ଖରାରେ ଗଛ ତଳେ ରୋଗୀ ଘଟଣା: ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ତିଆରି ହେଲା ବିଶ୍ରାମସ୍ଥଳ

କଟକ : କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନରେ ରୋଗୀ ଓ ସଂପର୍କୀୟଙ୍କ ପାଇଁ ତିଆରି ହେବ ତିନୋଟି ବିଶ୍ରାମ ସ୍ଥଳ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ପୂର୍ତ୍ତ ବିଭାଗ ପକ୍ଷରୁ ଆଜି ଗୋଟିଏ ଶିବିର(କ୍ୟାମ୍ପ) କାର୍ଯ୍ୟକ୍ଷମ ହୋଇଛି। ସେଠାରେ ଆଜି ୫୦ଜଣ ରୋଗୀ ଓ ସଂପର୍କୀୟ ଆଶ୍ରୟ ନେଇଛନ୍ତି। ସେହିପରି ଆସନ୍ତାକାଲି ଦ୍ବିତୀୟ ଶିବିର ଓ ସପ୍ତାହ ଶେଷ ସୁଦ୍ଧା ତୃତୀୟ ଶିବିର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶିବିରରେ ଆଲୋକ , ଫ୍ୟାନ୍ ଏବଂ ପାନୀୟଜଳ ଆଦିର ବ୍ୟବସ୍ଥା ନିଶ୍ଚିତ କରାଇବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ୫୦ ଜଣ ରୋଗୀ ତିଆରି ହୋଇଥିବା ପ୍ରଥମ ଶିବିରରେ ଆଶ୍ରୟ ନେଇଥିବା ସୂଚନା ଦେଇଛନ୍ତି। ନିରାମୟ କେନ୍ଦ୍ର ପଛପଟେ ଏହି ପ୍ରଥମ ସେଡ୍‌ ତିଆରି ହୋଇଛନ୍ତି।

ସପ୍ତାହେ ଭିତରେ ନିର୍ମାଣ ହେବ ଆଉ ଦୁଇଟି ବିଶ୍ରାମସ୍ଥଳ
ଜୁନ୍‌ ଶେଷ ସୁଦ୍ଧା ତିଆରି ହେବ ୨୦୦ ବେଡ୍‌ ବିଶିଷ୍ଟ ୱାର୍ଡ

ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍‌ପିଟାଲ୍‌ରେ ୨୦୦ ବେଡ୍ ବିଶିଷ୍ଟ ନୂଆ ୱାର୍ଡ ମଧ୍ୟ ଜୁନ୍ ଶେଷ ସୁଦ୍ଧା ପ୍ରସ୍ତୁତ କରିବାକୁ ପଦକ୍ଷେପ ନିଆଯାଇଛି। ସାଧାରଣ ଭାବେ ରେଡିଏସନ୍ ନେଉଥିବା ରୋଗୀ ଓ ତାଙ୍କର ସହାୟକମାନେ ହସ୍‌ପିଟାଲ୍ ବାରଣ୍ଡା, ଆହର କେନ୍ଦ୍ର ପାଖ ଗଛ ତଳେ ବିଶ୍ରାମ ନେଉଥିଲେ। ଡହଡହ ଖରାରେ ରୋଗୀ ଗଛ ତଳେ ଛଟପଟ ହେବା ସଂପର୍କ‌ରେ ‘ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମଧ୍ୟ ତଦନ୍ତ କରି ରିପୋର୍ଟ ଦିଆଯାଇଥିଲା। ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଘଟଣାର ଅନୁଧ୍ୟାନ କରିବା ସହ ଏହାର ପ୍ରତିବାଦ କରିଥିଲେ। ଫଳରେ ଏହାର ଆଶୁ ସମାଧାନ ପାଇଁ ବିଶ୍ରାମ ସ୍ଥଳ ନିର୍ମାଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ହସ୍‌ପିଟାଲ୍‌ର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ କହିବା ଅନୁଯାୟୀ ହସ୍‌ପିଟାଲ୍‌ରେ ଦୈନିକ ହାରାହାରି ୩୫୦ ରୋଗୀ ରେଡିଏସନ୍ ନେଉଛନ୍ତି। ରେଡିଏସନ୍ ଏକ ଆଉଟ୍‌ଡୋର ଚିକିତ୍ସା। ବର୍ତ୍ତମାନ ହସପିଟାଲ୍‌ର ବେଡ୍ ସଂଖ୍ୟା ୨୮୧। ସେଥିରେ ଗୁରୁତର ରୋଗୀ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ପ୍ରତିଦିନ ହାରାହାରି ୫୦୦ ନୂଆ ରୋଗୀ ହସ୍‌ପିଟାଲ୍‌କୁ ଆସୁଛନ୍ତି। ଦୂରଦୂରାନ୍ତରୁ ଆସି ରେଡିଏସନ୍ ନେଉଥିବା ରୋଗୀମାନେ ଅନେକ ସମୟରେ ନିଜ ଘରକୁ ଫେରି ନପାରି ସାଧାରଣ ଭାବେ ହସ୍‌ପିଟାଲ୍ ବାରଣ୍ଡାରେ ଆଶ୍ରୟ ନେଇ ଥାଆନ୍ତି। ଏଥିରେ ରୋଗୀଙ୍କ ପାଇଁ ସ୍ଥାନାଭାବ ସମସ୍ୟା ହେଉଥିବା ବେଳେ ଏବେ ଆଶ୍ରୟସ୍ଥଳ ଓ ଅଧିକ ବେଡ୍ ‌ବ୍ୟବସ୍ଥା ସମସ୍ୟାର ସମାଧାନ ଦିଗରେ ସହାୟକ ହେବ ବୋଲି ଡାକ୍ତର ଷଡ଼ଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର