍ଡରେ ନର୍ସ କି ଆଟେଣ୍ଡାଣ୍ଟ କେହି ରହିନଥିଲେ। ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯିବା ପରେ ଉକ୍ତ ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲ ନେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ମିଳିଥିବା ସୂଚନା ମୁତାବକ, ସମ୍ବଲପୁର ଜିଲ୍ଲା କତରବଗାର ଜଣେ ମହିଳାଙ୍କର ହାତ ଭାଙ୍ଗି ଯିବାରୁ ଶୁକ୍ରବାର ତାଙ୍କୁ ଭିମ୍‌ସାରକୁ ପଠାଯାଇଥିଲା। ସେଠାରେ ଆଣ୍ଟିଜେନ୍‌ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ଅସ୍ଥିଶଲ୍ୟ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ପୁଣିଥରେ ତାଙ୍କର ସ୍ବାବ୍‌ ପରୀକ୍ଷା କରାଯିବା ପରେ ରବିବାର ସନ୍ଧ୍ୟା ୫ଟାରେ ରିପୋର୍ଟ ପଜିଟିଭ୍‌ ଆସିଥିଲା ଓ ଏନେଇ ୱାର୍ଡକୁ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା। ମାତ୍ର ରାତି ୧୧ଟା ଯାଏ ରୋଗୀ ସମ୍ପର୍କୀୟଙ୍କୁ ଏନେଇ ସୂଚିତ କରାଯାଇନଥିଲା କି ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇନଥିଲା। ଏହି ସମୟରେ ଏକାଧିକ ଡାକ୍ତରଖାନା କର୍ମଚାରୀ ସିଧାସଳଖ ଭାବେ ଉକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସମୟରେ ଉକ୍ତ ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟ ଅନ୍ୟ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ରାତିରେ ଏନେଇ କର୍ତ୍ତୃପକ୍ଷଙ୍କୁ ସୂଚନା ପ୍ରଦାନ କରାଯିବା ପରେ ଆମ୍ବୁଲାନ୍ସ ଯୋଗେ ଉକ୍ତ ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର